centurian jitm

ଓଡ଼ିଶାର ଧର୍ମଧାରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ମ୍ୟୁନିସିପାଲଟି କଲେଜର ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ କଲେଜ ପ୍ରେକ୍ଷାଳୟରେ ‘ଓଡ଼ିଶାର ଧର୍ମଧାରା ଓ ଶ୍ରୀଜଗନ୍ନାଥ ସଂସ୍କୃତି’ ଶୀର୍ଷକ ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗର ମୁଖ୍ୟ ଡଃ. ଅପର୍ଣ୍ଣା ଧରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡଃ. ସନାତନ ପ୍ରଧାନ ସଭାପତି, ରାଉରକେଲା କଲେଜର ଅଧ୍ୟକ୍ଷ ଡଃ. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି, ବିଷୟ ବିଶେଷଜ୍ଞ ଭାବେ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଧ୍ୟାପକ ଡଃ. ଅଶ୍ୱିନୀ କୁମାର ରାୟ ଓ ରାଉରକେଲା କଲେଜର ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଯୋଗ ଦେଇଥିଲେ । ଓଡ଼ିଆ ବିଭାଗର ଛାତ୍ର ଦୀପକ କୁମାର ସାହୁଙ୍କ ସଂଯୋଜନାରେ ସଂପାଦିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆବାହକ ଡ. ଧର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଏବଂ ଡଃ. ପ୍ରଧାନ ସଭାପତିତ୍ୱ ଅଭିଭାଷଣରେ କହିଲେ ଯେ, ଧର୍ମର ଅର୍ଥ ହେଉଛି ସତ୍ୟ, ଶାଶ୍ଵତ, ଚିରନ୍ତନ ବା ସନାତନ। ସଂସ୍କୃତି ସମ୍ପର୍କରେ ମତ ରଖି କହିଲେ ଯେ, ଶ୍ରେଷ୍ଠ କାର୍ଯ୍ୟ ହିଁ ସଂସ୍କୃତି, ସ୍ୱଭାବ ସୁଲଭ କାର୍ଯ୍ୟ ପ୍ରକୃତି ଓ ଅବକ୍ଷୟୀ ମାନସିକତାକୁ ବିକୃତି କୁହାଯାଏ । ସଂସ୍କୃତି ଭିତରେ ଗୋଟିଏ ଜାତୀୟ ଭାବନା ସ୍ପନ୍ଦିତ ହୋଇଥାଏ । ମୁଖ୍ୟ ଅତିଥି ଡ. ଜେନା କହିଲେ ଯେ, ଜଗନ୍ନାଥ କେବଳ ଓଡ଼ିଶାର ଦେବତା ନୁହଁନ୍ତି, ସମଗ୍ର ବିଶ୍ୱର ଦେବତା । ଜଗନ୍ନାଥ ସଂସ୍କୃତି ସମରସତା, ବିଶ୍ୱ ଭ୍ରାତୃତ୍ୱଭାବ ଉପରେ ପର୍ଯ୍ୟବେଶିତ । ସେ ଦୁଃଖିର ଦେବତା, ଭାବର ଦେବତା, ଉଦାରତାର ଦେବତା, ସହନଶୀଳତାର ଦେବତା । ସେ ଈଷ୍ଟଦେବ, ରାଷ୍ଟ୍ର ଦେବ, ଦାରୁବ୍ରହ୍ମ ପୁରୁଷୋତ୍ତମ । ବିଷୟ ବିଶେଷଜ୍ଞ ଡଃ. ରାୟ କହିଲେ ଯେ ଯାହା ଧାରଣ କରେ, ତାହା ଧର୍ମ । ସଂସ୍କୃତି ହେଉଛି ଚାହାଣି, ଚଳଣୀ ଓ ଚମକ । ଓଡ଼ିଶାର ସଂସ୍କୃତି: ଶବର ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି । ଷଷ୍ଠ -ସପ୍ତମ ଶତାବ୍ଦୀରୁ ଆରମ୍ଭ କରି ସାରଳା, ପଞ୍ଚସଖା, ରୀତି ଓ ଆଧୁନିକ ଯୁଗ ଦେଇ ଆଜି ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବହମାନ ତଥା ଆବେଦନ ବିଶ୍ୱ ବନ୍ଦନୀୟ। ଅନ୍ୟତମ ବିଷୟ ବିଶେଷଜ୍ଞ ଶ୍ରୀ ପାଟ୍ଟଶାଣୀ  ବୌଦ୍ଧଧର୍ମ, ତାନ୍ତ୍ରିକ ବୌଦ୍ଧଧର୍ମ, ଜୈନ ଧର୍ମ, ଆଦିବାସୀ ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତିର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠ କାର୍ଯ୍ୟକ୍ରମରେ ପରିଷଦର ସାଧାରଣ ସମ୍ପାଦିକା ତଥା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ. ସୁଷମା ମୋଦୀ ସଭାପତିତ୍ୱ କରିଥିଲେ । ସାହିତ୍ୟ ପରିଷଦର ସହ ସାଧାରଣ ସମ୍ପାଦକ ତଥା କଲେଜର ଇତିହାସ ବିଭାଗର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ଏବଂ ପ୍ରାକ୍ ସୂଚନା ପ୍ରଦାନ କରିବା ସହ ସ୍ୱରଚିତ କବିତା ପାଠ କରିଥିଲେ । ସଭାପତି ଡଃ. ମୋଦୀ ପରିଷଦର ଆଭିମୁଖ୍ୟ ଓ ସାହିତ୍ୟ କିପରି ସମାଜର ମଙ୍ଗଳ ସାଧନାରେ ବ୍ରତୀ ହେବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରେ ସାହିତ୍ୟ ପରିଷଦର ସଂଗଠନ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଏବଂ କବି କୁଞ୍ଜବିହାରୀ ରାଉତ ଓ ରାଉରକେଲା କଲେଜର ଓଡ଼ିଆ ବିଭାଗର ଛାତ୍ରୀ ସୁଶ୍ରୀ ଅପର୍ଣ୍ଣା ପାହାରୀଙ୍କ ସଂଯୋଜନାରେ ମ୍ୟୁନିସିପାଲଟି କଲେଜ, ରାଉରକେଲା କଲେଜ ଓ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୂଜା କୁସୁମ, ଆରସୀ ସେନାପତି, ସିନ୍ତା ପାତର, ସୋନାଲି ମହାନନ୍ଦ, କରିସ୍ମା ନାୟକ, ସୌମ୍ୟରଞ୍ଜନ ମହାନ୍ତି, ଅପର୍ଣ୍ଣା ପାହାରୀ, ଦୀପକ ସାହୁ, ଯଶୋଦା ଖାଡିଆ, ଶୁଭଲକ୍ଷ୍ମୀ ସୂତାର, ତନ୍ମୟ କୁମାର ବେହେରା, ଡଃ. ଅଶ୍ୱିନୀ କୁମାର ରାୟ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ଆକାଶ ଦାସ, ଅଧ୍ୟାପିକା ଧରିତ୍ରୀ ପାଇକରାୟ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ରଶ୍ମିତା ନାଥ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଶେଷରେ ଓଡ଼ିଆ ଅଧ୍ୟାପିକା ନୀତୁ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ଯଶୋଦା ଖାଡିଆ ଓ ଇଶାରାଣୀ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦେଓ, ବୈଦେହୀ ମାଝୀ, ପିଙ୍କି କର, ଦିବ୍ୟ କାନ୍ତି ବିଲୁଙ୍ଗ, ରୋମା ସାହୁ, ଡ. ସୁମିତା ମିଶ୍ର ତଥା ୩ଟି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!