centurian jitm

ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଭିଜନ ୨୦୩୬ ଆଲୋଚନାଚକ୍ର

nschool
  • ପ୍ରଥମ ବିଶ୍ୱ ଓଡ଼ିଆ ସ୍ଵାଭିମାନ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଦଳମତ, ସଂଗଠନ ଓ ଆଞ୍ଚଳିକ ଭେଦଭାବ ଭୁଲି ବିଶ୍ୱରେ ପ୍ରତି କୋଣରେ ଥିବା ସମସ୍ତ ଓଡିଶାବାସୀ ମିଳିମିଶି, ମାଟି ମା’ ମାତୃଭାଷା ନିମନ୍ତେ କାର୍ଯ୍ୟ କଲେ ବିଶ୍ଵ ଦରବାରରେ ଓଡିଶା ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ଓଡ଼ିଶାରେ ସମସ୍ତ ପ୍ରକାର ପ୍ରାକୃତିକ ଓ କୃଷି ସମ୍ପଦ, ପର୍ଯ୍ୟଟନ ସ୍ଥଳୀ, ମାନବ ସମ୍ବଳ ଭରପୁର ରହିଥିବା ବେଳେ ଉପଯୁକ୍ତ ବିନିଯୋଗ ହୋଇ ପାରୁନାହିଁ । ଏ ସବୁର ଲାଭବାନ ହେଉଛନ୍ତି ବାହାର ରାଜ୍ୟ । ଅନ୍ୟ ପକ୍ଷରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, କୁଟୀର ଶିଳ୍ପ ପାରମ୍ପରିକ ଶୈଳୀକୁ ଦେଶ ଓ ଦେଶ ବାହାରେ ଆଦୃତ ହେଉଥିବା ବେଳେ ଏ ସବୁକୁ ଉପଯୁକ୍ତ ପ୍ରୋତ୍ସାହନ ଅଭାବ ରହିଛି । ଦେଶ ଓ ଦେଶ ବାହାରେ ଓଡ଼ିଆମାନେ ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ସୁନାମ ଅର୍ଜନ କରିଥିବା ବେଳେ ମାଟି ମା’ ମାତୃଭାଷା ପ୍ରତି ଅନେକଙ୍କ ଆନ୍ତରିକତା ଅଭାବ ରହୁଥିବା ପରିତାପର ବିଷୟ । ବିଶ୍ଵ ଦରବାରରେ ଓଡିଶାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ନିମନ୍ତେ ଏହାର ପ୍ରାକୃତିକ, କୃଷି ସମ୍ପଦ ଓ ମାନବ ସମ୍ବଳକୁ ଆନ୍ତରିକତାର ସହ ଉପଯୁକ୍ତ ବିନିଯୋଗ କରି ଓଡ଼ିଶାର ଅର୍ଥନୀତିର ବିକାଶ କରିବାକୁ ପଡ଼ିବ ବୋଲି ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ତରଫରୁ ‘ଭିଜନ ଓଡ଼ିଶା ୨୦୩୬’ ଆଲୋଚନାଚକ୍ରରେ ବିଭିନ୍ନ ଓଡ଼ିଆ ସଂଗଠନ, ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ ।

ଓଡିଶାର ରେଳପଥ ବୃଦ୍ଧି ସହ ଉପାନ୍ତ ଅଞ୍ଚଳକୁ ରେଳ ସଂଯୋଗ କରିବା, କୃଷି ଓ ପର୍ଯ୍ୟଟନ ପ୍ରତି ଗୁରୁତ୍ଵ ଦେବା, ଭୁବନେଶ୍ୱରରୁ ଭାୟା କୋଣାର୍କ ଦେଇ ପୁରୀ ମେଟ୍ରୋ ରେଳ ପ୍ରତିଷ୍ଠା କରିବା, ଭୁବନେଶ୍ୱର ବିମାନ ବନ୍ଦରରୁ ବିଭିନ୍ନ ଦେଶକୁ ସିଧାସଳଖ ବିମାନ ଚଳାଚଳ କରିବା ସହ ରାଜ୍ୟରେ ଅଧିକ ଉଚ୍ଚକୋଟୀର ବିମାନ ବନ୍ଦର ପ୍ରତିଷ୍ଠା କରିବା, ରାଜ୍ୟରୁ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ସିଧାସଳଖ ଅଧିକ ଟ୍ରେନ୍‌ ସଂଖ୍ୟା ବୃଦ୍ଧି କରିବା ଇତ୍ୟାଦି ମତ ବକ୍ତାମାନେ ଉପସ୍ଥାପନ କରିବା ସହ ରାଜ୍ୟର ବିକାଶ ଧାରାକୁ ଆଗକୁ ନେବା ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ନିମନ୍ତେ ଆଲୋଚନା ହୋଇଥିଲା ।

