jayashree

ଆଇଏଫ୍‌ଏଫ୍‌ଆଇ ୨୦୨୪ରେ ଫିଲ୍ମ ବଜାର ପ୍ରଦର୍ଶନୀ କକ୍ଷରେ ୨୦୮ଟି ଫିଲ୍ମ ହେବ ପ୍ରଦର୍ଶିତ

ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଚଳିତ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଏକ ଭବ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ଫିଲ୍ମ ବଜାରର ଅଷ୍ଟାଦଶ ସଂସ୍କରଣ ମଧ୍ୟ ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ଚଳଚ୍ଚିତ୍ର ନିର୍ମାତା ଓ ଏହି ଉଦ୍ୟୋଗର ପେସାଦାରମାନଙ୍କୁ ପରସ୍ପର ସହ ଯୋଡ଼ି ହେବା, ସହଭାଗିତା ସ୍ଥାପନ କରିବା ଏବଂ ନିଜ କାମ ପ୍ରଦର୍ଶନ କରିବା ଲାଗି ଏକ ଜୀବନ୍ତ ପରିବେଶ ଯୋଗାଇ ଦେବ । ଚଳିତ ବର୍ଷ ପୁନର୍ବାର ମାରିଅଟ୍ ରିସର୍ଟରେ ଭ୍ୟୁଇଂ ରୁମ୍ ବା ଚଳଚ୍ଚିତ୍ର ପ୍ରଦର୍ଶନ କକ୍ଷ ଆୟୋଜିତ ହେବାକୁ ଯାଉଛି ଏବଂ ଏଥିରେ ଭାରତ ଓ ଦକ୍ଷିଣ ଏସିଆର ଶ୍ରେଷ୍ଠ ମାନର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ବିତରଣ ଏବଂ ପାଣ୍ଠି ସହଯୋଗ ଚାହୁଁଥିବା ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ରୂପେ ଡିଜାଇନ କରାଯାଇଥିବା ଭ୍ୟୁଇଂ ରୁମ୍‌ରେ ସମ୍ପୂର୍ଣ୍ଣ ହୋଇଥିବା କିମ୍ବା ପୋଷ୍ଟ୍ ପ୍ରଡକ୍ସନ୍ ସ୍ତରରେ ଥିବା ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏହା ସେମାନଙ୍କୁ ବିଶ୍ୱ ଚଳଚ୍ଚିତ୍ର ପ୍ରୋଗ୍ରାମର୍, ବିତରକ, ସେଲ୍ସ ଏଜେଣ୍ଟ ଏବଂ ନିବେଶକଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ସୁଯୋଗ ଦେବ । ନଭେମ୍ବର ୨୧ରୁ ୨୪ ପର୍ଯ୍ୟନ୍ତ ଭ୍ୟୁଇଂ ରୁମ୍ ଅଂଶୀଦାରଙ୍କ ପାଇଁ ଉପଲବ୍ଧ ହେବ । ଭ୍ୟୁଇଂ ରୁମ୍ ଲାଇବ୍ରେରୀର ଚଳିତ ବର୍ଷର ସଂସ୍କରଣରେ ୨୦୮ଟି ଚଳଚ୍ଚିତ୍ର ଦେଖିବା ପାଇଁ ଉପଲବ୍ଧ ହେବ, ଯେଉଁଥିରୁ ୧୪୫ଟି ଫିଚର ଫିଲ୍ମ, ୨୩ଟି ମଧ୍ୟମ ସମୟ ଅବଧି ବିଶିଷ୍ଟ ଚଳଚ୍ଚିତ୍ର, ୩୦ଟି କ୍ଷୁଦ୍ର ଚଳଚ୍ଚିତ୍ର ରହିଛି । ଫିଚର ଏବଂ ମଧ୍ୟମ ସମୟ ଅବଧି ବିଶିଷ୍ଟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଏନ୍‌ଏଫ୍‌ଡିସି ପ୍ରଯୋଜନା ଏବଂ ସହ-ପ୍ରଯୋଜନାରେ ନିର୍ମିତ ୧୨ଟି ଚଳଚ୍ଚିତ୍ର ସାମିଲ ରହିଛି । ସେହିପରି ଏନ୍‌ଏଫ୍‌ଡିସି-ଏନ୍‌ଏଫ୍‌ଏଆଇରୁ ଆସିଥିବା ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ୩୦-୭୦ ମିନିଟ୍ ମଧ୍ୟରେ ଚାଲୁଥିବା ଚଳଚ୍ଚିତ୍ରଗୁଡ଼ିକୁ ଭ୍ୟୁଇଂ ରୁମରେ ଦାଖଲ କରାଯାଏ, ଯାହାକୁ ମିଡ୍-ଲେଂଥ୍ ଫିଲ୍ମସ୍ ବା ମଧ୍ୟମ ସମୟ ଅବଧି ବିଶିଷ୍ଟ ଚଳଚ୍ଚିତ୍ର ନାମକ ଏକ ବର୍ଗରେ ପ୍ରଦର୍ଶିତ କରାଯାଏ । ଏହାବ୍ୟତୀତ ୩୦ ମିନିଟ୍‌ରୁ କମ୍ ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ରହିବେ ।

ଫିଲ୍ମ ବଜାର ସୁପାରିସ (ଏଫବିଆର୍‌) :
ଫିଲ୍ମ ବଜାର ସୁପାରିସ (ଏଫବିଆର) ତାଲିକାରେ ୧୯ଟି ଫିଚର ଫିଲ୍ମ, ୩ଟି ମଧ୍ୟମ ସମୟ ଅବଧି ବିଶିଷ୍ଟ ଚଳଚ୍ଚିତ୍ର, ୨ଟି କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ୩ଟି ପୁନରୁଦ୍ଧାର ହୋଇଥିବା ଶ୍ରେଷ୍ଠ ଚଳଚ୍ଚିତ୍ରକୁ ମିଶାଇ ୨୭ଟି ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି । ଏନ୍ଏଫ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ପୃଥୁଲ କୁମାର କହନ୍ତି, ‘ଚଳଚ୍ଚିତ୍ର ନିର୍ମାତାଙ୍କ ସୃଜନଶୀଳତା ଏବଂ ଉତ୍ସାହକୁ ସମ୍ମାନ ଦେଉଥିବା ଏଫବିଆର ପାଇଁ ଚଳଚ୍ଚିତ୍ର ତାଲିକା ଘୋଷଣା କରି ଆମେ ଆନନ୍ଦିତ । ଏହି ପଦକ୍ଷେପ କେବଳ ସ୍ୱୀକୃତି ପାଇଁ ନୁହେଁ,ଏହା କାହାଣୀକାରମାନଙ୍କୁ ସେମାନଙ୍କର ଦୃଷ୍ଟିକୋଣକୁ ବିଶ୍ୱ ସହିତ ବାଣ୍ଟିବା ପାଇଁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଇଥାଏ । ଆମେ ଚଳଚ୍ଚିତ୍ରର ପରିବର୍ତ୍ତନଶୀଳ ଶକ୍ତିରେ ବିଶ୍ୱାସ କରୁ ଏବଂ ପ୍ରେରଣା ଏବଂ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହେଉଥିବା ପରବର୍ତ୍ତୀ ପିଢ଼ିର କଳାକାରମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଫିଲ୍ମ ବଜାରରେ ଏକ ଖୋଲା ଉପସ୍ଥାପନ ଅଧିବେଶନରେ ଏଫବିଆର ପାଇଁ ମନୋନୀତ ପ୍ରକଳ୍ପଗୁଡ଼ିକ ସେମାନଙ୍କ ଚଳଚ୍ଚିତ୍ରଗୁଡ଼ିକୁ ପ୍ରଯୋଜକ, ସେଲ୍ସ ଏଜେଣ୍ଟ, ବିତରକ, ମହୋତ୍ସବ ପ୍ରୋଗ୍ରାମର ଏବଂ ସମ୍ଭାବ୍ୟ ନିବେଶକଙ୍କ ସମେତ ଶିଳ୍ପ ନେତୃବୃନ୍ଦଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇବେ । ଏଠାରେ ଚଳଚ୍ଚିତ୍ରର ପୁରା ତାଲିକା ଦେଖନ୍ତୁ । ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ, ଏଫବିଆର ତାଲିକା କିମ୍ବା ପ୍ରଦର୍ଶନ କକ୍ଷରେ ଥିବା ଚଳଚ୍ଚିତ୍ରଗୁଡ଼ିକୁ ସେମାନଙ୍କ କ୍ରେଡିଟ୍ କିମ୍ବା ପ୍ରମୋସନ୍ ସାମଗ୍ରୀରେ ଫିଲ୍ମ ବଜାର ଲୋଗୋ ବ୍ୟବହାର କରିବାକୁ ଅନୁମତି ନାହିଁ ।

ଫିଲ୍ମ ବଜାର ବିଷୟରେ :
ଫିଲ୍ମ ବଜାର ହେଉଛି ଏକ ବିଟୁବି ପ୍ଲାଟଫର୍ମ ଯାହାର ଉଦ୍ଦେଶ୍ୟ ହେଉଛି ଦକ୍ଷିଣ ଏସୀୟ ଚଳଚ୍ଚିତ୍ରକୁ ଆନ୍ତର୍ଜାତୀୟ ଏବଂ ଜାତୀୟ ବଜାରରେ ପ୍ରୋତ୍ସାହିତ କରିବା । ଫିଲ୍ମ ବଜାରରେ ଭ୍ୟୁଇଂ ରୁମ୍ ହେଉଛି ଏକ ପେଡ୍ ପ୍ଲାଟଫର୍ମ ଯାହା ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ବିଶ୍ୱ ବିକ୍ରୟ ଏଜେଣ୍ଟ ଏବଂ କ୍ରେତାମାନଙ୍କୁ ବ୍ୟକ୍ତିଗତ ଭାବରେ ସେମାନଙ୍କ ଚଳଚ୍ଚିତ୍ରର ପ୍ରଚାର କରିବା ପାଇଁ ପ୍ରଦାନ କରିଥାଏ । ଭ୍ୟୁଇଂ ରୁମ୍ ହେଉଛି ଏକ ନିଷିଦ୍ଧ ଜୋନ୍ ଯାହା ସାରା ବିଶ୍ୱର କ୍ରେତା (ଚଳଚ୍ଚିତ୍ର ପ୍ରୋଗ୍ରାମର, ବିତରକ, ବିଶ୍ୱସ୍ତରୀୟ ସେଲ୍ସ ଏଜେଣ୍ଟ ଏବଂ ନିବେଶକ) ସହିତ ବିକ୍ରେତା (ଚଳଚ୍ଚିତ୍ର ନିର୍ମାତା)ଙ୍କୁ ଯୋଡ଼ିଥାଏ । ଫିଲ୍ମ ବଜାର ଟିମ୍ ସେମାନଙ୍କ ପ୍ରୋଫାଇଲ୍ ଆଧାରରେ ‘କ୍ରେତା’ଙ୍କୁ ଯାଞ୍ଚ କରିଥାନ୍ତି । କ୍ରେତାମାନେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଭ୍ୟୁଇଂ ରୁମ୍ ସଫ୍ଟୱେୟାର୍ ମାଧ୍ୟମରେ ଚଳଚ୍ଚିତ୍ର ଗୁଡ଼ିକ ବିଷୟରେ ବିବରଣୀ ପାଇବା ସହିତ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.