ଇସ୍ପାତ କାରଖାନା ବିସ୍ଥାପିତ ଥଇଥାନ କାର୍ଯ୍ୟକ୍ରମକୁ ହମିରପୁର ଗ୍ରାମବାସୀଙ୍କ ବିରୋଧ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ହମିରପୁର ଓ ପାଖାପାଖି ଅଂଚଳର ବହୁତ ସଭ୍ୟ ଯୋଗଦାନ କରିଥିଲେ । ଉପସଭାପତି ସନୁ ବଡାଇକ ଓ ଗଣେଶ କୁମ୍ଭାର ପ୍ରକାଶ କରିଥିଲେ ଯେ, ଗତ ୧୮/୪/୨୦୨୩ ତାରିଖ ଦିନ ଆର୍‌ଏସ୍‌ପି ତରଫରୁ ହମିରପୁର ଗ୍ୱାଲା ଖଟାଲ ପାଖରେ ଥିବା ତାଙ୍କର ଜମିକୁ ବୁଲ୍‌ଡୋଜର ଦ୍ୱାରା ସମତଳ କରାଯାଇ ସେକ୍ଟର ୧୫ରେ ଥିବା ଝୁମ୍ପୁଡି ବାସିନ୍ଦାଙ୍କୁ ଥଇଥାନ କରାଯିବା ଉଦ୍ୟମକୁ ହମିରପୁର ଅଂଚଳର ଶତାଧିକ ବାସିନ୍ଦା ବିରୋଧ କରିଥିଲେ । ଫଳରେ ଆର୍‌ଏସ୍‌ପି ଅଧିକାରୀମାନେ ଫେରି ଯାଇଥିଲେ । ଅନ୍ୟତମ ଉପସଭାପତି ଦେଓନିସ ଲାକଡା କହିଲେ ଯେ, ପଚାଶ ଦଶକରେ ରାଉରକେଲା ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ବେଳେ ସମସ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାକରି ଦେବା ଓ ଉପଯୁକ୍ତ ଥଇଥାନ କରିବା ନିୟମ ଅନୁସାରେ ହମିରପୁରବାସୀ ନିଜ ନିଜର ରୟତି ଜମି କାରଖାନାକୁ ହସ୍ତାନ୍ତର କରିଥିଲେ । ବାସଚ୍ୟୁତମାନଙ୍କୁ ରହିବା ପାଇଁ ୪୦ କିଲୋମିଟର ଦୂର ରାଜଗାଙ୍ଗପୁର ପାଖରେ ପାହାଡିଆ ଜମି ପ୍ରଦାନ କରାଯାଇଥିଲା ଓ ଅଳ୍ପ କେତେ ଜଣଙ୍କୁ କାରଖାନାରେ ଚାକିରି ପ୍ରଦାନ କରାଗଲା । ଗତ ୭/୬/୨୦୧୭ ତାରିଖରେ କେନ୍ଦ୍ରୀୟ ଜନଜାତି କମିଶନ ନିର୍ଦ୍ଦେଶ ଦେଲେ ଯେ, ଇସ୍ପାତ କାରଖାନା ଦ୍ୱାରା ଗୃହୀତ ଜମି ଯଦି କାର୍ଯ୍ୟକ୍ଷମ ହୋଇନଥାଏ ତେବେ ଇସ୍ପାତ କାରଖାନା କର୍ତୃପକ୍ଷ ସେହି ଜମିଗୁଡିକୁ ସମ୍ପୃକ୍ତ ଜମି ମାଲିକଙ୍କୁ ଫେରାଇ ଦେବେ । ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ ବୋଲି ଆବାହକ ନିରଞ୍ଜନ ଦାସ କହିଥିଲେ । ଅଧିକାଂଶ ବାସଚ୍ୟୁତଙ୍କୁ ଏଯାବତ ଚାକିରି ମିଳିନାହିଁ । ପରିଷଦର ଉପସଭାପତି ଉପେନ୍ଦ୍ର ନାୟକ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ହମିରପୁର ଗ୍ରାମର ଜମିରେ ରାଉରକେଲା ହାଉସ, ସିନିଅର୍‌ ଅଫିସରମାନଙ୍କ ବଙ୍ଗଳା, ଇସ୍ପାତ ଜେନେରାଲ ହସ୍ପିଟାଲ, ସ୍କୂଲ, କଲେଜ, ମନ୍ଦିର, ସେକ୍ଟର ଆଦି ଗଢି ଉଠିଛି । ରାଉରକେଲା ଠାରୁ ୫୦ କିଲୋମିଟର ଦୂର ରାଜଗାଙ୍ଗପୁର, କୁଆଁରମୁଣ୍ଡା, ନୂଆଗାଁ, ଖୁଟଗାଁ ଆଦି ସ୍ଥାନ ମାନଙ୍କରେ ଇସ୍ପାତ କାରଖାନାର ସିଏସ୍‌ଆର୍‌ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ହମିରପୁର ଓ ପାର୍ଶ୍ୱବର୍ତ୍ତୀ ଅଂଚଳକୁ ଅଣଦେଖା କରାଯାଇଛି ଏପରିକି ମୌଳିକ ସୁବିଧା ଯଥା – ରାସ୍ତା, ପାଣି, ଇଲେକ୍ଟ୍ରି, ସ୍ୱାସ୍ଥ୍ୟ ସେବା ଆଦି ପ୍ରଦାନ କରାଯାଇନାହିଁ । ସଭାପତି କହିଥିଲେ ଯେ, ହମିରପୁର ପୁରୁଣା ରାଜସ୍ବ ଗ୍ରାମ ଏନ୍‌ଏସି ଷ୍ଟିଲଟାଉନସିପ୍‌ ଅଧୀନରେ ଥିଲା । ୧୯୯୫ ମସିହାରେ ରାଉରକେଲା ସେକ୍ଟର ଏରିଆ ଇଣ୍ଡଷ୍ଟ୍ରିଆଲ ଟାଉନ ବୋଲି ଘୋଷଣା କରାଯାଇ ହମିରପୁର ଗ୍ରାମକୁ ତାହା ଅଧୀନରେ ରଖାଗଲା, ଯାହାର ସର୍ବାଙ୍ଗୀନ ଉନ୍ନତି ଇସ୍ପାତ କାରଖାନା କତୃପକ୍ଷଙ୍କ ହାତରେ ରହିଲା । ଦୁର୍ଭାଗ୍ୟ କ୍ରମେ ୧୯୯୮ ମସିହାରେ ଇସ୍ପାତ କାରଖାନା କର୍ତୃପକ୍ଷ ଏଥିରୁ ଓହରି ଯିବାରୁ ହମିରପୁର ଗ୍ରାମ କାହାରି ଅଧୀନରେ ନରହି ଏକ ବେସାହାରା ଗ୍ରାମ ପାଲଟି ଶ୍ରୀହୀନ ହୋଇଗଲା । ଇସ୍ପାତ ସହରାଞ୍ଚଳକୁ ଲାଗିଥିବା ଏବଂ ୨୨ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଅଂଚଳରେ ବିଭିନ୍ନ ସ୍କୁଲ, କଲେଜ, ମନ୍ଦିର, ଚର୍ଚ୍ଚ ଆଦି ରହିଥିଲା ବେଳେ ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ, ଠିକା ଶ୍ରମିକ, ଦିନ ମଜୁରିଆ, ଛୋଟ ବ୍ୟବସାୟୀ ଓ ଗରିବ ଶ୍ରେଣୀର ଲୋକମାନେ ବସବାସ କରନ୍ତି, ଯାହାଙ୍କ ପାଇଁ ମୌଳିକ ସୁବିଧା ଏକ ସାତ ସପନ । ଜଗଦୁଲାଲ କୁମ୍ଭାର, ପଞ୍ଚଦେଓ ଯାଦବ ଆଦି କହିଲେ – ବିଗତ ଦିନରେ ଗ୍ୱାଲା ଖଟାଲର ପାର୍ଶ୍ୱବର୍ତ୍ତୀ ଅଂଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା ଯାହାକୁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପୋଲିସ ପ୍ରଶାସନ ପ୍ରଶମିତ କରାଇପାରିଥିଲା । ଅନ୍ୟ ସେକ୍ଟରର ଝୁମ୍ପୁଡ଼ି ବାସିନ୍ଦାଙ୍କୁ ସେହି ସେକ୍ଟର କିମ୍ବା ପାର୍ଶ୍ୱବର୍ତ୍ତୀ ଖାଲିଥିବା ଅଂଚଳରେ ଥଇଥାନ ନକରି ଏଇଭଳି ଏକ ଉତ୍ତେଜନା ପ୍ରବଣ ଅଂଚଳରେ ବସବାସ କରାଇଲେ ଭବିଷ୍ୟତରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ଯାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହେବ ବୋଲି କୁହାଯାଇଥିଲା । ବୈଠକରେ ଉପସ୍ଥିତ ଶଙ୍କର କୁମ୍ଭାର, ମଙ୍ଗଳା କୁମ୍ଭାର, ଚଞ୍ଚଳା କୁମ୍ଭାର, ସୁଶୀଳା କୁମ୍ଭାର, ଲଳିତା କୁମ୍ଭାର, ଦ୍ରୌପଦୀ କୁମ୍ଭାର, ଯଶିନ୍ତା ଲାକଡା, ପଞ୍ଚଦେଓ ଯାଦବ, ବଳରାମ ଯାଦବ, ଜନ ଲାକଡା, ବିଷ୍ଣୁ କୁମ୍ଭାର,ନରବେଟ ଲାକଡା, ସତ୍ୟବତୀ କୁମ୍ଭାର, ଶ୍ୟାମସୁନ୍ଦର ସିଂ, ରବି କୁମ୍ଭାର, ଭାରତୀ କୁମ୍ଭାର ଓ ଅନ୍ୟମାନେ ଘଟଣାର ତୀବ୍ର ନିନ୍ଦା କରିଥିଲେ । ଆଗାମୀ ଦିନରେ ଏହିଭଳି ଘଟଣାର ପୁନରାବୃତ୍ତି ନହେବା ଓ ଏହାର ସ୍ଥାୟୀ ସମାଧାନ ପାଇଁ ରାଉରକେଲା ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଇସ୍ପାତ କାରଖାନାର ଭାରପ୍ରାପ୍ତ ଡାଇରେକ୍ଟର, ସହରସେବା ବିଭାଗକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.