ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମୁରିବାହାଲ ବ୍ଲକ୍ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସିରୋଲର ଶ୍ରେଣୀ କକ୍ଷ ପାଚେରୀ, ଅଫିସ କକ୍ଷ ଓ ଅନ୍ୟାନ୍ୟ କଠୋରୀ ଗୁଡ଼ିକ ଜଣେ ଆଦିବାସୀଙ୍କ ରୟତି ଜମି ଉପରେ ନିର୍ମାଣ ହୋଇଛି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି । ସିରୋଲ ହାଇସ୍କୁଲ ମୌଜା ସିରୋଲ୍ ତହସିଲ ମୁରିବାହାଲ ଖତିଆନ୍ କ୍ରମାକ ନଂ ୨୭୨/୦୧ର ୧୪ ଗୋଟି ପ୍ଲଟର ମୋଟ ୧୧ ଏକର ୯୩୦ ଡିସିମିଲ ଜମିରୁ ଆକୁଳ ପ୍ରଧାନି ପିତା ମାଥେଲା ପ୍ରଧାନୀ ଏବଂ ଜୟସିଂହ ପ୍ରଧାନୀ ପିତା ଶୁକ୍ରୁ ପ୍ରାଧାନୀ ଜାତି କନ୍ଧ ଆଦିବାସୀଙ୍କ ଭାଇ ଭାଗ ପ୍ଲଟ ନଂ.୧୯୩୪/୨୬୪୧ର ଏକ ଏକର ଏବଂ ପ୍ଲଟ ନଂ.୧୯୩୩ର ୧୨ ଡିସିମିଲ ମୋଟ ଏକ ଏକର ୧୨ ଡିସିମିଲ ରାୟତି ଜମି ଉପରେ ଉକ୍ତ ସ୍କୁଲ ବେଆଇନ ଭାବରେ ନିର୍ମାଣ ହୋଇଛି । କୁହାଯାଇଛି ଯେ, ରାୟତିଦାର ପ୍ରଜାମାନେ ହାଇସ୍କୁଲ ନିର୍ମାଣ ହୋଇଥିବା ଜମିକୁ ବିକ୍ରି କରିନାହାନ୍ତି କିମ୍ବା ହସ୍ତାନ୍ତର ପାଇଁ ଉପଜିଲ୍ଲାପାଳ ଟିଟିଲାଗଡଙ୍କଠାରୁ ଅନୁମତି ନେଇ ନାହାନ୍ତି । ଅଥଚ ସ୍କୁଲ କର୍ତ୍ତୃପକ୍ଷ ଦିନକୁ ଦିନ ଆଦିବାସୀ ଜମିକୁ ଜବରଦଖଲ କରି ବେଆଇନ ଭାବରେ ସ୍କୁଲ ବିଲ୍ଡିଂ ନିର୍ମାଣ କରୁଛନ୍ତି । ଏହାକୁ ପ୍ରତିବାଦ କରି ଆକୁଳ ପ୍ରାଧାନୀ ଏବଂ ଜୟସିଂହ ପ୍ରଧାନୀ ବାରମ୍ବାର ଉପଜିଲ୍ଲାପାଳ, ଜିଲ୍ଲାପାଳ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଆଦିବାସୀ ଜମି ମାଲିକାନା ଥିବା ପୀଡ଼ିତ ପରିବାରକୁ ଉପେକ୍ଷା କରିଥିବା ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ତ ଆଦିବାସୀ ପରିବାରର ଅଭିଯୋଗକୁ ଭିତ୍ତି କରି ସ୍କୁଲ କର୍ତ୍ତୃପକ୍ଷଙ୍କ ଦବଙ୍ଗ ଗିରି, ବେଆଇନ ଦଖଲ, ଜବରଦଖଲ ଅନଧିକାର ହସ୍ତକ୍ଷେପକୁ ସଂଘ ଦୃଢ଼ ନିନ୍ଦା କରିଛି । ଆଦିବାସୀ ଜମିରେ ଜବରଦଖଲକାରୀ କୋଠା ନିର୍ମାଣ କରିଥିବାରୁ ସେହି କୋଠା ଗୁଡ଼ିକୁ ଉଚ୍ଛେଦ କରି ଜବରଦଖଲ ମୁକ୍ତ କରିବାକୁ ସଂଘ ଦାବୀ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବ୍ରଜକିଶୋର ସିଂ ଭୋଇ, ଉପ ସଭାପତି ରାଜୀବ କୁଅଁର, ଭୁବନ ମାଝୀ, ଘାସିରାମ ମାଝୀ, ଇନ୍ଦ୍ରମଣି ମାଝୀ, ପତରଙ୍ଗି ମାଝୀ, ଅବିର ପୁଝାରୀ, ଜଗନ୍ନାଥ ମାଝୀ, ହେମେନ୍ଦ୍ର ନାଥ ହାସଦା, ପଦ୍ମନ୍ ପ୍ରଧାନୀ, ପ୍ରଫୁଲ୍ଲ ପ୍ରଧାନୀ, ଜୟସିଂହ ମାଝୀ, ନିତ୍ୟାନନ୍ଦ ମାଝୀ, ତେଜରି ମାଝୀ, ସୁନିଲ ମାଝୀ, ମୀନିକେତନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post