ପ୍ରାଥମିକ ଶିକ୍ଷକମାନଙ୍କୁ ସ୍କିମ ୱାର୍କର ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ : ଏଆଇଡିଏସ୍‌ଓ

ଭୁବନେଶ୍ୱର : ନ୍ୟାସନାଲ କାଉନସିଲ ଫର୍‌ ଟିଚର୍ସ ଏଜୁକେସନ(ଏନ୍‌ସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ଜୁନିୟର ଟିଚର୍ସ(ସ୍କିମାଟିକ) ବା କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ) ଜିଲ୍ଲା ପରିଷଦ ଅଧିନରେ ଠିକା ନିଯୁକ୍ତି ପାଇବେ । କନିଷ୍ଠ ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଅଧିନରେ ଯୋଜନା ଭିତ୍ତିରେ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ଏଆଇଡିଏସ୍‌ଓ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏଆଇଡିଏସ୍‌ଓ ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ଗତ ବର୍ଷ ଅକ୍ଟୋବର ୧୬ ତାରିଖ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରି ପ୍ରସଂଶା ସାଉଁଟିବାରେ ଲାଗିଥିଲେ । ମାତ୍ର ଦଶ ମାସ ନ ପୁରୁଣୁ ନୂତନ ଉପାୟରେ ରାଜ୍ୟରେ ଠିକା ନିଯୁକ୍ତି କରିବା ପାଇଁ ଯୋଜନା କରିଛନ୍ତି । ନ୍ୟାସନାଲ କାଉନସିଲ ଫର୍‌ ଟିଚର୍ସ ଏଜୁକେସନ (ଏନ୍‌ସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ “ସମଗ୍ର ଶିକ୍ଷା ଯୋଜନା”ରେ ଜୁନିୟର ଟିଚର୍ସ(ସ୍କିମାଟିକ) ବା କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ) ଜିଲ୍ଲା ପରିଷଦ ଅଧିନରେ ଠିକା ନିଯୁକ୍ତି ହେବ ବୋଲି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସେମାନଙ୍କର ଚୁକ୍ତି ପ୍ରତିବର୍ଷ ନବୀକରଣ କରାଯିବ । ସେମାଙ୍କର ଦରମା ମଧ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମୟ ସମୟ ରେ ପରିବର୍ତ୍ତନ ହେବ । ଚୂଡ଼ାନ୍ତ ନିଯୁକ୍ତି ପ୍ରକ୍ରିୟା ଓ ଚୁକ୍ତି ନବୀକରଣରେ ଜିଲ୍ଲା ପରିଷଦ ହିଁ ଶେଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ଓ ଭିତ୍ତିଭୂମିର ଅଭାବ ଫଳରେ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଧ୍ୱଂସ ପ୍ରାୟ । ଏହାରି ସୁଯୋଗରେ ରାଜ୍ୟ ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ଆଧାରରେ ୧୪,୦୦୦ରୁ ଉଦ୍ଧ୍ୱର୍ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପ୍ରକ୍ରିୟାକୁ ଗତ ବର୍ଷରୁ ଆରମ୍ଭ କରିଦେଇଛନ୍ତି । ପ୍ରାଥମିକ ଶିକ୍ଷାର ଏହି ଦୟନୀୟ ସ୍ଥିତି ସମୟରେ ସରକାରଙ୍କ ଯୋଜନା ଭିତ୍ତିକ ବା ଠିକା ଶିକ୍ଷକ ନିଯୁକ୍ତି ପ୍ରାଥମିକ ଶିକ୍ଷାକୁ ଆହୁରି ତଳିତଳାନ୍ତ କରିବ । ଚୂଡ଼ାନ୍ତ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲା ପରିଷଦ ହିଁ ଶେଷ ନିଷ୍ପତ୍ତି ନେବେ । ଯାହା ଫଳରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ହେବା ସହ ଉପଯୁକ୍ତ ପ୍ରାର୍ଥୀ ଚାକିରି ପାଇବାରୁ ବଂଚିତ ହେବେ । ଏହା ସହ ଜଣେ ଶିକ୍ଷକଙ୍କୁ ପ୍ରାୟ ନଅ ବର୍ଷ ଧରି ଯୋଜନା ଭିତ୍ତିକ ଓ ଠିକା ଭାବରେ ଜିଲ୍ଲା ପରିଷଦଙ୍କ ଦୟାରେ ଗୋତି ଖଟିବାକୁ ହେବ । ଅପର ପକ୍ଷରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ସମସ୍ତ ପରିଚାଳନାକୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ପରିଷଦ ଓ ପଞ୍ଚାୟତିରାଜକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପ୍ରାଥମିକ ଶିକ୍ଷାର କବର ରଚନା କରିବ ବୋଲି ଏଆଇଡିଏସଓ ପକ୍ଷରୁ କୁହାଯାଇଛି । ଏଣୁ ଏହି ଶିକ୍ଷା ବିରୋଧୀ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ଶକ୍ତିଶାଳୀ ପ୍ରତିରୋଧ ଆନ୍ଦୋଳନ ସଂଗଠିତ କରିବା ପାଇଁ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଆଶାୟୀ ଶିକ୍ଷକ ତଥା ସର୍ବସ୍ତରର ଜନଗଣଙ୍କୁ ଏଆଇଡିଏସଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.