jayashree

ସମ୍ପୂର୍ଣ୍ଣ ଜଳସେଚିତ ଜମିରେ ଫସଲ କ୍ରପ କଟିଂ ଅଭିଯୋଗ : ହଳଦୀ ପଞ୍ଚାୟତବାସୀ ତହସିଲଦାରଙ୍କ ଦ୍ଵାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ହଳଦୀ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଜମିରେ କରାଯାଉଥିବା ଫସଲ କ୍ରପ କଟିଙ୍ଗରେ ବହୁ ଅନିୟମିତତା କରାଯାଇଥିବା ପଞ୍ଚାୟତବାସୀ ତହସିଲଦାର ଆୟୁବ ମଣ୍ଡଳଙ୍କ ଦ୍ବାରସ୍ଥ ହୋଇ ଦାବୀପତ୍ର ପ୍ରଦାନ କରିଛନ୍ତି । ଚାଷୀମାନଙ୍କ ଅଭିଯୋଗ ମୁତାବକ ପଞ୍ଚାୟତର ଯେଉଁ ଜମିଗୁଡ଼ିକ ଏମଆଇ ପ୍ରକଳ୍ପ ଦ୍ୱାରା ସବୁଦିନିଆ ଜଳସେଚିତ ତଥା ଗଭୀର ନଳକୂଅ ଦ୍ଵାରା ଜଳସେଚିତ ସେହି ଜମିଗୁଡ଼ିକରେ ଚାଷୀଙ୍କ ବିନା ଉପସ୍ଥିତିରେ କ୍ରପ୍ କଟିଙ୍ଗ କରାଯାଇଛି । ଡଙ୍ଗରପଡ଼ା ମୌଜାର ଖାତା ନଂ ୫୦ର ଏକ ପ୍ଲଟରେ କ୍ରପ କଟିଙ୍ଗ କରାଯାଇଛି । ଡଙ୍ଗରପଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ବାରା ଜଳସେଚିତ ଏହି ଜମିର ଚାଷୀଙ୍କ ବିନା ଉପସ୍ଥିତିରେ ତଥା ବିନା ଦସ୍ତଖତରେ ଏହି କ୍ରପ କଟିଙ୍ଗ କରାଯାଇଛି । ପ୍ରକୃତ ଚାଷୀଙ୍କ ଦସ୍ତଖତ ନିଆନଯାଇ ନକଲି ଚାଷୀଙ୍କ ଦସ୍ତଖତ ନିଆଯାଇଥିବାରୁ ଏହାର ତଦନ୍ତ କରାଯାଇ ଏହାକୁ ବାତିଲ କରିବା ପାଇଁ ସେମାନେ ଦାବୀ କରିଛନ୍ତି । ଏହି ଘଟଣାରେ ମୁରିବାହାଲ ବ୍ଲକ କୃଷି ବିଭାଗ କର୍ମଚାରୀ ଓ ଅନ୍ୟ ବିଭାଗ କର୍ମଚାରୀମାନଙ୍କ ଦାୟିତ୍ଵହୀନତା ଯୋଗୁଁ ଏପରି ଅନିୟମିତତା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ତେନ୍ତୁଳିଖୁଣ୍ଟି, ଚାଉଳଫୁଫୁଡ଼ା ଗ୍ରାମର ଯେଉଁ ଜମିରେ କ୍ରପ କଟିଙ୍ଗ କରାଯାଇଛି ବା କରାଯିବାକୁ ଅଛି ସେହି ଜମିଗୁଡିକ ମଧ୍ୟ ଗଭୀର ନଳକୂଅ ଦ୍ଵାରା ଜଳସେଚିତ ଜମି ବୋଲି ଜଣାପଡିଛି । ପଞ୍ଚାୟତର ଚିରଦିନ ମରୁଡି ପ୍ରଭାବିତ ଗାଁଗୁଡ଼ିକୁ ଏହି ତାଲିକାରେ ଜାଣିଶୁଣି ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଦାବୀପତ୍ରକୁ ଜିଲ୍ଲା ମୁଖ୍ୟାଳୟକୁ ପଠାଇବାକୁ ତହସିଲଦାର ପ୍ରତିଶୃତି ଦେଇଥିଲେ ।ଦାବୀପତ୍ର ପ୍ରଦାନ ବେଳେ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, ରମାରଞ୍ଜନ ସେଠ, ଅଶୋକ କମ୍ପ, ଉତ୍ତମ ମହାନନ୍ଦ, ଲକ୍ଷ୍ମୀଧର କରୁଆଁ, ସଞ୍ଜୟ ମହାନନ୍ଦ, ଜଳନ୍ଧର ରଣା, ଉପେନ୍ଦ୍ର ଦୀପ, ଶଶିକାନ୍ତ ମହାନନ୍ଦଙ୍କ ସହ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.