ଏହି ପରିପେକ୍ଷୀରେ ଚଳିତ ବର୍ଷ ପ୍ରତିଷ୍ଠାନ ତରଫରୁ ବିଭିନ୍ନ ଓଡ଼ିଆ ଅନୁଷ୍ଠାନ ଓ ସରକାରଙ୍କ ସହଯୋଗରେ ପ୍ରଥମ ବିଶ୍ୱ ଓଡ଼ିଆ ସ୍ଵାଭିମାନ ସମ୍ମିଳନୀ ମହାସମାରୋହରେ ଆୟୋଜନ ନେଇ ଆଲୋଚନା ହୋଇଥିଲା । ଅତିଶୀଘ୍ର ବିଶ୍ଵ ସମ୍ମିଳନୀର ରୂପରେଖ ପ୍ରସ୍ତୁତି କରାଯିବା ନେଇ ଆଲୋଚନା ହୋଇଥିଲା ।

ପ୍ରତିଷ୍ଠାନର ମୁଖ୍ୟ ସଂଯୋଜକ ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ସଭାପତିତ୍ୱ କରି ଓଡ଼ିଶାର ସ୍ୱାଭିମାନ, ସଂସ୍କୃତି, ପରମ୍ପରା, କୁଟୀର ଶିଳ୍ପ, ପର୍ଯ୍ୟଟନ ବିଶ୍ଵ ଦରବାରରେ ପ୍ରସିଦ୍ଧ ହେଲେ ଏହି ସବୁକୁ ଆହୁରି ବ୍ୟାପକ କରି ଓଡ଼ିଶାର ଅର୍ଥନୀତିକୁ ମଜୁବୁତ କରିବା ସହ ନିଜ ମାଟିରେ ଅର୍ଥ ରୋଜଗାର କରିବା ଭଳି ବିଭିନ୍ନ ଶିଳ୍ପ ଓ ଯୋଜନା ସରକାରୀ ବେସରକାରୀ ମାଧ୍ୟମରେ ସୃଷ୍ଟି କରିବା ଉଚିତ୍‌ । ଯାହା ଫଳରେ ଆମର ମାନବ ସମ୍ବଳ ଆମ ରାଜ୍ୟ ବିକାଶରେ ଅଧିକ ବିନିଯୋଗ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଡ. କୃଷ୍ଣ ଚନ୍ଦ୍ର ସାହୁ ଯୋଗଦେଇ ଓଡ଼ିଶାର ଅସ୍ମିତା ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ସମ୍ମିଳନୀର ସଭାପତି ସୂର୍ଯ୍ୟ ନାରୟଣ ମିଶ୍ର, ଡ. ବିନୋଦ ଚନ୍ଦ୍ର ସାବତ, ମଧୁସୂଦନ ଦାସ, ବିରଜା ମହାପାତ୍ର, ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଦେବାରଜ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ଓଡ଼ିଶାର ସ୍ୱାଭିମାନ ଦିଗରେ ଆନ୍ତର୍ଜାତୀୟ ସ୍ୱାଭିମାନ ପ୍ରତିଷ୍ଠାନର ଭୂମିକା ଗୁରୁତ୍ତ୍ଵପୂର୍ଣ୍ଣ ଓ ସମସ୍ତ ଓଡ଼ିଆ ସଂଗଠନ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ କିଛି ଓଡ଼ିଆ ଅନୁଷ୍ଠାନ, ସଙ୍ଗଠନ ଓ ବ୍ୟକ୍ତିଙ୍କୁ ପ୍ରତିଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଆଲୋଚନାଚକ୍ରରେ ରିତା ପାତ୍ର, ଦିଲ୍ଲୀପ ବେହେରା, ଅରୁଣ ପଲେଇ, କନକ ଲତା ମିଶ୍ର, ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ, ବାସନ୍ତୀ ପୃସେଠ୍, ଅଳକା ସାହୁ, ରଫିଦା ଖାନ, ସିମରନ୍ ଜମାଲ, ବିଭୁ ପ୍ରସାଦ ସାହୁ, ଅକ୍ଷୟ ସାମଲଙ୍କ ସମେତ ବହୁ ଓଡ଼ିଆ ସଂଗଠକ ବୁଦ୍ଧିଜୀବୀ ଗଣମାଧ୍ୟମ ବ୍ୟକ୍ତିତ୍ୱ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର କୃଷ୍ଣଚନ୍ଦ୍ର ସାବତ, ଉମାକାନ୍ତ ଦାସ, ଶଙ୍କର୍ଷଣ ପାଢ଼ୀ, ରାମେଶ୍ୱରୀ ନନ୍ଦ, ରଶ୍ମିତା ସାବତ, ବିସମିତା ସାବତ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ପ୍ରତିଷ୍ଠାନର ସଚିବ ସନ୍ତୋଷ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.