ପିଆଇବି ପକ୍ଷରୁ “ଆତ୍ମନିର୍ଭର ଭାରତ ଗଠନରେ ଏମଏସଏମଇ” ଶୀର୍ଷକ ୱେବିନାର

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବ ଏମଏସଏମଇ କ୍ଷେତ୍ର

• ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଂଟି ଯୋଜନାରେ ଓଡ଼ିଶାର ଏମଏସଏମଇ ଉଦ୍ୟୋଗଗୁଡ଼ିକ ପାଇଁ ୨୧୦୫ କୋଟି ଟଙ୍କା ମଞ୍ଜୁର
• ଅଗଷ୍ଟ ୩ ତାରିଖ ସୁଦ୍ଧା ୧୪୬୨ କୋଟି ଟଙ୍କା ଏମଏସଏମଇ ୟୁନିଟଗୁଡ଼ିକୁ ଆବଂଟନ : ଅର୍ଥ ମନ୍ତ୍ରଣାଳୟ ମୁଖପାତ୍ର

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବେ । ମାତ୍ର ଅମଲାତନ୍ତ୍ର ଓ ଆର୍ଥିକ ପ୍ରତିଷ୍ଠାନଗୁଡିକର ସହଯୋଗ ଓ ଉଦ୍ୟୋଗୀମାନଙ୍କୁ ଏ ଦିଗରେ ଆକୃଷ୍ଟ କରାଯିବାର ଆବଶ୍ୟକତା ରହିଛି । ଫଳରେ ଏହି କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରମୁଖ ଶକ୍ତି ତଥା ଆଧାର ହୋଇପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ (୦୫.୦୮.୨୦୨୦) “ଆତ୍ମନିର୍ଭର ଭାରତ ଗଠନରେ ଏମଏସଏମଇ” ଶୀର୍ଷକ ୱେବିନାରରେ ଅଂଶଗ୍ରହଣ କରି ସେମାନେ ଏହି ମତ ବ୍ୟକ୍ତ କରିଛନ୍ତି ।
ପିଆଇବି ମୁଖ୍ୟାଳୟର ମହାନିର୍ଦେଶକ ତଥା କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଶ୍ରୀ ରାଜେଶ ମାଲହୋତ୍ରା ଏବଂ ଅତିରିକ୍ତ ମହାନିର୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ୱେବିନାରର ଆଭିମୁଖ୍ୟ ଓ ଏମଏସଏମଇକୁ ତ୍ୱରାନ୍ୱିତ କରିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗିକାରବଦ୍ଧତା ଉପରେ ଆଲୋକପାତ କରିଥିଲେ । ଶ୍ରୀ ମାଲହୋତ୍ରା ଏହି ଅବସରରେ କହିଥିଲେ ଯେ ଭାରତୀୟ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଲାଗି ମେ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରଣ ମେ ୧୩ରୁ ୧୭ ତାରିଖ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ୫ଟି ପର୍ଯ୍ୟାୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ବିସ୍ତୃତ ବିବରଣୀ ପ୍ରଦାନ କରିସାରିଛନ୍ତି । ଏହି ପ୍ୟାକେଜ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଏମଏସଏମଇ କ୍ଷେତ୍ର ଲାଗି ବିଶେଷ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି । ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଉତ୍ପାଦନ ଓ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ଓଡ଼ିଶାରେ ଅଗଷ୍ଟ ୩, ୨୦୨୦ ସୁଦ୍ଧା ୧୦୦% ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଂଟି ଯୋଜନା ଜରିଆରେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ୨୧୦୫ କୋଟି ଟଙ୍କାର ଋଣ ସହାୟତା ମଞ୍ଜୁର କରିଥିବା ବେଳେ ଏଥିମଧ୍ୟରୁ ୧୪୬୨ କୋଟି ଟଙ୍କା ରାଜ୍ୟର ବିଭିନ୍ନ ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ବଂଟନ କରାଯାଇସାରିଛି ବୋଲି ଶ୍ରୀ ମାଲହୋତ୍ରା କହିଥିଲେ ।
ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅଧୀନ ଏମଏସଏମଇ ବିକାଶ ସଂସ୍ଥାନର ନିର୍ଦେଶକ ଡ. ସୁକାନ୍ତ କୁମାର ସାହୁ କହିଲେ ଯେ, ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ପ୍ରଧାନ ଅଂଶ ଭାବେ ଏମଏସଏମଇ ଘୋଷଣା କରାଯାଇଥିବା ଆର୍ଥିକ ସହାୟତା ଖୁବ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମାତ୍ର ଏଦିଗରେ ଗତିଶୀଳତା ଏପର୍ଯ୍ୟନ୍ତ ଉତ୍ସାହଜନକ ହୋଇପାରିନାହିଁ । ରାଜ୍ୟସ୍ତରୀୟ ବ୍ୟାଙ୍କିଙ୍ଗ କମିଟି ବୈଠକରେ ଏଦିଗରେ ଅନେକ ଆଲୋଚନା ହୋଇଛି । ବ୍ୟାଙ୍କିଙ୍ଗ ସଂସ୍ଥା ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏମଏସଏମଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀମାନେ ଏହାର ପୋର୍ଟାଲ ଅନୁସରଣ କରି ଓ ଆବଶ୍ୟକସ୍ଥଳେ ଏହାର କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଉତ୍କଳ ଶିଳ୍ପ ବଣିକ ସଂଘ ଉପ-ସଭାପତି ଶ୍ରୀ ଅଶୋକ କୁମାର ସାରଦା ୱେବିନାରରେ ଅଂଶଗ୍ରହଣ କରି କହିଲେ ଯେ, କୋଭିଡ-୧୯ ଯୋଗୁଁ ସମଗ୍ର ବିଶ୍ୱ ଏକ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ଆର୍ଥିକ ଦୁଃସ୍ଥିତି ଆଡକୁ ମୁହାଁଇଛି । ଏହି ପରିପ୍ରେକ୍ଷୀରେ ଏମଏସଏମଇକୁ ତ୍ୱରାନ୍ୱିତ କରିବା ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡିକର ଉଦାସୀନତା ମୁଖ୍ୟ ଅନ୍ତରାୟ ହେଉଛି । ଏମଏସଏମଇ ସଫଳତାର ଶତକଡା ୯୫ ଭାଗ ଅଣୁ ଉଦ୍ୟୋଗ ଉପରେ ନିର୍ଭରଶୀଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଭଳି ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୈତିକ ସ୍ତମ୍ଭକାର ଶ୍ରୀ ନାଗେଶ୍ୱର ପଟ୍ଟନାୟକ କୁଶଳୀ ଶ୍ରମିକଙ୍କ ଭୂମିକା ଓ ବଜାର ଉପଲବ୍ଧତା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ସରୋଜ କୁମାର ହୋତା ପରାମର୍ଶ ଦେଇ କହିଥିଲେ ଯେ ଆଶାୟୀ ଉଦ୍ୟୋଗୀମାନେ ଯେକୌଣସି ସମସ୍ୟାର ସମ୍ମୁଖିନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ସହାୟତା ନେଇପାରିବେ ।
ପିଆଇବି ଭୁବନେଶ୍ୱର କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ ସହାୟକ ଅଧିକାରୀ ସ୍ୱାଧିନ ଶକ୍ତିପ୍ରସାଦ ୱେବିନାର ସଂଯୋଜନା କରିଥିଲେ । ଏହି ୱେବିନାରରେ ପିଆଇବି ସମେତ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି), ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହାବ୍ୟତୀତ ବହୁ ଏମଏସଏମଇ ଉଦ୍ୟୋଗୀ, ଅର୍ଥନୀତି ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.