୨୪୬ତମ ଜୟନ୍ତୀ ଉପଲକ୍ଷେ
– କୃଷ୍ଣଚନ୍ଦ୍ର ତ୍ରିପାଠୀ
ଗଞ୍ଜାମ ଓଡ଼ିଆ ଜାତିର ଗୌରବର ଲୀଳାକ୍ଷେତ୍ର ବୋଲି ସାହିତ୍ୟ ରସଗ୍ରାହୀ କହିଥାନ୍ତି । ଓଡ଼ିଶାର ସାହିତ୍ୟ ସଂଗୀତର ଗଞ୍ଜାମ ଆଦର୍ଶ । ଏହାର ପ୍ରାକୃତିକ ସଂପଦ ପ୍ରାଣ ସୁଖଦାୟକ ଯାହା ଭାବୁକମାନଙ୍କୁ ଅଭିଭୂତ କରେ । କବି ହୃଦୟ ନିର୍ମାଣରେ ମୌଳିକ ଉପାଦାନ ଯୋଗାଏ । ମହାକବି କାବ୍ୟ ମହାନାୟକ ମହା ଭାବୁକ ଉପେନ୍ଦ୍ରଙ୍କର ଜନ୍ମଭୂମି ଘୁମୁସର ଏହି ଗଞ୍ଜାମରେ । କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ରଙ୍କ ଜନ୍ମସ୍ଥାନ ଗଞ୍ଜାମର ଆଠଗଡ଼ରେ । ଯେଉଁଠି ଉକ୍ରଳ ଘଣ୍ଟ ଯଦୁମଣି ମହାପାତ୍ର ମଧ୍ୟ ଭୂମିଷ୍ଠ ହୋଇ ଅକ୍ଷୟ କୀର୍ତ୍ତି ରଖି ଯାଇଛନ୍ତି । ଭାଷାପ୍ରେମୀ ଗଞ୍ଜାମ ଜିଲ୍ଲାବାସୀଙ୍କ ଦେବତା କବିସୂର୍ଯ୍ୟ ବୋଲି ପ୍ରତିଭା ପୂଜକ ବିଚାର କରନ୍ତି । ଯେଉଁ କବିସୂର୍ଯ୍ୟଙ୍କର ଆଦେଶକୁ ଶିରୋଧାର୍ଯ୍ୟ କରି ଦେବୀ ବାଗୀଶ୍ୱରୀ ସରସ୍ୱତୀ ଲୀଳା ରଚନା କରିଥାନ୍ତି, ତାହାଙ୍କ ପଛରେ ଶବ୍ଦ କୁଳ ପାଗଳ ହୋଇ ଗୋଡ଼ାନ୍ତି, ଫଳତଃ ଶବ୍ଦ ଶିଳ୍ପକୁ ନେଇ ସାରସ୍ୱତ ସୁଖ ପ୍ରଦାନରେ ଅମର ଯଶସ୍ୱୀ ହୋଇଛନ୍ତି ବଳଦେବ ରଥ । ପ୍ରକୃତରେ ବାଣୀ ଭୃତ୍ୟା ପରି କବିଙ୍କର ବଶବର୍ତ୍ତିନୀ ହୋଇନଥିଲେ ଭାଷା ଓ ଭାବର ଏପରି ବିଚିତ୍ର ସମାବେଶ ହୋଇ ନଥାନ୍ତା ବୋଲି କବିସୂର୍ଯ୍ୟଙ୍କ ପ୍ରଥମ ଜୀବନୀ ସୃଜନୀ ସଂକଳକ କୁଳମଣି ଦାଶ ପଣ୍ଡିତ ଭାବ ଗଦ୍ଗଦ୍ କଣ୍ଠରେ ବର୍ଣ୍ଣନା କରିଛନ୍ତି । ରାଧାନାଥ ରାୟଙ୍କ ମନ୍ତବ୍ୟରେ “ଉକ୍ରଳ ସାହିତ୍ୟବିତ୍ମାନଙ୍କ ଠାରେ ଏ ମହାତ୍ମା କବିସୂର୍ଯ୍ୟ ବଳଦେବ ରଥ ସୁପରିଚିତ । ଏହାଙ୍କର ଗୀତାବଳୀ ଏ ଅଞ୍ଚଳରେ ପ୍ରାୟ ସର୍ବତ୍ର ଗାନ ହୁଏ, ବଳଦେବ ଜଣେ ସଂସ୍କୃତ ପଣ୍ଡିତ ଥିଲେ । ଏହାଙ୍କ ରଚନା ଅତି ବିଶୁଦ୍ଧ ଓ ସୁରୁଚି ସଂପନ୍ନ । ବଳଦେବ ଅନ୍ୟାନ୍ୟ ଉକ୍ରଳୀୟ କବିଙ୍କ ପରି ବ୍ୟାକରଣର ଅବମାନନା କରିନାହାନ୍ତି । ରୀତି କାବ୍ୟ ସାହିତ୍ୟର ଅନୁସାରୀ ଦ୍ୱିତୀୟ ଭଞ୍ଜ କଥିତ କବି ଘନଶ୍ୟାମ କବି ବଳଦେବଙ୍କ ଯଶୋଗାନ କରିଛନ୍ତି ।
କବିବରଙ୍କର କବିରବିଙ୍କୁ ପ୍ରଶଂସା ଚରମ ବିନ୍ଦୁରେ ପହଞ୍ଚିଛି ।
ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ,
ମୃତ୍ୟୁଞ୍ଜୟ ତୁମ୍ଭେ ଉକ୍ରଳ ଭୁବନେ ।
ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ,
ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ।
ବଳଦେବ ରଥ ଥିଲେ ସୁଦର୍ଶନ ପୁରୁଷ, ସୁଗାୟକ, ସୁପ୍ରଶାସକ, ଅସାଧାରଣ ପଣ୍ଡିତ୍ୟ ପତ୍ୟୁତ୍ପନ୍ନମତି ସଂପନ୍ନ ଆଶୁକବି ସୁଖ୍ୟାତ ସଂଗୀତଜ୍ଞ ଆର୍ଥିକ ସ୍ୱଚ୍ଛଳ ସଚ୍ଚରିତ୍ର କମନୀୟ ମଧୁର ନିରହଙ୍କାର ନିରାଡ଼ମ୍ବର ବାଣୀ ପୁରୁଷ ।
ମାତାମହ ଥିଲେ ଆଠଗଡ଼ର ସୁଖ୍ୟାତ ତାନ୍ତ୍ରିକ ଦେବୀ ସାଧକ ତ୍ରିପୁରାରି ହୋତା । ବଳଦେବଙ୍କ ଜନ୍ମ ହୋଇଥିଲା ଖ୍ରୀ.ଅ. ୧୭୭୯ ମାଘ ଶୁକ୍ଳ ପଞ୍ଚମୀରେ ଅଜାଘରେ ଆଠଗଡ଼ରେ । ଭଞ୍ଜ ଯୁଗ ଓ ରାଧାନାଥ ଯୁଗର ମଧ୍ୟବର୍ତ୍ତୀ ସନ୍ଧିକ୍ଷଣରେ ମାର୍ତ୍ତଣ୍ଡ ତୁଲ୍ୟ ଆବିର୍ଭୂତ ହୋଇଥିଲେ ସେ । ନଅ ବର୍ଷ ବୟସରେ ବ୍ରତ ଉପନୟନ ହୋଇଥିଲା ତାଙ୍କର । ବ୍ରତ ଉପନୟନ ପରେ ପରେ ମାଆଙ୍କୁ ହରାଇଥିଲେ ସେ ।
