ଅଲେଖ ମହିମା ଧର୍ମୀ ସାଧୁ ନୃସିଂହ ଦାସ

  • ବହୁମୁଖି, ବହୁ ଭାଷା ଓ ଜ୍ଞାନର ଗନ୍ତାଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ଼, ଓଡିଶା ରାଜ୍ୟରେ ମହିମା ଧର୍ମି ସାଧୁ ନୃସିଂହ ଦାସ ଏକ ପରିଚିତ ଚେହେରା । ସଂପ୍ରତି ପାଇକମାଲ ବ୍ଲକ ଗୋପପୁର ମହିମା ଆଶ୍ରମରେ ଅବସ୍ଥାନ କରୁଛନ୍ତି । ସେ ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ତାଳଚେର ରାଜ ପରିବାରର ଇଂରାଜୀ ଅଧ୍ୟାପକ ଥିଲେ । ସ୍ୱାଧୀନତା ପରେ ଯୁବରାଜ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଭାବରେ ଅବସ୍ଥାପିତ ଥିଲେ । ବାଲ୍ୟବସ୍ଥା ତାଳଚେରରେ ଅତିବାହିତ ହୋଇଥିଲା । ତାଳଚେର ମାଲ୍ୟଗିରି ପଥରଗଡ଼ ମହିମା ଧର୍ମ ବକଲଧାରୀ ଆଶ୍ରମରେ ଅନେକ ବାବାଙ୍କ ଦର୍ଶନ ସହ ଆଶୀର୍ବାଦ ପ୍ରାପ୍ତ କରିଥିଲେ । ୧୯୫୩ରେ ବାପାଙ୍କ ଅବସର ଗ୍ରହଣ ପରେ ତାଳଚେରରୁ ବିଦାୟ ନେଇ ପଶ୍ଚିମବଙ୍ଗର ଖଡ଼ଗପୁରରେ ନିଜ ବଡ଼ବାପାଙ୍କ ଘରରେ ରହିଥିଲେ । ସେଠାରେ ଉତ୍କଳ ବିଦ୍ୟାପୀଠରେ ଅଧ୍ୟୟନ କଲେ । ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡରେ ଇଂରାଜୀ ମାଧ୍ୟମରେ ମାଟ୍ରିକ୍‌ ପାସ୍‌ କରିଥିଲେ । ପାଠ ପଢା ସମୟରେ ମଧ୍ୟ ଅନେକ ସାଧୁ ସନ୍ଥଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ମାନସିକ ସ୍ତରରେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ଶେଷରେ ମହିମା ଗାଦୀକୁ ଆସି ଗୁରୁ ବ୍ରହ୍ମାବଧୁତ ଶ୍ରୀମଦ ଗୁରୁଚରଣ ବାବାଙ୍କ ଠାରୁ ଭେକବାନା ନେଇ ମହିମା ଧର୍ମ ଗ୍ରହଣ କଲେ । ଗୁରୁଙ୍କ ସହ ଓଡିଶାର ବିଭିନ୍ନ ସ୍ଥାନ ଭ୍ରମଣ କରି ୧୯୭୩ ମାଘ ପୂର୍ଣ୍ଣିମା ମେଳା ସମୟରେ ଡୋର କୌପିନ ଗ୍ରହଣ କରିଥିଲେ । ୧୯୮୨ ଡିସେମ୍ବର ୧ରେ ଗୋପପୁର ଠାରେ ମହିମା ମଠର ଶୁଭାରମ୍ଭ କରି ତାକୁ ଯୋଗାଯୋଗର ସ୍ଥାୟୀ ଠିକଣା ଭାବରେ ବ୍ୟବହାର କରୁଛନ୍ତି । ମହିମା ଧର୍ମ ପ୍ରଚାର ପ୍ରସାରରେ ନିଜକୁ ଉତ୍ସଗୀକୃତ କରିଛନ୍ତି । ହୋମ, ଯଜ୍ଞ, ପ୍ରବଚନ, ସମାଜ ସଂସ୍କାର ଦିଗରେ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ସେ ଜଣେ ବହୁ ମୁଖି ପ୍ରତିଭାର ଅଧିକାରୀ ଅଟନ୍ତି । ୧୯୭୭ରେ ରାଷ୍ଟ୍ରପତିଙ୍କ ଦ୍ୱାରା ରଜତ କମଳ ପୁରସ୍କାର ପ୍ରାପ୍ତ ଚିଲିକା ତୀରେ ଫିଲ୍ମରେ ଏକ ବାବା ଭୂମିକାରେ ଅବତୀର୍ଣ୍ଣ ହୋଇ ଜଗତପତି ହେ ଆଉ ଛଳନା କର କାହିଁ.. ଭଜନରେ ଅଭିନୟ କରିଥିଲେ । କୌଣସି ଘରୋଇ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ପରିଲକ୍ଷିତ ହେଉଥିଲେ, ବାବା ଶିକ୍ଷାଦାନ କରୁଥିଲେ । ୨୦୧୨ରେ ଆମେରିକାର ଫୋର୍ଡ଼ ଫାଉଣ୍ଡେସନ୍‌ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ଟ୍ରଷ୍ଟ ସୌଜନ୍ୟରେ ପୁରୀ ଠାରେ ଆୟୋଜିତ ମହିମା ଧର୍ମ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦାନ କରି ଆଜିର ସମାଜରେ ମହିମା ଧର୍ମର ଯୁଗୋପଯୋଗୀତା ପ୍ରସଙ୍ଗରେ ଆଲୋଚନା କରିଥିଲେ । ୨୦୨୩ରେ ମହାରାଷ୍ଟ୍ର କୋଲହାପୁର କେନେରୀ ଆଶ୍ରମରେ ଅନୁଷ୍ଠିତ ସର୍ବ ଭାରତୀୟ ଧର୍ମ ସମ୍ମିଳନୀରେ ପ୍ରତିନିଧିତ୍ୱ କରିଥିଲେ । ସାଧୁ ନୃସିଂହ ଦାସ ଖଞ୍ଜଣୀ ବାଦ୍ୟ ଭଳ ବଜାନ୍ତି । ଖଞ୍ଜଣୀ ମାଧ୍ୟମରେ ଛାନ୍ଦ, ଓଡିଶୀ, ଚଉତିଶା, ଜଣାଣ, ତ୍ରିପଟା, ଝୁଲା, ଝୁମ୍ପା, ଭେଭେରୀ, ପହପଟ୍ଟ ଆଦି ପରିବେଷଣ କରନ୍ତି । ହିନ୍ଦି, ଇଂରାଜୀ, ବଙ୍ଗଳା, ତେଲଗୁ ଭାଷାର ବହି ଗୁଡିକ ଅଧ୍ୟୟନ କରିବାରେ ତାଙ୍କର ରୁଚି ରହିଛି । ଇଂରାଜୀ ଭାଷା ସାହିତ୍ୟର ଜେ. କୃଷ୍ଣମୂର୍ତ୍ତିଙ୍କ କମେଟ୍ରିଜ୍‌ ଅନ୍‌ ଲିଭିଂ, ୟୁ ଏ ନୋୱା ହରାରିଙ୍କ ସେକ୍ସିପିଅନ୍‌, ସ୍ୱାମୀ ରାମଙ୍କ ଲିଭିଂ ଦି ହିମାଳୟ, ଥିଚ ନାଟହେନଙ୍କ ଓଲଡ୍‌ ପାଥ୍‌ ହ୍ୱାଇଟ୍‌ କ୍ଲାଉଡ଼, ଷ୍ଟିଫେନ୍‌ ହୋକିନଙ୍କ ଏ ବ୍ରିଫ ହିଷ୍ଟ୍ରି ଅଫ୍‌ ଟାଇମ୍‌, ପି ଚେନଚେୟୀ ଓ ଭୁଜୟଗା ରାଓଙ୍କ ଏ ହିଷ୍ଟ୍ରି ଅଫ ତେଲଗୁ ଲିଟ୍ରେଚର, ବଙ୍ଗଳା ଭାଷାର ରବିନ୍ଦ୍ର ନାଥ ଟେଗୋରଙ୍କ ସଂଚୟିତା, ଚନ୍ଦ୍ରକାନ୍ତ ତରକାଳକଙ୍କ ଆତ୍ମା, ଭୂତେଶ୍ୱରାନନ୍ଦଙ୍କ ଅମୃତ ସନ୍ଧାନର କଥା, ହିନ୍ଦି ଭାଷାର ରାଧେଶ୍ୟାମଙ୍କ ଆଜାଦିକେ ବାଦ ରାଷ୍ଟ୍ର ଓ ଆଜାଦି କେ ଅଧିରାତ, ଓଡ଼ିଆ ଭାଷାରେ ମନୋଜ ମହାପାତ୍ରଙ୍କ ନିର୍ବାଣ, ଆଜିକାର ଅଟ୍ଟହାସ୍ୟ, ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବାଙ୍କ ସତ୍ୟ ମହିମା ଧର୍ମ ପଶ୍ଚିମାଞ୍ଚଳର ଇତିହାସ, କାଳୀନ୍ଦି ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରୀମଦ ଭାଗବତ, ପ୍ରଥମ ଓ ଦ୍ଵିତୀୟ ବିଶ୍ୱ ଯୁଦ୍ଧ, ଓଡ଼ିଆ ସାହିତ୍ୟର ଇତିହାସ ସହ ଶତାଧିକ ପୁସ୍ତକ ଅଧ୍ୟୟନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସବୁ ବେଳେ ତାଙ୍କର ବହି ପଢିବା ପ୍ରିୟ ଅଭ୍ୟାସ ରହିଛି । ଅଲେଖ ମହିମା ଧର୍ମୀ ସାଧୁ ସନ୍ଥ ସହ ଅନେକ ମହିମା ପ୍ରେମୀ ଆଶ୍ରମ ଯାଇ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗୋପପୁର ଆଶ୍ରମ ବାବା ନୃସିଂହ ଦାସଙ୍କ ଏକ ଅନନ୍ୟ ସୃଷ୍ଟି ।

Leave A Reply

Your email address will not be published.