ଇସିଏଲ୍‌ଜିଏସ୍‌, ପିସିଜିଏସ୍‌ ଏବଂ ଏସ୍‌ଓଡିଏସ୍‌ର କାର୍ୟ୍ୟକାରିତା ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌), ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା (ପିସିଜିଏସ୍‌-୨.୦) ଏବଂ ସବ୍‌ର୍ଡିନେଟ୍‌ ଋଣ ଯୋଜନା ଆଦିର କାର୍ୟ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି । ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥାଗୁଡିକର ମୁଖ୍ୟମାନଙ୍କ ସହ ସେ ଏ ବିଷୟରେ ସମୀକ୍ଷା କରିବା ଅବସରରେ ସେମାନଙ୍କର ଆର୍ଥିକ ସ୍ଥିତି ସଂପର୍କରେ ମଧ୍ୟ ପଚାରି ବୁଝିଛନ୍ତି । କରୋନା ମହାମାରୀ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ବିଶେଷ ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡିକୁ ଋଣ ଯୋଗାଇ ଦେବାପାଇଁ ଯେଉଁ ଉପରୋକ୍ତ ଯୋଜନା ଓ କାର୍ୟ୍ୟସୂଚୀ ସରକାର ପ୍ରସ୍ତୁତ କରିଛନ୍ତି ତାହାକୁ କାର୍ୟ୍ୟକାରୀ କରିବାରେ ଏହିସବୁ ବିତ୍ତୀୟ ସଂସ୍ଥା ଓ ବ୍ୟାଙ୍କ କେତେ ପ୍ରସ୍ତୁତ ତାହା ଅର୍ଥମନ୍ତ୍ରୀ ପଚାରି ବୁଝିଥିଲେ । ସେ କହିଥିଲେ ଯେ ଋଣ ଫେରସ୍ତ ସଂକ୍ରାନ୍ତ ରହିତାଦେଶ ଉଠିବା ମାତ୍ରେ ଋଣକାରୀଙ୍କୁ ତୁରନ୍ତ କରୋନା ସହାୟତା କାର୍ୟ୍ୟକ୍ରମରେ ଆବଶ୍ୟକ ଋଣ ସହାୟତା ଯୋଗାଇ ଦେବା ଉଚିତ । କରୋନା ମହାମାରୀ କାରଣରୁ ଯେଉଁ ଋଣ ଆଦାୟ ହୋଇପାରିନାହିଁ ତାହାକୁ ବିଚାରକୁ ନେଇ ପୁନଃ ଋଣ ଯୋଗାଣ ବ୍ୟବସ୍ଥା କାର୍ୟ୍ୟକାରୀ କରିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଋଣପ୍ରଦାନକାରୀ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନ ସମୂହ ଋଣ ପ୍ରସଙ୍ଗର ସମାଧାନ ପାଇଁ ବୋର୍ଡ ଦ୍ୱାରା ଅନୁମୋଦିତ ନୀତିକୁ କାର୍ୟ୍ୟକାରୀ କରିବା ଉଚିତ । ଏଥିରେ ଯୋଗ୍ୟ ଋଣକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଋଣ ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ସବୁ ଯଥାର୍ଥ ବ୍ୟବସାୟିକ ସଂସ୍ଥାକୁ ପୁନଃରୁଦ୍ଧାର କରିବା ପାଇଁ ଯଥା ସମ୍ଭବ ସରକାରୀ ନୀତି ଅନୁସାରେ ଋଣ ଯୋଗାଇ ଦେବାକୁ ସେ କହିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚଳିତମାସ ୧୫ ସୁଦ୍ଧା ଏହି ଋଣ ପ୍ରଦାନ ଯୋଜନା କାର୍ୟ୍ୟକାରୀ ହେବା ଉଚିତ । ଏଥିପାଇଁ ନିରନ୍ତରଭାବେ ଗଣମାଧ୍ୟମ ପ୍ରଚାର ଅଭିଯାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହି ଋଣ ପ୍ରଦାନ ସଂକ୍ରାନ୍ତ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ତର ଓ ଅନ୍ୟାନ୍ୟ ତଥ୍ୟ ସଂପର୍କରେ ନିଜ ନିଜର ୱେବସାଇଟରେ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ତଥ୍ୟ ରଖିବାକୁ ସେ ସବୁ ବ୍ୟାଙ୍କ ଶାଖାକୁ ପରାମର୍ଶ ଦେଇଛନ୍ତି ।
ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନର ମୁଖ୍ୟମାନେ କହିଥିଲେ ଯେ ସରକାରଙ୍କ ଋଣ ଯୋଗାଣ ନୀତିକୁ କାର୍ୟ୍ୟକାରୀ କରିବାକୁ ସେମାନେ ପ୍ରସ୍ତୁତ । ଋଣ ଲୋଡୁଥିବା ଉପଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ସହ ଯୋଗାଯୋଗ ଆରମ୍ଭ ହୋଇଛି । ଋଣ ଯୋଗାଣ ପାଇଁ ରିଜର୍ଭ ବ୍ୟାଙ୍କ ଯେଉଁ ସମୟସୀମା ଧାର୍ୟ୍ୟ କରିଛନ୍ତି ତାହାକୁ କାର୍ୟ୍ୟକାରୀ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ତଫସିଲଭୁକ୍ତ ବ୍ୟବସାୟିକ ବ୍ୟାଙ୍କ ଏବଂ ଅର୍ଥଲଗାଣକାରୀ ସଂସ୍ଥାଗୁଡିକ ଯେପରି ଅର୍ଥାଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରିଜର୍ଭ ବ୍ୟାଙ୍କ ସହିତ ଅର୍ଥ ମନ୍ତ୍ରଣାଳୟ କଥାବାର୍ତ୍ତା ଜାରି ରଖିଛି ।
ଅର୍ଥମନ୍ତ୍ରୀ ଏହି ଅବସରରେ ଇସିଏଲ୍‌ଜିଏସ୍‌, ପିସିଜିଏସ୍‌-୨.୦ ଏବଂ ସବ୍‌ର୍ଡିନେଟ ଡେଟ୍‌ ସ୍କିମ୍‌ ଯାହା ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ ଘୋଷଣା କରାଯାଇଛି ତାହାର କାର୍ୟ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ । ଆସନ୍ତା ପାର୍ବଣଋତୁ ପୂର୍ବରୁ ଋଣ ଆବେଦନକାରୀଙ୍କୁ ସମ୍ଭାବ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ଇସିଏଲ୍‌ଜିଏସ୍‌ରେ ୧.୫୮ ଲକ୍ଷ କୋଟି ଟଙ୍କା ମଂଜୁର କରାଯାଇଛି । ସେଥିମଧ୍ୟରୁ ୧.୧୧ ଲକ୍ଷ କୋଟି ଟଙ୍କା ବଣ୍ଟାଯାଇ ସାରିଲାଣି । ସେହିଭଳି ପିସିଜିଏସ୍‌-୨.୦ ଅଧୀନରେ ୨୫,୦୫୫.୫ କୋଟି ଟଙ୍କାର ବଣ୍ଡ ଓ ସିପିକୁ ସରକାର ଅନୁମୋଦନ କରିଛନ୍ତି । ଏ ସବୁକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ କ୍ରୟ କରିବେ । ସେଥିମଧ୍ୟରୁ ୧୩,୩୧୮.୫ କୋଟି ଟଙ୍କାର ବଣ୍ଡ ଓ ସିପି (୫୩ ପ୍ରତିଶତ) ଏଏ-ରେଟ ତଳର ।
ଲକ୍‌ଡାଉନ ସମୟରେ ବିଭିନ୍ନ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାଗୁଡିକର ଉଲ୍ଲେଖନୀୟ କାର୍ୟ୍ୟକୁ ଅର୍ଥମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେମାନେ ଏହି ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ଭଳି କାର୍ୟ୍ୟକ୍ରମକୁ ସଫଳ କରିବାରେ ଉତ୍ତମ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ କହିଛନ୍ତି । କରୋନା ମହାମାରୀ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ବିଶେଷ କ୍ଷତିଗ୍ରସ୍ତ କଂପାନୀ, ବ୍ୟବସାୟ ପ୍ରତିଷ୍ଠାନ, ବ୍ୟକ୍ତିବିଶେଷ ଆଦିଙ୍କୁ ପୁଣି ଥରେ ସମର୍ଥ କରାଇବା ପାଇଁ ସେମାନଙ୍କ ଆବଶ୍ୟକତାକୁ ଚାହିଁ ଯଥାସମ୍ଭବ ଋଣ ସହାୟତା ଯୋଗାଇ ଦେବାକୁ ଶ୍ରୀମତୀ ସୀତାରମଣ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାଗୁଡିକୁ ଏହି ଅବସରେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.