ଦକ୍ଷିଣ ରାଉରକେଲା ସମସ୍ୟା ନେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ବିଭିନ୍ନ ସମସ୍ୟା ନେଇ ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିଲିପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦକ୍ଷିଣ ରାଉରକେଲାର ସ୍ବାସ୍ଥ୍ୟ, ପାଣି, ବିଦ୍ୟୁତ, ରାସ୍ତାଘାଟ, ନାଳସଫା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ପୂର୍ବରୁ ଏଠାରେ ଥିବା ଡାକ୍ତରଖାନାକୁ ସ୍ପେସାଲିଷ୍ଟ ଡାକ୍ତରମାନେ ଆସୁଥିବା ବେଳେ ତାହା ଏବେ ଆଉ ନାହିଁ । ଔଷଧ ମଧ୍ୟ ମିଳୁନାହିଁ । ସେହିପରି ପାଣି ନିୟମିତ ଆସୁନାହିଁ । କେତେକ ବ୍ଲକରେ ପାଇପ ବିଛା ହୋଇଥିଲେ ହେଁ ୬ ମାସରୁ ଉର୍ଦ୍ଧ୍ବ ହେବ ପାଣି ସଂଯୋଗ ନାହିଁ । ରାସ୍ତା ଘାଟ ବିପର୍ଯ୍ୟସ୍ତ ହୋଇପଡିଛି । କେତେକ ସ୍ଥାନରେ ଆଣ୍ଠୁଏ ଯାଏ ଖାଲ ହୋଇ ପାଣି ଜମି ରହୁଛି । ଗର୍ତ୍ତ ଯୋଗୁଁ ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁଛି । ବିଭିନ୍ନ ବ୍ଲକର ରାସ୍ତା ଶୋଚନୀୟ ହୋଇପଡ଼ିଛି । ଷ୍ଟ୍ରିଟ ଲାଇଟ୍ ଜଳୁନାହିଁ । ନାଳ ନର୍ଦ୍ଦମା ସଫା ହେଉନାହିଁ । ଏପରି ଅବ୍ୟବସ୍ଥାକୁ ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ସର୍ବଶ୍ରୀ ରାଜକିଶୋର ମାନସିଂ, ଆଲିଆସ ଟେଟେ, ମୁରଲୀ ଗୌଡ, ଚାନ୍ଦମଣି ନାୟକ, ଶ୍ରୀନାଥ ନାୟକ, ସୁକାନ୍ତ ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଏହି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ସଂଘ ସଭାପତି ଓ ସଂପାଦକ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଟିମ୍ ବିଭାଗୀୟ କତ୍ତୃପକ୍ଷଙ୍କୁ ଭେଟିବା ଓ ସ୍ମାରକପତ୍ର ଦେବା ପାଇଁ ସ୍ଥିର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଦାଶ, ସୁଧାକର ମଲ୍ଲିକ, ବିଷ୍ଣୁ ନାୟକ, ନାରାୟଣ ନାୟକ, ଉଦିତ ଅମାତ, ହାରାଧନ ସିଂ, ଶ୍ରୀଧର ସେଠୀ, ନବକିଶୋର ଜେନା, କ୍ଷେତ୍ରମୋହନ ସାମଲ, ଗୋପାଳ କୃଷ୍ଣ ରଥ, ପଦ୍ମଲୋଚନ ଡୋରା, ରାହାସ ବିହାରୀ ଧଳ, ପ୍ରମୋଦ ବେହେରା, ଟି.ଏନ୍ .ରାଓ, ଏସ୍ .ସି.ଚୌଧୁରୀ, ଶରତ ପରିଡା, ପ୍ରକାଶ ସାମନ୍ତରାୟ ଓ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଶେଷରେ ଚାନ୍ଦମଣି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.