ଆଠଗଡ଼ରେ ମାତାମହଙ୍କ ଇଷ୍ଟଦେବୀଙ୍କ ସ୍ତନ ନିର୍ଗତ କ୍ଷୀର ପାନ ଫଳରେ ତାଙ୍କର ସ୍ମୃତି ଶକ୍ତି ମେଧା ବଳ ବୌଦ୍ଧିକ ସାମର୍ଥ୍ୟ ପ୍ରଖର ଓ ବଳିଷ୍ଠ ହୋଇଥିଲା । ବଳଦେବ ପନ୍ଦର ବର୍ଷ ବୟସରେ ପୁରୀ ବାସେଳି ସାହି ନିବାସୀ କଣାପରହାଟିଆ ରାମକୃଷ୍ଣ ମିଶ୍ରଙ୍କ ଅତି ରୂପବତୀ ଗୁଣବତୀ ଚାରୁଶୀଳା କନ୍ୟା, ରତ୍ନମଣିଙ୍କ ପାଣିଗ୍ରହଣ କରିଥିଲେ ।
ବଳଦେବ ଜଳନ୍ତର ରାଜା ଛୋଟରାୟଙ୍କ ରାଜସଭାରେ ଉପସ୍ଥିତ ରାଜାଙ୍କ ପାରିଷଦ କବି ପଣ୍ଡିତଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବା ମାତ୍ରେ ରାଜାଙ୍କ ସମେତ ସମସ୍ତେ ତାଙ୍କର ସୁଦର୍ଶନ ସୁନ୍ଦର ଆକର୍ଷଣୀୟ ବପୁ ବାକ୍ ବିଳାସ ବିଦ୍ବତ୍ତା ବିପୁଳ ସୁଖଦ ଲାଳିତ୍ୟଭରା କଣ୍ଠରେ ସୁରଚିତ ସଂଗୀତ ଗାନରେ ବିମୁଗ୍ଧ ବିଦଗ୍ଧ ହୋଇପଡ଼ିଥିଲେ । ଉଚ୍ଚାରଣରେ ସ୍ପଷ୍ଟତା ଓ ବିଶୁଦ୍ଧତା ସହ ଆଚରଣରେ ନମ୍ରତା ବ୍ୟକ୍ତି ବିଶେଷରେ ଶ୍ରଦ୍ଧା ସମ୍ମାନର ରମଣୀୟ ରୋଚକ ଭଙ୍ଗୀରେ ରାଜା ଓ ରାଜସଭା ଆହ୍ଲାଦିତ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଥିଲେ । ଚେହେରା ଓ ଚରିତ୍ରରେ ଉକ୍ରର୍ଷ ବୈଶିଷ୍ଟ୍ୟ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲା । ଉଚ୍ଚାଙ୍ଗ ଉଚ୍ଚାରଣ ଅସୀମ ଜ୍ଞାନ ସତ୍ତେ୍ୱ ବିନୟ ଆଚରଣ ସୁମଧୁର କଣ୍ଠରେ ନୂଆ ନୂଆ ରଚନା ସଂଗୀତ ଗାନରେ ରାମଚନ୍ଦ୍ର ଛୋଟରାୟଙ୍କ ରସପିପାସୁ ହୃଦୟକୁ ଜିଣିନେଲେ ବଳଦେବ । ସଂଗୀତ ଗୁଡ଼ିକ ନିଜେ ଲେଖି ରାଜାଙ୍କ ନାମରେ ଭଣତି କରି ସେ ନିଜର ଚମତ୍କାର କବିତ୍ୱ ରାଜାଙ୍କୁ ପ୍ରଦର୍ଶନ କରିବା ତଥା ପ୍ରତିଷ୍ଠିତ ପ୍ରାଚୀନ ସଂସ୍କୃତ ଓଡ଼ିଆ କବିଙ୍କ କାବ୍ୟକୃତି ସଂଗୀତ ସରଳ ବ୍ୟାଖ୍ୟାରେ ଉତ୍କର୍ଷ ସୂଚାଇବାରେ ରାଜାଙ୍କ ଅତି ଶ୍ରଦେ୍ଧୟ ଅତି ସମ୍ମାନନୀୟ ହେଲେ ବଳଦେବ । ରସିକ ରାଜା