om academy

ଆଜି ପବିତ୍ର ବଡ଼ଦିନ : ଖ୍ରୀଷ୍ଟିୟ ସମାଜରେ ହର୍ଷୋଲ୍ଲାସ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବଡ଼ଦିନ ଅବସରରେ ସାରା ଖ୍ରୀଷ୍ଟିୟ ସମାଜରେ ଆଜି ଆନନ୍ଦ ଉଲ୍ଲାସର ମାହୋଲ୍‌ ସୃଷ୍ଟି ହୋଇଛି । ଖ୍ରୀଷ୍ଟ ଧର୍ମର ଜନକ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ବଡ଼ଦିନ ଭାବରେ ବଡ଼ ଧୁମ୍‌ଧାମ୍‌ରେ ସାରା ବିଶ୍ୱରେ ପାଳନ କରାଯାଉଛି । ପରସ୍ପର ପ୍ରତି ପ୍ରେମ, ସଦ୍‌ଭାବ ରକ୍ଷା କରାଯାଇ ପାରିଲେ ବିଶ୍ୱ ଶାନ୍ତି, ମୈତ୍ରୀର ଏକ ପବିତ୍ର ସ୍ଥାନରେ ପରିଣତ ହୋଇ ପାରିବ ବୋଲି ସମସ୍ତ ଧର୍ମ ପ୍ରଚାରକ ତଥା ଧର୍ମଗ୍ରନ୍ଥ ଦ୍ୱାରା ବିଶ୍ୱାସ ରହିଛି ।

ଭାରତରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ହିନ୍ଦୁ, ମୁସଲ୍‌ମାନ, ଖ୍ରୀଷ୍ଟିଆନ୍‌, ଶିଖ୍‌, ସାଇ…. ସମସ୍ତେ ନିଜ ନିଜ ଧର୍ମର ଆଦର୍ଶକୁ ପାଳନ କରନ୍ତି । କିନ୍ତୁ ଏହା ଚରମ ଓ ପରମ ସତ୍ୟ ଯେ, ସବୁ ଧର୍ମର ମୁଖ୍ୟ ବୋଧଭୂଇଁ ମାନବିକତାକୁ ବଳବତ୍ତର କରିବାର ଆଭିମୁଖ୍ୟରେ ଉର୍ବର । ମଣିଷ ଭିତରେ ମଣିଷପଣିଆ ରହିବାକୁ ସଦା ସଦ୍‌ମନ୍ତ୍ର ପ୍ରଦାନ କରିଥାଏ ପ୍ରତ୍ୟେକ ଧର୍ମ । ଦୟା, କ୍ଷମା, ସଦ୍‌ଭାବ ଓ ପ୍ରେମକୁ ମଣିଷ ଭିତରେ ଉଜ୍ଜୀବିତ କରି ଗଢ଼ି ତୋଳିବା ନିମନ୍ତେ ଭିନ୍ନ ଭିନ୍ନ ଭଙ୍ଗିରେ ସମସ୍ତ ଧର୍ମରେ କୁହାଯାଇଛି । ସର୍ବୋପରି କହିବାକୁ ଗଲେ, ପ୍ରତ୍ୟେକ ଧର୍ମର ମୂଳ ଉଦ୍ଦେଶ୍ୟ ହେଉଛି ପରସ୍ପର ମଧ୍ୟରେ ଭ୍ରାତୃତ୍ୱ, ସହଭାଗିତା, ପ୍ରେମ ଓ ସଦ୍‌ଭାବ ସଂପର୍କ ସ୍ଥାପନ । ସାରା ବିଶ୍ୱର ମଣିଷ ଏକ । ସମସ୍ତଙ୍କ ଚିନ୍ତନ ପ୍ରେମମୟ ହେବା ନିତାନ୍ତ ପ୍ରୟୋଜନ ।

ଖ୍ରୀଷ୍ଟିୟ ସମାଜରେ ବିଶ୍‌ଶ୍ୱାସ ରହିଛି ଯେ, ଯୀଶୁ ଖ୍ରୀଷ୍ଟ ଧରାପୃଷ୍ଠରେ ଜନ୍ମଗ୍ରହଣ କରି ମଣିଷ ସମାଜକୁ ଆଲୋକର ପଥ ପ୍ରଦାନ କରିଛନ୍ତି । ମଣିଷ ସହ ମଣିଷର ସଂପର୍କକୁ ମଜ୍‌ବୁତ୍‌ କରିବା ଉଦ୍ଦେଶ୍ୟରେ ଅନେକ ବାର୍ତ୍ତା ଦେବା ସହ ନିଜେ କୃଶବିଦ୍ଧ ହେବା ପର୍ଯ୍ୟନ୍ତ “କ୍ଷମା’ ଭଳି ପରମ ଆଦର୍ଶକୁ ପାଳନ କରିଛନ୍ତି । ତାଙ୍କ ମହାନତା ପାଇଁ ସେ ଆଜି ବିଶ୍ୱ ଦରବାରେ ଈଶ୍ୱରଙ୍କ ପରମ ସନ୍ତାନ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ଆଦର୍ଶରେ ଜନଜୀବନ ପବିତ୍ର ହେଉ, ଏହା ହିଁ ଏଭଳି ଏକ ପବିତ୍ର ମୁହୂର୍ତ୍ତରେ ‘କୋଶଳ ପ୍ରବାହ’ ପରିବାର କାମନା କରୁଛି ।

Leave A Reply

Your email address will not be published.