ଭାରତରେ ଦିନକୁ ପାଖାପାଖି ୯ ଲକ୍ଷ ରେକର୍ଡ ପରୀକ୍ଷଣ

• ଗତକାଲି ଗୋଟିଏ ଦିନରେ ସର୍ବାଧିକ ୫୭,୯୩୭ ସୁସ୍ଥ
• ସକ୍ରିୟ ମାମଲାଠାରୁ ୧୩ ଲକ୍ଷ ଅଧିକ ଆରୋଗ୍ୟ

ନୂଆଦିଲ୍ଲୀ, (ପିଆଇବି) : ଭାରତ ଗୋଟିଏ ଦିନରେ ଗତକାଲି ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି । ପାଖାପାଖି ୯ ଲକ୍ଷ (୮,୯୯,୮୬୪) ନମୁନା ଗତକାଲି ଗୋଟିଏ ଦିନରେ ପରୀକ୍ଷା କରାଯାଇଛି ଯାହାକି ଏପର୍ୟ୍ୟନ୍ତ ସର୍ବକାଳିନ ଦିନିକିଆ ରେକର୍ଡ । ଏପର୍ୟ୍ୟନ୍ତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୦୯,୪୧,୨୬୪ରେ ପହଞ୍ଚିଛି ।
ଏତେ ସଂଖ୍ୟକ ପରୀକ୍ଷା ସତ୍ଵେ ପଜିଟିଭ ହାର ୮.୮୧ ପ୍ରତିଶତରେ ରହିଛି । ଗତ ସପ୍ତାହରେ ଜାତୀୟ ପଜିଟିଭ ହାର ୮.୮୪ ରହିଥିଲା ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ରେକର୍ଡ ସଂଖ୍ୟକ ୫୭,୯୩୭ ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ ଏହି ସଂଖ୍ୟା ଆକ୍ରାନ୍ତଙ୍କ ଠାରୁ ୫୫,୦୭୯ ଅଧିକ । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ବାହାରୁଥିବା ଯୋଗୁଁ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ (୧୯,୭୭,୭୭୯)ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଆଜି ୧୩ ଲକ୍ଷ (୧୩,୦୪,୬୧୩) ରୁ ଅଧିକ ହୋଇଛି ।
ଦୈନିକ ହାରାହାରି ସୁସ୍ଥତା ହାର କ୍ରମାଗତ ଭାବେ ବଢୁଥିବାରୁ ଭାରତର ସୁସ୍ଥତା ହାର ଶତକଡା ୭୩.୧୮ ହୋଇଥିବା ବେଳେ ମୃତ୍ୟୁହାର ମଧ୍ୟ ୧.୯୨ ପ୍ରତିଶତକୁ ହ୍ରାସ ପାଇଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ଦକ୍ଷ ପରିଚାଳନା ଯୋଗୁଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ମଧ୍ୟ ଜାତୀୟ ହାରାହାରି ଠାରୁ ନିମ୍ନରେ ରହିଛି । ବ୍ୟାପକ ପରୀକ୍ଷା, ସଅଳ ଚିହ୍ନଟିକରଣ ଓ ପଜିଟିଭ ମାମଲାଗୁଡିକର ଏକାନ୍ତବାସ ଯୋଗୁଁ ଏହି ମୃତ୍ୟୁହାର ହ୍ରାସ ପାଇଛି । ଦେଶରେ ବର୍ତ୍ତମାନ ୬,୭୩,୧୬୬ ଜଣ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୨୪.୯୧ ପ୍ରତିଶତ । ଏହା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ରୋଗ ନିରୂପଣ ପାଇଁ ଦେଶରେ ପରୀକ୍ଷାଗାର ନେଟୱାର୍କ ମଧ୍ୟ ବ୍ୟାପକ କରାଯାଇଛି । ୯୭୧ଟି ସରକାରୀ, ୫୦୫ଟି ଘରୋଇ ଏହିପରି ମୋଟ ୧୪୭୬ ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।

Leave A Reply

Your email address will not be published.