ତାଙ୍କ ଶିରରେ ଶ୍ରୀ ସଂପଦ ଅଜାଡ଼ି ଦେଲେ । କବି ବଳଦେବ ବ୍ରାହ୍ମଣ ହେଲେ ହେଁ ରାଜକୀୟ ସକଳ ସୁଖ ସୁବିଧା ଭୋଗ କଲେ । ରାମଚନ୍ଦ୍ର ଛୋଟରାୟ ତାଙ୍କୁ ଦେବାନ୍ ସର୍ବୋଚ୍ଚ ପ୍ରଶାସକ ପଦରେ ଅଧିଷ୍ଠିତ କରିଲେ । ପାଳିତ କନ୍ୟା ଚନ୍ଦ୍ରକଳାର ଗୃହଶିକ୍ଷକ ହେଲେ କବି ବଳଦେବ । ଜଳନ୍ତରର ରାଜବାଟୀ ଠାରୁ ରାଜପଥ ଯାଏଁ ସମଗ୍ର ଭୂଖଣ୍ଡ ସଂଗୀତ ରସମୟ ହେଲା । ବଳଦେବ ସକଳ ସୁଖ ସୁବିଧା ସୁଯୋଗ ଭୋଗ କରି ସୁଦ୍ଧା ଥିଲେ ସରଳ ନିରାଡ଼ମ୍ବର ନିର୍ଲୋଭ, ନିରହଙ୍କାର, ସଚ୍ଚରିତ୍ର, ସର୍ବଗୁଣ ସଂପନ୍ନ ଆଦର୍ଶ ପୁରୁଷ । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କଲେ । ଅପୂଜା ଦେବୀଙ୍କ ପାଇଁ ରୀତିମତ ଭୋଗ ଖଞ୍ଜିଦେଲେ । ଜବରଦଖଲ ଭୂମିକୁ ରାଜ ଦଖଲକୁ ଆଣିଲେ । ସମାଜ ସେବା ଅନୁଷ୍ଠାନ ଗଢ଼ିଲେ । କୃଷି ଗମନାଗମନ ପଥର ଆବଶ୍ୟକ ସୁବିଧା ସୁଯୋଗ ଜଳନ୍ତର ପ୍ରଜାଙ୍କୁ ଯୋଗାଇଦେଲେ । ପୁଷ୍କରିଣୀ ଖୋଳାଇଲେ । କୃଷକ ଶ୍ରମିକ ଶ୍ରେଣୀ ବିଶେଷ ଉପକୃତ ହେଲେ । ବଳଦେବଙ୍କୁ ଅନୁରୋଧ କଲେ ରାଜା- ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ ଅନୁସରଣରେ କାବ୍ୟ ଲେଖିବା ପାଇଁ । ଦରବାରୀ ସାହିତ୍ୟ ପ୍ରତି ବଳଦେବଙ୍କ ଶ୍ରଦ୍ଧା ସ୍ପୃହା ନଥିଲେ ମଧ୍ୟ ରଚନା କଲେ ରସପ୍ରାଣମୟ କାବ୍ୟ ଚନ୍ଦ୍ରକଳା । କବି ବଳଦେବ ପାଣ୍ଡିତ୍ୟ ଓ କବିତ୍ୱର ପ୍ରଭାବ ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟଙ୍କୁ ବେଳକୁ ବେଳ ଅତିଶୟ ମାତ୍ରାରେ ରସସୁଖ ପ୍ରଦାନ କରିବାରେ ବଳଦେବଙ୍କୁ ତରୁଣ କାବ୍ୟ ସାହିତ୍ୟ ସୁରସିକ ନରେଶ ରାମଚନ୍ଦ୍ର ଛୋଟରାୟ କବିସୂର୍ଯ୍ୟ ଉପାଧିରେ ଭୂଷିତ କରି ବିପୁଳ ସମ୍ବର୍ଦ୍ଧନାରେ ଯୁଗାନ୍ତକାରୀ ରସିକତାର ପ୍ରମାଣ ରଖିଲେ । ଗଜପତିଙ୍କ ଠାରୁ କବିସୂର୍ଯ୍ୟ ଉପାଧି ସହ ରାୟଗୁରୁ ମହାପାତ୍ର ଅତିରିକ୍ତ ଉପାଧି ଦତ୍ତ ସନନ୍ଦ ଗ୍ରହଣ କରିଛନ୍ତି ।
