ଅଧୁରା କାମ ସମ୍ପୂର୍ଣ୍ଣ କରାଯିବ : ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାରେ ଅଧୁରା ହୋଇ ରହିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ବୋଲି ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ୧୧ ତାରିଖରେ ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିବା ଶ୍ରୀ ପଣ୍ଡା ଆଜି ତାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ଜିଲ୍ଲାରେ ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଭଳି ପ୍ରମୁଖ ପ୍ରକଳ୍ପ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ସୌନ୍ଦର୍ଯ୍ୟକରଣ, ପରିମଳ, ପାନୀୟ ଜଳ ଭଳି ମୌଳିକ ବିଷୟ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ସେହିପରି ଇକୋ ଟୁରିଜିମ ପ୍ରକଳ୍ପ ନନ୍ଦନବନ, ମହାନଦୀ ଆଳତୀ ଘାଟ ଇତ୍ୟାଦି ଅଧାରୁ ବନ୍ଦ ପଡ଼ିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ପ୍ରଚେଷ୍ଟା କରାଯିବ । ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଉପସ୍ଥିତ ଥିଲେ ।

Leave A Reply

Your email address will not be published.