ଅଭଦ୍ର କମେଣ୍ଟ୍‌ସ୍‌କୁ ବିରୋଧ କରିବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା

ଫିରୋଜାବାଦ : ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଅଭଦ୍ର କମେଣ୍ଟ୍‌ସ୍‌କୁ ବିରୋଧ କରିବାରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ୩ ଅସାମାଜିକ ଯୁବକ ଗୁଳି କରି ହତ୍ୟା କରିଥିବା ପୋଲିସ ପକ୍ଷରୁ ଆଜି ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ମୃତା ଛାତ୍ରୀ ଗତ ଶୁକ୍ରବାର ଦିନ ଦ୍ୱିପର ସମୟରେ ନିଜ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଘରକୁ ଫେରୁଥିବା ବେଳେ ତିନି ଜଣ ଯୁବକ ତାଙ୍କୁ ଅଭଦ୍ର କମେଣ୍ଟ୍‌ସ୍‌ କରି ହଇରାଣ କରିଥିଲେ । ସଂପୃକ୍ତ ନାବାଳିକା ଏହାକୁ ବିରୋଧ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂପୃକ୍‌କ୍ତ ତିନି ଜଣ ଯୁବକ ଶୁକ୍ରବାର ରାତିରେ ଛାତ୍ରୀଙ୍କ ଘର ଭିତରକୁ ପଶି ଶୋଇଥିବା ଛାତ୍ରୀଙ୍କୁ ମାର୍‌ପିଟ୍‌ କରିଥିଲେ । ଯେତେବେଳେ ପୀଡ଼ିତା ଛାତ୍ରୀଙ୍କ ବାପା ଏବଂ ଘରର ଅନ୍ୟ ସଦସ୍ୟମାନେ ଝିଅକୁ ବଂଚାଇବା ଚାହିଁଲେ, ସେତେବେଳ ଯୁବକମାନେ ଛାତ୍ରୀ ଉପରେ ଗୁଳି ଚଳାଇ ଫେରାର୍‌ ହୋଇ ଯାଇଥିଲେ । ତେବେ ପରିବାର ସଦସ୍ୟମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା ଏବଂ ତିନି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା । ତେବେ ଦୁଇ ଜଣଙ୍କୁ ପୋଲିସ କାବୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପୀଡ଼ିତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.