ସନନ୍ଦ
ଶ୍ରୀ ଶ୍ରୀ ମୁକୁନ୍ଦଦେବଙ୍କ ୨୩ ଅଙ୍କ ବିଚ୍ଛାମାସ ପନ୍ଦରଦିନ ଶ୍ରୀ ପୁରୁଷୋତ୍ତମ ବଡ଼ଦେଉଳ ସମସ୍ତ ପରିଚ୍ଛାମାନଙ୍କୁ ସମସ୍ତ କାର୍ଯୀମାନଙ୍କୁ ସମସ୍ତ ସେକମାନଙ୍କୁ ଅଠରଗଡ଼ଜାତର ମହାନାୟକମାନଙ୍କୁ ଷୋହଳ ଶାସନ ବ୍ରାହ୍ମଣମାନଙ୍କୁ ସାତ ସାହି ନାୟକମାନଙ୍କୁ ମଧ୍ୟ ଚିଟାଉ । ଆଠଗଡ଼ ନିବାସୀ ବଳଦେବ ରଥଙ୍କୁ କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ପଦ ସୁନାବେଣ୍ଟ ଚାମର, ଯୋଡ଼ା ମଶାଲ, ଘୋଷରା ପାବଚ୍ଛ ଯାଉଳି କବାଟ ମଗର ମୂଲ୍ୟ ପାଲିଙ୍କି ଓ ଚାଦର ଆଢେ଼ଣୀ ତ୍ରାସ ପୃଥକ୍ ନମସ୍କାର ଖୀଳ ମିତ ଘର ବୈଠକ ଘର ଛାଡ଼, ଏପରି ସମସ୍ତ ପ୍ରତିଷ୍ଠା କାର୍ଯ୍ୟମାନଙ୍କୁ ଶ୍ରୀ ଶ୍ରୀ ଶ୍ରୀ ଛାମୁରୁ ଆଜ୍ଞା ହୋଇଥିବାରୁ ଆଜି ତାରିଖ ଆଜ୍ଞା ଅନୁସାରେ ଲେଖିବାକୁ ହୋଇଲା ।
ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାରରୁ ସୁନାବେଣ୍ଟ ଚାମରରେ ଖଟାଇବ । ଚାଙ୍ଗୁଡା ଘରୁ ଗୀତ ଗୋବିନ୍ଦ ଖଣ୍ଡୁଆ ଗୋଟିଏ ଲେଖାଏଁ ଦେଉଥିବ । ଏହାକୁ ଉତ୍ତମ ରୂପେ ଦର୍ଶନ କରାଇ ଦେଉଥିବ । ବାକି ବିଷୟ ଛାମୁଙ୍କ ଚିଟାଉ ମତେ ପୁରୁଷାନୁକ୍ରମେ କରୁଥିବ । ଆକଟ ନ କରିବ ।
ଅଗଣିତ ସଂଗୀତ ଚଉପଦୀ ଜଣାଣ ନୂଆ ନୂଆ ରଚନା କରି ସାହିତ୍ୟ ସଭାରେ ଗାନ କଲେ- କବି ରବି, ସମସ୍ତ ସଂଗୀତ ରଚନାକୁ ଲଳିତ ମଧୁର କଣ୍ଠ ସୁଧା ବର୍ଷା ମୂର୍ଚ୍ଛନାରେ ପରିବେଷଣ କରୁଥିଲେ – ସୁପରିଚିତ ସୁପ୍ରତିଷ୍ଠିତ ସୁଖ୍ୟାତ ସଂଗୀତଜ୍ଞ ମଦନ ମଣି, ରାଜମଣି, ନାରାୟଣ ଜେନା ।
