ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ସୁନାପୁରର ବିସ୍ତୀର୍ଣ୍ଣ ବେଳାଭୂମିରେ ଗତକାଲିଠାରୁ ଆରମ୍ଭ ହୋଇଛି ବେଳାଭୂମି ଇକୋ-ରିଟ୍ରିଟ୍ ମେଳା । ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଆସୁଅଛି । ବେଳାଭୂମି ପରିସରରେ ଜନ ଅରଣ୍ୟ ସାଂଗକୁ ପ୍ରାକୃତିକ ଓ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ମନଲୋଭା ହୋଇ ବେଳାଭୂମି ଅଞ୍ଚଳ ସରଗରମରେ ଦ୍ୱିଗୁଣିତ ପାଲଟିଛି । ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ସୁନାପୁରଠାରେ ଇକୋ-ରିଟ୍ରିଟ୍ର ତୃତୀୟ ସଂସ୍କରଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟିତ ହୋଇଛି । ଏହି ବିସ୍ତୀର୍ଣ୍ଣ ବାଲୁକା ରାଶିରେ ଅତ୍ୟାଧୁନିକ ଅସ୍ଥାୟୀ ତମ୍ବୁରେ ତାରକା ହୋଟେଲ ଭଳି ସୁବିଧା ରହିଛି । ଏହା ଡିସେମ୍ବର ପହିଲାରେ ଉଦ୍ଘାଟିତ ହୋଇ ଫେବୃଆରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ବୁକିଙ୍ଗ କରିବା ସୁବିଧା ରହିଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାଷନ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ବ୍ରହ୍ମପୁର ଏସିଏଫ୍ ପ୍ରଭାକର ନାୟକ, ଡେପୁଟି କମିଶନର ଏବଂ ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ବିନୋଦ କୁମାର ବେହେରା ମଞ୍ଚାସୀନ ଥିଲେ । ଚିକିଟି ବ୍ଲକ ଅଧ୍ୟକ୍ଷ ଆପନା ସେଠୀ, ଉପାଧ୍ୟକ୍ଷା ବି. ରେଣୁବାଳା ରେଡ୍ଡୀ, ଜନପ୍ରତିନିଧି ବୃନ୍ଦ, ଚିକିଟି ବିଡ଼ିଓ ପ୍ରମୋଦ କୁମାର ନାୟକ, ତହସିଲଦାର ବଳଦେବ ରଥ, ସାମ୍ବାଦିକ ବନ୍ଧୁ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ଇକୋ ରିଟ୍ରିଟ ପର୍ଯ୍ୟଟନ ବିଭାଗ ଓ ଇ ଫେକ୍ଟରର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଛି । ଜିଲ୍ଲାପାଳ ପରିଡ଼ା ସ୍ୱାଗତ ଭାଷଣ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏବଂ ପର୍ଯ୍ୟଟନ ଅଧିକାରୀ ବେହେରା ଧନ୍ୟବାଦ ଦେବା ସହ ମଞ୍ଚ ପରିଚାଳନା କରିଥିଲେ ।