pakka

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

bbehera

ଭୁବନେଶ୍ୱର, (ପିଆଇବି) : ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭଞ୍ଜ ବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କେବଳ ଓଡ଼ିଶାର ଇତିହାସରେ ନୁହେଁ ବରଂ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ଭୂମି ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏହି ଅଞ୍ଚଳର ପୁତ୍ର କବିସୂର୍ଯ୍ୟ ବଳଦେବ ରଥ ନିଜ ଲେଖା ମାଧ୍ୟମରେ ଓଡ଼ିଆ ତଥା ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଏହି ଭୂମି ଅନେକ ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ସରକାରୀ କର୍ମଚାରୀଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ । ୧୯୬୭ ମସିହାରେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦକ୍ଷିଣ ଭାଗର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ବୋଲି ରାଷ୍ଟ୍ରପତି କହିଥିଲେ । ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷା ଓ ବିକାଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକାକୁ ସେ ପ୍ରଶଂସା କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଏହାର ଅନୁବନ୍ଧିତ କଲେଜଗୁଡ଼ିକରେ ପାଖାପାଖି ୪୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ । ୫୫ ପ୍ରତିଶତରୁ ଅଧିକ ଛାତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । କେବଳ ଏତିକି ନୁହେଁ, ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଝିଅ ଏବଂ ଆଜି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ । ଲିଙ୍ଗଗତ ସମାନତାର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନେ ପୁଅମାନଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି । ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ । କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ପୁଲିସ ଓ ସେନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଝିଅମାନଙ୍କର ସାମର୍ଥ୍ୟ ଦୃଶ୍ୟମାନ ହେଉଛି । ଏବେ ଆମେ ମହିଳାଙ୍କ ବିକାଶର ପର୍ଯ୍ୟାୟରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡକୁ ଗତି କରୁଛୁ । ସମାବର୍ତ୍ତନ କେବଳ ଡିଗ୍ରୀ ପ୍ରାପ୍ତିର ଉତ୍ସବ ନୁହେଁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହା ସେମାନଙ୍କ କଠିନ ପରିଶ୍ରମ ଏବଂ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବ ମଧ୍ୟ ଅଟେ । ଏହା ଦ୍ୱାରା ନୂଆ ସ୍ୱପ୍ନ ଓ ସମ୍ଭାବନାର ଦ୍ୱାର ଖୋଲିଥାଏ । ଡିଗ୍ରୀ ହାସଲ କରିବା ଶିକ୍ଷାର ଅନ୍ତ ନୁହେଁ ବୋଲି ସେ କହିଛନ୍ତି । ସାରା ଜୀବନ ଶିଖିବା ପାଇଁ ସେମାନଙ୍କର ଉତ୍ସାହ ରହିବା ଉଚିତ୍ । ନିଜର ଜ୍ଞାନ ଓ ବୁଦ୍ଧିକୁ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ । ସେ କହିଛନ୍ତି ଯେ ସେମାନେ ରାଷ୍ଟ୍ର ନିର୍ମାଣ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ ।

jay balangir
Leave A Reply

Your email address will not be published.

1 + seventeen =