jayashree

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର

  • ସିଏସ୍‌ଆଇଆର୍‌- ଖଣିଜ ଓ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟ ସମୀକ୍ଷା କଲେ
  • ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ଭାରତ ପାଇଁ ଏକ ବିରାଟ ପରିକଳ୍ପନା କରିଛନ୍ତି, ଉଭୟ ପ୍ରକୃତି ଏବଂ ସଂସ୍କୃତି ପ୍ରତି ସଚେତନ ହୋଇ ଏହି ଲକ୍ଷ୍ୟ ହାସଲ କରିବାକୁ ହେବ
  • ବିକଶିତ ଭାରତର ସଂକଳ୍ପ ଯାତ୍ରାରେ ମହିଳାଙ୍କ ନେତୃତ୍ୱକୁ ସର୍ବାଧିକ ପ୍ରାଥମିକତା ଦିଆଯିବ, ଦେଶର ବିକାଶଯାତ୍ରାରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଆଜି ଭୁବନେଶ୍ୱରସ୍ଥିତ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏଥି ସହିତ ଡକ୍ଟର ମିଶ୍ର ଭୁବନେଶ୍ୱରଠାରେ ସିଏସ୍‌ଆଇଆର୍‌- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରିବା ସହିତ ଖଣିଜ ସମୃଦ୍ଧ ଓଡ଼ିଶାରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଅଧିକ ବିସ୍ତାରିତ କରିବା ଲାଗି ପରାମର୍ଶ ଦେଇଛନ୍ତି । ଡକ୍ଟର ମିଶ୍ର ଆଜି କିଟ୍ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦେଶର ଶିକ୍ଷା ପରିଦୃଶ୍ୟରେ କିଟ୍ ଓ କିସ୍‌ର ଭୂମିକାକୁ ଉଚ୍ଚପ୍ରଶଂସା କରିଥିଲେ । ବିଶେଷ କରି କିସ୍ ଅନୁଷ୍ଠାନ ଶିକ୍ଷାଦାନ ମାଧ୍ୟମରେ ଓଡ଼ିଶାର ଜନଜାତି ଗୋଷ୍ଠୀଙ୍କୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ । କିଟ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟର ମିଶ୍ର କହିଥିଲେ, ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ଭାରତ ପାଇଁ ଏକ ବିରାଟ ପରିକଳ୍ପନା କରିଛନ୍ତି । ଭାରତକୁ ଏକ ବିକଶିତ ରାଷ୍ଟ୍ରର ମାନ୍ୟତା ହାସଲ କରିବାକୁ ପଡ଼ିବ । ଉଭୟ ପ୍ରକୃତି ଏବଂ ସଂସ୍କୃତି ପ୍ରତି ସଚେତନ ହୋଇ ଏହି ଲକ୍ଷ୍ୟ ହାସଲ କରିବାକୁ ହେବ । ଏଥିରେ ପ୍ରଯୁକ୍ତିବିଦ୍ୟାର ଆହରଣ ଓ ପ୍ରୟୋଗକୁ ପ୍ରାଥମିକତା ଦିଆଯିବ । ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତିକ୍ଷେତ୍ରରେ ଭାରତ ନେତୃତ୍ୱ ଗ୍ରହଣ କରିବ ଏବଂ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବ ବୋଲି ସେ କହିଥିଲେ । ଡକ୍ଟର ମିଶ୍ର ଆହୁରି କହିଥିଲେ, ବିକଶିତ ଭାରତ ପରିକଳ୍ପନା ଓ ସଂକଳ୍ପ ଯାତ୍ରାରେ ମହିଳାଙ୍କ ନେତୃତ୍ୱକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ଅର୍ଥବ୍ୟବସ୍ଥାକୁ ଆହୁରି ସମାବେଶୀ ଏବଂ ନବସୃଜନଧର୍ମୀ କରାଯିବ । ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତାର ଜାତୀୟ ଜୀବନରେ କୌଣସି ସ୍ଥାନ ନାହିଁ । ଦେଶର ବିକାଶ ସହିତ ଯୁବଶକ୍ତିଙ୍କ ବିକାଶ ସମାନ ଭାବରେ ଜଡ଼ିତ ରହିଛି, ତେଣୁ ଯଦି ଉଭୟଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯିବ, ତାହେଲେ ଅବିଶ୍ୱସନୀୟ ସଫଳତା ହାସଲ କରିହେବ ବୋଲି ସେ କହିଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ରେ ଭାରତ ପାଇଁ ଏଭଳି ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ୨୦୪୦ ମସିହା ସୁଦ୍ଧା ବିଶ୍ୱରେ ଅଦ୍ୱିତୀୟ ହେବ ଏବଂ ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷା ଗ୍ରହଣ ନିମନ୍ତେ ସମାନ ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ଡକ୍ଟର ମିଶ୍ର କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ପ୍ରବର୍ତ୍ତନ କରାଯାଇଛି । ଚଳିତ ବର୍ଷ ଅନ୍ତରୀଣ ବଜେଟରେ, ଏକ ଲକ୍ଷ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି, ଯାହାକି ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ଯୁବଗୋଷ୍ଠୀଙ୍କୁ ଗବେଷଣା ଓ ନବସୃଜନ ବିକାଶ ନିମନ୍ତେ ବିଶେଷ ସହାୟକ ହେବ । ଡକ୍ଟର ମିଶ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (କିସ୍) ଠାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ସେ କହିଥିଲେ, ସମାଜର ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ନେଇ ଭାରତ ବହୁତ ଆଗକୁ ଆସିଛି । ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ ୨୦୪୭ ଭିଜନ’ରେ ଅନ୍ୟତମ ପ୍ରମୁଖ ସ୍ତମ୍ଭ ହେଉଛି ‘ମହିଳାଙ୍କ ନେତୃତ୍ୱାଧୀନ ବିକାଶ’ । ଅଧିକରୁ ଅଧିକ ଝିଅ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ପାଠ୍ୟକ୍ରମରେ ନାମ ଲେଖାଇ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛନ୍ତି । ସେ ଛାତ୍ରଛାତ୍ରୀଙ୍କୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ଏହାକୁ ହାସଲ କରିବା ନିମନ୍ତେ ନିରନ୍ତର ପ୍ରୟାସ କରିବା ପାଇଁ ଆହ୍ୱାନ କରିଥିଲେ । ନିଜ ପ୍ରତିଭା, ପରିଶ୍ରମ ଓ ନିଷ୍ଠା ବଳରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଡକ୍ଟର ମିଶ୍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଡକ୍ଟର ମିଶ୍ର ଆଜି ସିଏସ୍‌ଆଇଆର୍‌- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ । ସେ ପ୍ରତିଷ୍ଠାନର ପ୍ରୟୋଗଶାଳା ବୁଲି ଦେଖିବା ସହିତ ସେଠାକାର କାର୍ଯ୍ୟଧାରା ସମୀକ୍ଷା କରିଥିଲେ । ଖଣିଜ ଓ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନରେ ଜାରି ରହିଥିବା ଗବେଷଣା କାର୍ଯ୍ୟ ଅନୁଧ୍ୟାନ କରି ଡକ୍ଟର ମିଶ୍ର କହିଥିଲେ, ଓଡ଼ିଶା ଏକ ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ । ଉଚ୍ଚକୋଟ୍ଟୀର ଗବେଷଣା ଜରିଆରେ ଖଣିଜ କ୍ଷେତ୍ରର ବିକାଶ ଓ ବିସ୍ତାର ଜରିଆରେ ଓଡ଼ିଶା ଏବଂ ସାମଗ୍ରିକ ଭାବେ ଦେଶର ପ୍ରଗତିରେ ଯୋଗଦାନ କରିବା ଲାଗି ସେ ପ୍ରତିଷ୍ଠାନର ବୈଜ୍ଞାନିକ ଓ ଗବେଷକମାନଙ୍କୁ ପରାମର୍ଶ ଦେଇଥିଲେ । ଡକ୍ଟର ମିଶ୍ର ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ପୁନର୍ବିକାଶ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.