କାଳଜୟୀ ସୃଷ୍ଟି କୃଷ୍ଟି କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ବୈଷ୍ଣବଧର୍ମୀ ରାଜା ବାଲୁକେଶ୍ୱରଙ୍କ ଅଭିପ୍ରାୟ ଅନୁରୋଧରେ ଆଠଗଡ଼ ମାଟିରେ ରଚନା କଲେ । ଭଣତି କଲେ ହରିଚନ୍ଦନ ଜଗଦ୍ଦେବଙ୍କ ନାମରେ, ଯାହା ଆଜି ଉତ୍କଳର ଘରେ ଘରେ ପୁରେ ପୁରେ ଅତି ପ୍ରିୟ ଆପଣାର ଆଦରଣୀୟ ହୋଇପାରିଛି । ସଂଗୀତଜ୍ଞ ମାନେ କବିସୂର୍ଯ୍ୟଙ୍କ ଚମ୍ପୂ ଗାନ କରି ସହୃଦୟ ସଙ୍ଗୀତ ସୁଗ୍ରାହକଙ୍କୁ ଅପାର ଆନନ୍ଦ ଦେଉଛନ୍ତି । ଯେତେଥର ଶୁଣିଲେ ମଧ୍ୟ ସଂଗୀତଜ୍ଞଙ୍କ କଣ୍ଠରୁ ବାରମ୍ବାର ଶୁଣିବାକୁ ଉକ୍ରଳଭାଷୀ ଶ୍ରୋତା ଉଦ୍ଗ୍ରୀବ ଆତୁର ହୋଇଉଠେ ।
ସର୍ପ ଜଣାଣ ବ୍ୟତୀତ ଜଗନ୍ନାଥ ଜଣାଣ, କ୍ଷୀରମୟ ସିନ୍ଧୁ ଜେମା ଜୀବ ବନ୍ଧୁ, ମହାବାହୁ ଜଣାଣ, କମଳବାସିନୀ ପ୍ରାଣ ବାନ୍ଧବ ହେ ଆର୍ତ୍ତତ୍ରାଣ କମନୀୟ କଳା ମୁଖଚନ୍ଦ୍ର କେ ସରିକି ପ୍ରଭୋ ପଣେ ନୀଳାଦ୍ରି କେଶରୀ ଜଣାଣରେ ସାହିତ୍ୟ ଓ ସଂଗୀତର ଅପୂର୍ବ ସମାବେଶ ସୃଷ୍ଟି କରିଛନ୍ତି କବିସୂର୍ଯ୍ୟ । ତାଙ୍କର ଅତି ଲୋକପ୍ରିୟ ସଂଗୀତ ଚଉପଦୀଗୁଡ଼ିକ ହେଲା- “ମାନ ସୁମନା କରିବେ ମାନସୁ ମନାରେ’, “ବାରିଜାକ୍ଷୀ ମନରୁ ମାନ ବାରିବେ’, “ଆଜ ଏ କି ଗୁମାନରେ ଚନ୍ଦ୍ରାନନା ଦେଖିନାହିଁ ମୁଁ ସପନରେ’, “ତୁହି ପରା ମୋ ହୃଦୟ ମଣିମୟ ହାରା’, “କାହାକୁ କହିବା କପାଳରେ ସିନା କର ମାରିବା’, “ସରସେ କୁହାଯାଉଥିବ ସିନା’, “ବନ୍ଧୁକି କଲି ଦୁର୍ବିଚାରକୁରେ’, “ସରିଯାଉଛିରେ ଏହିଠାରୁ ମନୋରଥ’, “କଳା କଉତୁକ ତୁଳା ଦଳିତ ନୀଳ କୁନ୍ତଳା’, “ଚନ୍ଦ୍ରମୁଖୀରେ ଏକା ଭାଗ୍ୟବନ୍ତେ ତାକୁ ଲେଖିରେ’, “ପ୍ରିୟ ସହି ଏତେବେଳୁଁ ଥାଅ ମୋତେ କହିରେ’, “ଚାହିଛି ମାତ୍ର ଶ୍ୟାମ ଶିଖଣ୍ଡଗୋ ସଖୀ ମୁଁ”, “ଧନ୍ୟ ହେ ନବ କିଶୋର ସତୀ ଧୃତି ଧନ ଚୋର’, “ରେ ସଙ୍ଗାତ ଋଷି ମୁଁ ବସିଲି ଗେଲେ’ ଇତ୍ୟାଦି । ସଂଗୀତ ଚଉତିଶାଗୁଡ଼ିକ କେତେ ନିଜ ନାମରେ ଆଉ କେତେ ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ନାମରେ, ଗଜପତି ମୁକୁନ୍ଦ ଦେବଙ୍କ ନାମରେ ବିଶେଷତଃ ଅଷ୍ଟଦୁର୍ଗ ନୃପବର ବାଲୁକେଶ ହରିଚନ୍ଦନଙ୍କ ନାମରେ ଭଣତି କରି କବିସୂର୍ଯ୍ୟ କାଳକାଳକୁ କବିସୂର୍ଯ୍ୟ ହୋଇ ରହିଛନ୍ତି । ତାଙ୍କର ଓଡ଼ିଆ ଜାତି ଧରାପୃଷ୍ଠରେ ଥିବା ଯାଏଁ ଅସ୍ତ ହେବନାହିଁ ।
ଅନାୟାସରେ ପ୍ରାଣ ଛାଡ଼ିଲେ ସେ ଖ୍ରୀ.ଅ.୧୮୪୫ ମସିହା ପୁଣ୍ୟ ବୈଶାଖ ମାସର ଅକ୍ଷୟ ତୃତୀୟ ତିଥିରେ – ବାଲାଜୀପେଣ୍ଠ ବ୍ରହ୍ମପୁର ବାସଭବନରେ ପ୍ରାଣପ୍ରିୟା ରତ୍ନମଣିଙ୍କ କୋଳରେ ପୁତ୍ର ବିଶ୍ୱନାଥଙ୍କ ହାତରୁ ନିର୍ମାଲ୍ୟ ଜଳପାନ କରି । ଆଠଗଡ଼ ରାଜା ହରିଚନ୍ଦନ ଶୋକ ସାଗରରେ ବୁଡ଼ିଗଲେ । କବିସୂର୍ଯ୍ୟଙ୍କ ମରଶରୀର ଆଠଗଡ଼ ନେଇ ରାଜକୀୟ ସମ୍ମାନ ଦେଇ ଆଠଗଡ଼ ମାଟିରେ ଚିତାନିର୍ମାଣ କରି ନଶ୍ୱର ଶରୀରକୁ ପଞ୍ଚମହାଭୁତରେ ମିଶାଇ ଦେବାର ସକଳ ବ୍ୟବସ୍ଥା କରି କବିସୂର୍ଯ୍ୟଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରିଥିଲେ । କବିରବିଙ୍କ ବିଶୁଦ୍ଧ ଭାଷା ଓ ଭାବର ସମନ୍ୱୟରେ ସୃଷ୍ଟ ସଂଗୀତ ସାହିତ୍ୟ କୃତିରେ ବିମୁଗ୍ଧ କବିବର ରାଧାନାଥ ରାୟ ହୃଦୟସ୍ପର୍ଶୀ ଶବ୍ଦ ସୁଖ ଦେଇ ପ୍ରାକୃତିକ ପ୍ରଶଂସା କରିଥିଲେ ।
ଲୁଣିଘାଟୀ ଗୋପୀନାଥପୁର ଶାସନ,ପୋଲସରା, ଗଂଜାମ
ସଂପର୍କ: ୮୭୬୩୪୭୪୩୮୮