ଭବାନୀପାଟଣା ଠାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ଆଜି ଭାବନୀପାଟଣା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦିଶା କମିଟି ଉପାଧ୍ୟକ୍ଷ ରାଜ୍ୟସଭା ସଭ୍ୟ ସୁଜିତ୍ କୁମାର, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ମୌଶଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସୁଧିରା ମେହେର, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ସିଡ଼ିଓ ଜିଲ୍ଲା ପରିଷଦ ସଚିନ ପାୱାର, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ବୈଠକରେ ସମସ୍ତ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ଜୁନାଗଡ, କେସିଙ୍ଗା, ଧର୍ମଗଡ ଏନ୍‌ଏସି ଅଧ୍ୟକ୍ଷ, ଭବାନୀପାଟଣା ପୌର ପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଏବଂ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ପ୍ରଥମେ ଜିଲ୍ଲାପାଳ ଦିଶା ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇ ଜନ ପ୍ରତିନିଧିଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଦିଶା ଅଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚର ମୂଲ୍ୟାଙ୍କନ, ବିଭିନ୍ନ ସ୍କିମ୍‌ର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତାର କାରଣ ଓ ତର୍ଜମା ଉପରେ ଆଲୋଚନା କରିବାପାଇଁ କହିବା ସହ ଏଜେଣ୍ଡା ପାଠ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ କହିଥିଲେ । ବୈଠକରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ସ୍କିମ୍ ମନରେଗା, ଦିନ ଦୟାଲ ଅନ୍ତୋଦୟ ଯୋଜନା, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍‌ଏସ୍‌ଏପି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର), ଜାତୀୟ ପାନୀୟ ଜଳ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍‌ଏଚ୍‌ଏମ୍‌, ଆଇସିଡ଼ିଏସ୍, ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା, କୃଷି ସ୍ୱାସ୍ଥ୍ୟ କାର୍ଡ, କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଏହି ଉପରୋକ୍ତ ସ୍କିମ୍‌ରେ ଲାଭ ପାଉଥିବା ହିତାଧିକାରୀ, ସ୍କିମ୍‌ର ଅଗ୍ରଗତି, ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ ହେବା ଉପରେ ସମୀକ୍ଷା କରିଥିଲେ । ବିଧାୟକ ଜୁନାଗଡ ଶ୍ରୀ ମିଶ୍ର ଜିଲ୍ଲାରେ ଏହି ଯୋଜନାର ସଫଳତା ହାସଲ ପାଇଁ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ଓ ଜନ ପ୍ରତିନିଧି ନିଜ ଅଞ୍ଚଳର ବିକାଶ ପାଇଁ ଆଗଭର ହୋଇ ବିଭାଗୀୟ ଅଧିକାରୀଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ସମନ୍ୱୟ ରଖିବାକୁ କହିଥିଲେ ।

ଜିଲ୍ଲାରେ ମନରେଗା ଯୋଜନାରେ ୧୩ଟି ବ୍ଲକରେ ୭୭ଟି ଅମୃତ ସରୋବର ଖନନ ଲକ୍ଷ୍ୟ ଧାର୍ଯ୍ୟରୁ ଏପର୍ଯ୍ୟନ୍ତ ୧୨ଟି ଶେଷ ଏବଂ ୫୬ଟି କାର୍ଯ୍ୟ ଆରମ୍ଭ ହୋଇଅଛି ଏବଂ ୩୫୦୨ଟି ରାସ୍ତା ଅନୁମୋଦନ ହୋଇ ୧୩୮୯ଟିର କାର୍ଯ୍ୟ ଆରମ୍ଭ ହୋଇଛି । ସେଭଳି ଗ୍ରାମ୍ୟ ରାସ୍ତା ସଂଯୋଗିକରଣରେ ୧୪୫୩ଟି ଅନୁମୋଦିତ ହୋଇ ୧୫୬ଟି ଶେଷ ହୋଇଛି । ସେଭଳି ଜାତୀୟ ସାମାଜିକ ସହାୟତା ଯୋଜନାରେ ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତା ୫୪୨୯୫, ବିଧବା ଭତ୍ତା ୨୨୪୨୦, ଦିବ୍ୟଙ୍ଗ ଭତ୍ତା ୩୬୮୦ ମୋଟ ୮୦୩୯୫ ହିତାଧିକାରୀଙ୍କୁ ଓ ଜାତୀୟ ପରିବାର ଭତ୍ତା ୭୯୨ ଜଣଙ୍କୁ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧୦୧୯୭୧ ଲକ୍ଷ୍ୟ ଧାର୍ଯ୍ୟରୁ ୯୧୦୭୪ ଜଣଙ୍କୁ ଘର ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀରେ ଭବାନୀପାଟଣା, ଜୁନାଗଡ, ଧର୍ମଗଡ, କେସିଙ୍ଗା ଏନଏସି ଅଞ୍ଚଳରେ ୫୩୮୩ ଲକ୍ଷ୍ୟ ଧାର୍ଯ୍ୟରୁ ୨୯୩୫ ଜଣଙ୍କୁ ଘର ଆବଣ୍ଟନ କରାଯାଇଛି । ତା.୭.୧୦.୨୦୨୨ ସୁଦ୍ଧା ମେଗା ପାଇପ ପାନୀୟ ଜଳ ପ୍ରକଳ୍ପରେ ୫୪୬ଟି ଗ୍ରାମକୁ ପୂରଣ କରାଯାଇଛି । ୨୦୨୨ ସୁଦ୍ଧା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ୨୫୦୦୦ ଲକ୍ଷ୍ୟ ଧାର୍ଯ୍ୟରୁ ୧୧୮୩୦ ବଣ୍ଟନ କରାଯାଇଛି । ଜିଲ୍ଲାରେ ତଥ୍ୟ ଅନୁଯାୟୀ ଅନୁମୋଦିତ ଡାକ୍ତର ସଂଖ୍ୟା ୪୦୦ରୁ ୧୬୬, ଆୟୁଷ ଡାକ୍ତର ୫୫ରୁ ୨୬, ଷ୍ଟାଫ ନର୍ସ ୨୫୩ରୁ ୧୬୦, ଫାର୍ମାସିଷ୍ଟ ୧୧୨ରୁ ୮୭ ଏବଂ ବିଶେଷଜ୍ଞ ଡାକ୍ତର ୧୦୭ରୁ ୩୭ ଜଣ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନାରେ ୨୪୩୮୪୬ଙ୍କ ହିତାଧିକାରୀ ମଧ୍ୟରୁ ୨୨୬୮୫୦ ପ୍ରାୟ ୯୩ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇଛି । ବୈଠକରେ ଦୁର୍ଗମ ଅଞ୍ଚଳରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ ରାମପୁର ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା, ଭବାନୀପାଟଣା ବାଇପାସ୍ ରୋଡ, ଟିଟିଲାଗଡ ବିଜୟନଗରମ ତୃତୀୟ ରେଳପଥ ପାଇଁ ଜମି ଅଧିଗ୍ରହଣ, ଧାନ ସଂଗ୍ରହ, ଫସଲ ବୀମା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ରାଜ୍ୟସଭା ସଦସ୍ୟ ତଥା ଉପାଧ୍ୟକ୍ଷ ଦିଶା କମିଟି ସୁଜିତ୍ କୁମାର ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.