ରାଜ୍ୟ ରାଜ୍ୟ ମଧ୍ୟରେ ମେଡିକାଲ ଅକ୍ସିଜେନ ପରିବହନ ନେଇ କୌଣସି କଟକଣା ନଲଗାଇବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

● ହସ୍ପିଟାଲରେ ଥିବା କୋଭିଡ ରୋଗୀମାନଙ୍କୁ ଅକ୍ସିଜେନ ଯୋଗାଇବା ଦାୟିତ୍ଵ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବହନ କରିବେ
ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ଧାରା ଓ ଉପଧାରାର ଉପଯୋଗ କରି କେତେକ ରାଜ୍ୟ ଆନ୍ତଃରାଜ୍ୟ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରୁଥିବାର ବିଷୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନଜରକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଅମ୍ଳଜାନର ପ୍ରମୁଖ ଭୂମିକା ରହିଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଲେଖିଥିବା ଏକ ପତ୍ରରେ କେନ୍ଦ୍ର ସରକାର ମେଡିକାଲ ଅକ୍ସିଜେନ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ମେଡିକାଲ ଅକ୍ସିଜେନର ଚାଲାଣ ନେଇ କୌଣସି ପ୍ରତିବନ୍ଧକ ନଥିବା ଓ ସେଥିପାଇଁ କୌଣସି କଟକଣା ଜାରି ନକରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ କରୋନା ରୋଗୀ ଅମ୍ଳଜାନ ଆବଶ୍ୟକ ସ୍ଥଳେ ଅମ୍ଳଜାନ ପାଇଁ ହକଦାର ଏବଂ ତାଙ୍କୁ ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ଵ ।
ଏହାଛଡା ପତ୍ରରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ମେଡିକାଲ ଅକ୍ସିଜେନ ଏକ ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସାମଗ୍ରୀ ଓ ଏହାର ଯୋଗାଣ ନେଇ ଯେ କୌଣସି ପ୍ରତିବନ୍ଧକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଘୋର ପ୍ରଭାବ ପକାଇବ । ଏହାଛଡା ଅମ୍ଳଜାନ ପ୍ରସ୍ତୁତ ଓ ଯୋଗାଣକାରୀ କେତେକ କମ୍ପାନୀ ସହିତ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲଗୁଡିକୁ ଏହା ଯୋଗାଇବା ପାଇଁ ପୂର୍ବରୁ ବୁଝାମଣା ହୋଇଛି ଓ ତାହା ସେମାନେ ଯୋଗାଇବାକୁ ଆଇନତଃ ବାଧ୍ୟ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା କୋଭିଡ ପରିଚାଳନା ନୀତି କେତେକ ମାର୍ଗଦର୍ଶିକା ଦ୍ଵାରା ପରିଚାଳିତ ହୋଇଥାଏ । ଏହି ମାର୍ଗଦର୍ଶିକାଗୁଡିକ ସମସ୍ତ କୋଭିଡ ହସ୍ପିଟାଲ ଓ କେନ୍ଦ୍ରଗୁଡ଼ିକୁ ସମାନ ଭାବରେ ଧ୍ୟାନ ଦେଇଥାନ୍ତି । ଅଧିକ ଓ ଅତି ଅଧିକ ଲକ୍ଷଣ ଥିବା ମାମଲାଗୁଡିକ ପାଇଁ ଆବଶ୍ୟକ ଅମ୍ଳଜାନ ସହାୟତା ଓ ଅତ୍ୟାବଶ୍ୟକ ଔଷଧପତ୍ର ଯୋଗାଣ କୋଭିଡ-୧୯ ଥେରାପି ପାଇଁ ପୂର୍ବରୁ ନିର୍ଦ୍ଦିଷ୍ଟ କରାଯାଇଛି । ଦେଶବ୍ୟାପୀ ଆବଶ୍ୟକତା ମୁତାବକ ଅମ୍ଳଜାନ ଯୋଗାଣ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆସିଛି । ଏହାଫଳରେ ମୃତ୍ୟୁହାର କ୍ରମାଗତ ହ୍ରାସ ପାଇବା ସହ ଆଜି ଏହା ୧.୬୭ ପ୍ରତିଶତରେ ପହଞ୍ଚିଛି । ଅଦ୍ୟାବଧି ଶତକଡା ୩.୭ ଭାଗରୁ କମ ସକ୍ରିୟ ରୋଗୀ ଅମ୍ଳଜାନ ଆବଶ୍ୟକ କରୁଛନ୍ତି ।

Leave A Reply

Your email address will not be published.