ବୋରିଗୁମ୍ମା, (ଏସ୍. ସୁନ୍ଦରମ) : କଥାରେ ଅଛି ଚାଷ କାମ ଯାହାର କି ସୁଖ ତାହାର କିନ୍ତୁ ଚାଷୀଙ୍କୁ କେତେବେଳେ ଅଦିନିଆ ବର୍ଷା ଦାଉ ସାଧୁଛି ତ କେତେବେଳେ ଟୋକନ୍ ଟେନ୍ସନ ଆଉ କେତେବେଳେ କଟ୍ନୀ ଛଟ୍ନୀ । ନିଜ ଉପାର୍ଜିତ ଅମଳ ଧାନ ବିକ୍ରି ପାଇଁ ଶେଷରେ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି । ରାଜ୍ୟ ସରକାର କିଭଳି ସୁରୁଖୁରୁରେ ଧାନ ବିକ୍ରି କରିବେ ସେଥିପାଇଁ ମଣ୍ଡି ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଚଳିତ ବର୍ଷ ଖରିଫ ଧାନ ମଣ୍ଡି କୋରାପୁଟ ଜିଲ୍ଲାର କାମରା ଗ୍ରାମରେ ପ୍ରଥମେ ଆରମ୍ଭ ହୋଇଥିଲା । ଆଜକୁ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ଚାଷୀର ଧାନ ବିକ୍ରି ହୋଇପାରିନାହିଁ । ଯେଉଁ ଚାଷୀଙ୍କୁ ଟୋକନ୍ ମିଳିଛି ତାହା ଲେପ୍ସ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରେଇନ ଏନାଲାଇସିସ ମେସିନ ଆସିଛି ସେଥିରେ ଏଫ୍ଏକ୍ୟୁ ମାନର ଧାନ ବାହାରୁ ନାହିଁ । ମିଲର୍ସ ଏଫ୍ଏକ୍ୟୁ ମାନର ଧାନ ନ ହେଲେ ଆମେ ଗ୍ରହଣ କରିବୁ ନାହିଁ ବୋଲି ଜିଦରେ ଅଟଳ । ଶେଷରେ କଟ୍ନୀ ଛଟ୍ନୀର କଥା ଆରମ୍ଭ ହୋଇଥିଲା । ଚାଷୀ ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ନିଜ ଉପାର୍ଜିତ ଧାନକୁ କଟ୍ନୀ ଛଟ୍ନୀକୁ ପ୍ରଶ୍ରୟ ଦେବୁ ନାହିଁ ବୋଲି ଜିଦରେ ଅଟଳ । ଶେଷରେ ଆଜି କାମରା ପଞ୍ଚାୟତର ଶହ ଶହ ଚାଷୀ ନିଜ ନିଜ ଧାନକୁ ନେଇ କାମରା ଜାତୀୟ ରାଜପଥ ଅବରୋଧ କରିଥିଲେ । ଯେ ପର୍ଯ୍ୟନ୍ତ ଧାନ ମଣ୍ଡିରୁ ନ ଉଠିଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବେ ବୋଲି କହିଥିଲେ । ବୋରିଗୁମ୍ମା ପୋଲିସ, ତହସିଲଦାର ଏବଂ ଜୟପୁର ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଚାଷୀ ଏବଂ ମିଲର୍ସଙ୍କ ସହ ଆଲୋଚନା କରିଥିଲେ । ମୋବାଇଲ ପେଡ଼ି କ୍ଲିନରରେ ଧାନ ପରୀକ୍ଷା ପରେ ମିଲର୍ସ ଧାନ କିଣିବେ ବୋଲି କହିବା ପରେ ରାସ୍ତାରୁ ଚାଷୀ ହଟିଥିଲେ ।