ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ରାଜ୍ୟ ବ୍ୟାଡ ମିଣ୍ଟନ ଡେଭଲପମେଣ୍ଟ କମିଟି ବୈଠକ ସ୍ଥାନୀୟ ପାରାଡାଇଜ ପ୍ୟାଲେସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଯୁବ ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ । ସଭାର ବିଶେଷ ଆକର୍ଷଣ ଭାବେ ଭାରତୀୟ ସିନିୟର ଦଳର ବ୍ୟାଡମିଣ୍ଟନ କୋଚ ସଚୀନ ରାଣା ଓ ଲଣ୍ଡନ ଅଲମ୍ପିକ ପେନାଲ କୋଚ ଏମ୍.ଭି. ମୁରଲି କ୍ରିଷ୍ଣାନ ତଥା ରାଜ୍ୟ ସଂଘ ସଂପାଦକ ନିଲିନ କୁମାର ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ହୋଇଥିବା ଏହି ସଭାରେ ସମରେନ୍ଦ୍ର ମିଶ୍ର ଆସନ୍ତା ନଭେମ୍ବର ୧୭ ତାରିଖରେ ବଲାଙ୍ଗିର ଠାରେ ଜାତୀୟ ଚମ୍ପିୟାନସିଫ୍ ଆୟୋଜନ କରାଯିବା ନେଇ ଘୋଷଣା କରିଥିଲେ । ସେ ନିଜ ବକ୍ତବ୍ୟରେ ଏଥି ପାଇଁ ଭାରତୀୟ ବ୍ୟାଡ ମିଣ୍ଟନ ସଂଘ (ବାଇ), ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇବା ସହ ଏହି ଆୟୋଜନ ଫଳରେ ଓଡିଶାରେ ଥିବା ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କର ଖେଳରେ ଆହୁରି ଉତ୍କର୍ଷତା ଆସିବ ବୋଲି କହିଥିଲେ । ଭାରତୀୟ ଦଳର କୋଚ ସଚିନ ରାଣା ଛୋଟ ସହରରୁ ହିଁ ଆନ୍ତର୍ଜାତୀୟ ପ୍ରତିଭା ବାହାରିବା ଅନେକ ଉଦାହରଣ ଅଛି ଏବଂ ବଲାଙ୍ଗିରରେ ତାର ଭିତ୍ତିଭୂମି ପଡିସାରିଛି । ଆଗାମୀ ଦିନରେ ବଲାଙ୍ଗିରରେ ହେବାକୁ ଥିବା ଏହି ଚମ୍ପିୟାନସିପ ଓଡିଶାରୁ ଆନ୍ତର୍ଜାତୀକ ଖେଳାଳୀ ସମ୍ଭାବନା ସୃଷ୍ଟିକରିପାରେ ବୋଲି କହିଥିଲେ । କୋଚ ଏମ୍. ଭି. ମୁରଲି କ୍ରିଷ୍ଣାନ୍ ନିଜ ବକ୍ତବ୍ୟରେ ବଲାଙ୍ଗିର ନିର୍ମାଣଧିନ ଇନଡୋର ଷ୍ଟାଡିୟମ ଜାତୀୟ ସ୍ତରର ଏବଂ ଏହା ଆଗାମୀ ଦିନରେ ଆନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି କରିବ ବୋଲି କହିଥିଲେ । ଏଥି ପାଇଁ କେବଳ ସରକାର, ରାଜ୍ୟ ସଂଘ, ଅଭିଭାବକ ଓ ଖେଳାଳୀମାନଙ୍କ ଭିତରେ ଏକ ଶୃଙ୍ଖଳିତ ଉଦ୍ୟମ ଆବଶ୍ୟକ ହେବ ବୋଲି ମତବ୍ୟକ୍ତି କରିଥିଲେ । ବଲାଙ୍ଗିରରେ ୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଣ୍ଟ ଚମ୍ପିୟାନସିଫ୍ ହେବାର ନିଷ୍ପତ୍ତି ଭାରତୀୟ ବ୍ୟାଡମିଣ୍ଟନ ସଂଘ ତାର ନିଜ ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନିତ କରିସାରିଥିବାରୁ ଓଡିଶା ଖେଳାଳୀ ଓ ଜନସାଧାରଣଙ୍କ ପାଇଁ ଏକ ନିଶ୍ଚିତ ଭାବେ ଖୁସିର ଖବର । ଏହାକୁ ସଫଳତା ସହ ଆୟୋଜନ କରାଯିବ ବୋଲି ରାଜ୍ୟ ସଂଘ ସଂପାଦକ ନିଲିନ କୁମାର କହିଥିଲେ । ରାଜ୍ୟରେ ବ୍ୟାଡମିଣ୍ଟନର କିଭଳି ଆହୁରି ବିକାଶ ହୋଇପାରିବ ଏବଂ ଜାତୀୟ ଅନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି ହୋଇପାରିବେ ସେ ଉପରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଘମାନଙ୍କ ସହ ଜାତୀୟ କୋଚ ସଚିନ ରାଣା ମତ ବିନୀମୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଟିପିର ପ୍ରଦିପ ପିଲ୍ଲେ, ସଂଘର କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି, ସହ ସଂପାଦକ ସନ୍ଦିପ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।