ସାର୍ବଜନୀନ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇ-ବସ୍ କ୍ରୟ ଏବଂ ପରିଚାଳନା ପାଇଁ ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜିମ୍ (ପିଏସ୍ଏମ୍) ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

  • ୩,୪୩୫ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ୩୮,୦୦୦ରୁ ଅଧିକ ଇ-ବସ୍ ଚଳାଚଳ ଆରମ୍ଭ
  • ମେଡ୍ ଇନ୍ ଇଣ୍ଡିଆ ଇ-ବସ୍ ସେବା ପେମେଣ୍ଟ ସିକ୍ୟୁରିଟି ମେକାନିଜିମ୍ – ଆତ୍ମନିର୍ଭର ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ
  • ପ୍ରଦୂଷଣ ହ୍ରାସ ଏବଂ ପରିବେଶ ସୁରକ୍ଷା ଦିଗରେ ଏହା ଏକ ମାଇଲଖୁଣ୍ଟ ହେବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩,୪୩୫.୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ) ଦ୍ୱାରା ଇ-ବସ୍ କ୍ରୟ ଏବଂ ପରିଚାଳନା ପାଇଁ “ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜମ୍ (ପିଏସ୍‌ଏମ୍‌) ଯୋଜନା”କୁ ମଞ୍ଜୁରୀ ମିଳିଛି । ଏହି ଯୋଜନା୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୩୮,୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ପରିଚାଳନା କରିବାରେ ସହାୟକ ହେବ । ଏହି ଯୋଜନାରେ ନିୟୋଜିତ ହେବା ଦିନଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ଇ-ବସ୍ ଚଳାଚଳ ରେ ସହାୟତା ମିଳିବ । ବର୍ତ୍ତମାନ ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଥୋରିଟି (ପିଟିଏ) ଦ୍ୱାରା ପରିଚାଳିତ ଅଧିକାଂଶ ବସ୍ ଡିଜେଲ/ସିଏନଜିରେ ଚଳାଚଳ କରୁଥିବାରୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି । ଅପରପକ୍ଷରେ ଇ-ବସ୍ ପରିବେଶ ଅନୁକୂଳ ଏବଂ ଏହାର ପରିଚାଳନା ଖର୍ଚ୍ଚ କମ୍ ରହିଛି । ତେବେ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ)ର ଆଗୁଆ ଅଧିକ ଖର୍ଚ୍ଚ ଏବଂ ଚଳାଚଳରୁ ରାଜସ୍ୱ ଆଦାୟ କମ୍ ହେଉଥିବାରୁ ସେମାନଙ୍କ ପାଇଁ ଇ-ବସ୍ କ୍ରୟ ଓ ଚଳାଚଳ କରିବା ଆହ୍ୱାନ ହେବ ବୋଲି ଅନୁମାନ କରାଯାଉଥିଲା । ଇ-ବସ୍ ର ଉଚ୍ଚ ପୁଞ୍ଜି ଖର୍ଚ୍ଚକୁ ଦୃଷ୍ଟିରେ ରଖି ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଥରିଟି (ପିଟିଏ) ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମାଧ୍ୟମରେ ଗ୍ରସ୍ କଷ୍ଟ କଣ୍ଟ୍ରାକ୍ଟ (ଜିସିସି) ମଡେଲ୍ ଜରିଆରେ ଏହି ବସ୍ ଗୁଡ଼ିକୁ ସାମିଲ୍ କରିଛି । ଜିସିସି ମଡେଲ ଅଧୀନରେ ପିଟିଏମାନଙ୍କୁ ବସ୍ ର ଆଗୁଆ ମୂଲ୍ୟ ଦେବାକୁ ପଡିବ ନାହିଁ, ବରଂ ଓଇଏମ୍ / ଅପରେଟରମାନେ ମାସିକ ଦେୟ ସହିତ ପିଟିଏ ପାଇଁ ଇ-ବସ୍ କ୍ରୟ ଏବଂ ପରିଚାଳନା କରନ୍ତି । ଅନ୍ୟପକ୍ଷରେ, ସମ୍ଭାବ୍ୟ ଦେୟ ଖିଲାପ ବିଷୟରେ ଚିନ୍ତା କାରଣରୁ ଓଇଏମ୍ / ଅପରେଟରମାନେ ଏହି ମଡେଲରେ ନିୟୋଜିତ ହେବାକୁ କୁଣ୍ଠାବୋଧ କରୁଛନ୍ତି । ଏକ ଉତ୍ସର୍ଗୀକୃତ ପାଣ୍ଠି ମାଧ୍ୟମରେ ଓଇଏମ୍ / ଅପରେଟରମାନଙ୍କୁ ଠିକ୍ ସମୟରେ ଦେୟ ସୁନିଶ୍ଚିତ କରି ଏହି ଯୋଜନା ସମ୍ପର୍କିତ ସମସ୍ୟାର ସମାଧାନ କରାଯାଇଛି । ଯଦି ପିଟିଏମାନଙ୍କ ଦ୍ୱାରା ଦେୟ ପ୍ରଦାନ ରେ ଅବହେଳା ହୁଏ, କାର୍ଯ୍ୟକାରୀ ସଂସ୍ଥା ସିଇଏସ୍ଏଲ୍ ଯୋଜନା ପାଣ୍ଠିରୁ ଆବଶ୍ୟକ ଦେୟ ପ୍ରଦାନ କରିବ ଯାହା ପରେ ପିଟିଏ / ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପରିଶୋଧ କରାଯିବ । ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରି ଇ-ବସ୍ ଗ୍ରହଣକୁ ସୁଗମ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନା ଦ୍ୱାରା ଗ୍ରୀନହାଉସ ଗ୍ୟାସ ନିର୍ଗମନରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିବ ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାର ମଧ୍ୟ ହ୍ରାସ ପାଇବ । ଏହି ଯୋଜନାକୁ ଚୟନ କରିଥିବା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ)ଙ୍କୁ ଲାଭ ମିଳିବ ।

Leave A Reply

Your email address will not be published.