ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଇ ଲଭ ଟିଟିଲାଗଡ଼ ପାର୍କ ଟିଟିଲାଗଡ଼ ସହରର ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ପାର୍କର ପଛପଟେ ରହିଛି ମହାରାଜ ସାଗର । ଏହି ମହାରାଜ ସାଗର ଉପରେ ବହୁତ ଲୋକ ଗାଧୋଇବା, ପୂଜା ଜିନିଷ ଭସାଇବା, ପୂଜାପାଠ କରିବା ସହ ଅନେକ କାର୍ଯ୍ୟ କରିଥାନ୍ତି । କିଛି ବର୍ଷ ହେବ ସାଗର ଭିତରେ ଅଳିଆ ଆବର୍ଜନା ପଡି ପଡ଼ି ଅସନା ହୋଇଯାଇଥିଲା । ଟିଟିଲାଗଡ଼ ପୌର ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବରେ ସନ୍ଦିପ ଚନ୍ଦ୍ରକାର ସହରର ବୁଦ୍ଧିଜୀବୀ, ସମାଜସେବୀ ସଂଗଠନ ମାନଙ୍କୁ ଡାକି ସହରକୁ ସଫା ସୁତୁରା ରଖିବା ପାଇଁ ପ୍ରୟାସ କରିବି ବୋଲି କହିଥିଲେ । ଫଳ ସ୍ୱରୂପ ମଙ୍ଗଳବାର ସକାଳୁ ଟିଟିଲାଗଡ଼ ସହରରେ ସ୍ୱଚ୍ଛତା ଅଭିଯାନର ସଫଳ ରୂପାୟନ ହେଲା । ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାରଙ୍କ ଉପସ୍ଥିତିରେ ସମସ୍ତ ପୌର ପରିଷଦର ସଫେଇ କର୍ମଚାରୀଙ୍କ ଉଦ୍ୟମରେ କୁଢ଼ କୁଢ଼ ଅଳିଆ, ପୋଖରୀ ଭିତରୁ ଘାସ, ଲତା କଢାଯାଇଥିଲା । ସେହି ସମୟରେ ବିଧାୟକ ନବୀନ ଜୈନ ମଧ୍ୟ ପହଞ୍ଚି ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଆଜି ମହାରାଜ ସାଗରକୁ ଯେତିକି ସଫା କରାଯାଇଛି ହୁଏ ତ ଆଗରୁ ଏତିକି କେବେ କରାଯାଇ ନଥିବ ବୋଲି ସାଧାରଣରେ ଆଲୋଚନା ହେଉଛି । ସଫେଇ କାର୍ଯ୍ୟ ପାଇଁ ପୌର ପରିଷଦର ସମସ୍ତ ଅଧିକାରୀ, କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ଏମିତି କାର୍ଯ୍ୟ ଜାରି ରହୁ, ଟିଟିଲାଗଡ଼ ସହର ଆଗାମୀ ଦିନରେ ସ୍ୱଚ୍ଛତାର ସହର ରୂପେ ପରିଚିତ ହେବ ବୋଲି ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍ କହିଛନ୍ତି ।