ରିଲାଏନ୍ସ ଡିଜିଟାଲର ସେବାରେ ଅବହେଳା : କଞ୍ଜୁମର ମାମଲାରେ କମ୍ପାନୀକୁ ଜରିମାନା

ରାଉରକେଲା, (ସସ୍ମିତା ପ୍ରଧାନ) : ରିଲାଏନ୍ସ ଡିଜିଟାଲ କମ୍ପାନୀ ପକ୍ଷରୁ ନିର୍ମିତ ଇଲେକ୍ଟ୍ରୋନିକ୍ ପଦାର୍ଥରେ ସେବା ଯୋଗାଇବାରେ ବିଫଳତା ଯୋଗୁଁ, କଞ୍ଜୁମର ଅଦାଲତରେ ଏକ ମାମଲାର ବିଚାର କରି ଜିଲ୍ଲା କଞ୍ଜୁମର ଅଦାଲତଙ୍କ ଦ୍ୱାରା ରିଲାଏନ୍ସ ଡିଜିଟାଲକୁ ମେସିନର ମୂଲ୍ୟ ସହିତ ୧୦ ହଜାର ଟଙ୍କା ଜରିମାନା ଓ ଅଭିଯୋଗ ବାବଦକୁ ୫ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ରାଉରକେଲା ବାସନ୍ତୀ କଲୋନୀର କ୍ୱାର୍ଟର ନମ୍ବର ଏଫ୍ଏମ୍-୩୧ରେ ରହୁଥିବା ସନ୍ତୋଷ କୁମାର ମହାପାତ୍ର ୨୦୨୨ ଡିସେମ୍ବର ୨୬ ତାରିଖରେ, ସିଭିଲ୍ ଟାଉନସିପ୍ ସ୍ଥିତ ଗଲେରିଆ ମଲରେ ଥିବା ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ ୧୬,୬୧୬ ଟଙ୍କା ଦେଇ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ୱାଶିଂ ମେସିନ୍ କ୍ରୟ କରିଥିଲେ । ସ୍ୱୟଂଚାଳିତ ୱାଶିଂ ମେସିନର ୩ ବର୍ଷ ୱାରେଣ୍ଟି ଥିବା ବେଳେ, ରିଲାଏନ୍ସ ଡିଜିଟାଲ ପକ୍ଷରୁ ୨୦୦୦ ଟଙ୍କା ପ୍ରତିବଦଳରେ ୨ ବର୍ଷ ଏକ୍ସଟେନସନ ୱାରେଣ୍ଟି ପ୍ରଦାନ କରାଯାଇଥିଲା । ଶ୍ରୀ ମହାପାତ୍ର ମୋଟ ୧୮,୬୧୬ ଟଙ୍କା ଦେଇ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ୱାଶିଂ ମେସିନ୍ ଘରକୁ ନେଇଥିଲେ । ୱାଶିଂ ମେସିନ୍ ନେବାର ୨ ମାସ ପରେ ୱାଶିଂ ମେସିନରେ ତ୍ର୍ରୁଟି ଦେଖାଦେବାରୁ ଶ୍ରୀ ମହାପାତ୍ର ସିଭିଲ୍ ଟାଉନସିପ୍ ସ୍ଥିତ ରିଲାଏନ୍ସ ଡିଜିଟାଲକୁ ଜଣାଇଥିଲେ । ରିଲାଏନ୍ସ ଡିଜିଟାଲର ସର୍ଭିସ ଇଞ୍ଜିନିୟର ବାସନ୍ତୀ କଲୋନୀ ଆସି ଶ୍ରୀ ମହାପାତ୍ରଙ୍କ ଘରେ ୱାଶିଂ ମେସିନ୍ ମରାମତି କରିବାରୁ ତାହା କାର୍ଯ୍ୟ କରିଥିଲା । କିନ୍ତୁ ଗୋଟିଏ ମାସ ପରେ ପୁନର୍ବାର ୱାଶିଂ ମେସିନ କାର୍ଯ୍ୟ କରିବା ବନ୍ଦ୍ କରିବାରୁ ମେସିନର ମାଲିକ ଶ୍ରୀ ମହାପାତ୍ର କଷ୍ଟୋମର କେୟାରକୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଲା ପରେ ରିଲାଏନ୍ସ କମ୍ପାନୀର ସର୍ଭିସ ଇଂଜିନିୟର ଦ୍ୱିତୀୟ ଥର ପାଇଁ ୱାଶିଂ ମେସିନକୁ ସଜାଡିବାରୁ ତାହା କାର୍ଯ୍ୟ କରିବା ଆରମ୍ଭ କରିଥିଲା । କିଛିଦିନ ପରେ ୱାଶିଂ ମେସିନର ସମାନ ସମସ୍ୟା ଦେଖାଦେବା ପରେ ସନ୍ତୋଷ କୁମାର ମହାପାତ୍ର କଷ୍ଟୋମର କେୟାରକୁ ତୃତୀୟ ଥର ଅଭିଯୋଗ କରିବାରୁ, ରିଲାଏନ୍ସ ଡିଜିଟାଲ ପକ୍ଷରୁ ସର୍ଭିସ ଇଞ୍ଜିନିୟରି ଆସି ୱାଶିଂ ମେସିନ୍ ସଜାଡିବାକୁ ବିଫଳ ହେବାରୁ, ୱାଶିଂ ମେସିନକୁ ସର୍ଭିସ ସେଣ୍ଟରକୁ ପଠାଇ ଦେବା ପାଇଁ କହିଥିଲେ । ଶ୍ରୀ ମହାପାତ୍ର ୱାଶିଂ ମେସିନକୁ ସର୍ଭିସ ସେଣ୍ଟରକୁ ପଠାଇବା ପରେ ରିଲାଏନ୍ସ ଡିଜିଟାଲ, ମେସିନକୁ ୨୦୨୪ ଜୁନ୍ ୨୦ ପର୍ଯ୍ୟନ୍ତ ନ ଫେରାଇବାରୁ, ସନ୍ତୋଷ ମହାପାତ୍ର ବାଧ୍ୟ ହୋଇ ୨୦୨୪ ଜୁନ ୨୪ ତାରିଖରେ ଜିଲ୍ଲା କଞ୍ଜୁମର କୋର୍ଟରେ ମାମଲା ରୁଜୁ କରିଥିଲେ । ୨୦୨୬ ଜାନୁଆରୀ ୩୧ ଦିନ ଜିଲ୍ଲା କଞ୍ଜୁମର କୋର୍ଟ ଏହି ମାମଲାର ବିଚାର କରି, ୱାଶିଂ ମେସିନକୁ ସମ୍ପୂର୍ଣ୍ଣ ମରାମତି କରି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମେସିନ ସମ୍ପୂର୍ଣ୍ଣ ମରାମତି କରି ନ ପାରିଲେ, ମେସିନର କ୍ରେତାଙ୍କୁ ମେସିନ୍ ବାବଦରେ ୧୬,୬୧୬ ଟଙ୍କା ଫେରାଇବା ସହିତ ୯ ପ୍ରତିଶତ ସୁଧ ହାରରେ ୧୦ ହଜାର ଟଙ୍କା ଏବଂ ମୋକଦ୍ଦମା ବାବଦକୁ ୫ ହଜାର ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଦେବାର ଏକ ମାସ ମଧ୍ୟରେ ରିଲାଏନ୍ସ ଡିଜିଟାଲ, କ୍ଷତିପୂରଣ ଅର୍ଥ ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କଲେ କମ୍ପାନୀ ବିରୋଧରେ ଅପରାଧିକ ମାମଲା କରାଯିବ ବୋଲି ଜିଲ୍ଲା କଞ୍ଜୁମର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲାକୁ ଶ୍ରୀ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ରାମପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ ।

Leave A Reply

Your email address will not be published.