ଗରିବ କଲ୍ୟାଣ ରୋଜଗାର ଅଭିଯାନର ପ୍ରାୟ ୨୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ୧୬,୭୬୮ କୋଟି ଟଙ୍କା ବ୍ୟୟରେ ମିଶନ ମୋଡରେ କାର୍ୟ୍ୟ ଚାଲିଛି

• କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ଏହି ଅଭିଯାନ ଆରମ୍ଭ ହୋଇଛି
ନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ଦ୍ୱାରା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶ- ଏହି ୬ଟି ରାଜ୍ୟର ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘର ପାଖରେ କାମ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନ (ଜିକେଆରଏ) ଏବେ ସଫଳତାର ସହ ମିଶନ ମୋଡରେ କାର୍ୟ୍ୟ କରୁଛି । ସଂପୃକ୍ତ ୬ଟି ରାଜ୍ୟରେ ଏହି ଗୃହ ଫେରନ୍ତା ଶ୍ରମିକଙ୍କ ସହିତ ଗ୍ରାମାଞ୍ଚଳର ସ୍ଥାନୀୟ ଶ୍ରମିକମାନଙ୍କୁ ମଧ୍ୟ ନିଯୁକ୍ତି ସୁବିଧା ଯୋଗାଇ ଦିଆଯାଉଛି । ଏସବୁ ରାଜ୍ୟର ମୋଟ ୧୧୬ଟି ଜିଲାରେ ଏହି ଅଭିଯାନ ଚାଲିଛି ।
ଏ କାର୍ୟ୍ୟକ୍ରମ ଆରମ୍ଭ ହେବାର ସପ୍ତମ ସପ୍ତାହ ଶେଷସୁଦ୍ଧା ୨୧ କୋଟି ଶ୍ରମଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କୁ ରୋଜଗାର ସୁବିଧା ଯୋଗାଇ ଦିଆଯାଇଛି । ସେ ବାବଦରେ ମୋଟ ୧୬,୭୬୮ କୋଟି ଟଙ୍କା ଏ ପର୍ୟ୍ୟନ୍ତ ଖର୍ଚ୍ଚ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଏସବୁ ରାଜ୍ୟର ଗ୍ରାମାଞ୍ଚଳରେ ବୃହତ୍‌ ଭିତ୍ତିଭୂମିମାନ ତିଆରି କରାଯାଇଛି । ସେଥିମଧ୍ୟରେ ୭୭,୯୭୪ଟି ଜଳ ଅମଳ ପ୍ରକଳ୍ପ, ୨.୩୩ ଲକ୍ଷ ଗ୍ରାମାଞ୍ଚଳ ଆବାସ, ୧୭,୯୩୩ ଗୁହାଳ, ୧୧,୩୭୨ ଚାଷ ପୋଖରୀ ଏବଂ ୩୫୫୨ ଗୋଷ୍ଠୀ ଶୌଚାଳୟ ଅନ୍ତର୍ଭୁକ୍ତ । ଏହାସହିତ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ୬,୩୦୦ଟି କାମ ହାତକୁ ନିଆଯାଇଛି ଓ ୭୬୪ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ଯୋଗାଇ ଦିଆଯାଇଛି । ଏହାଛଡା ଏହି ସମୟ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ୨୫,୪୮୭ ଜଣଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଛି ।
ଗରିବ କଲ୍ୟାଣ ରୋଜଗାର ଅଭିଯାନ କେନ୍ଦ୍ରର ୧୨ଟି ମନ୍ତ୍ରଣାଳୟ ଓ ବିଭାଗ ଏବଂ ରାଜ୍ୟ ସରକାରଗୁଡିକର ସହଯୋଗରେ ମିଳିତଭାବେ କାର୍ୟ୍ୟକାରୀ ହେଉଛି । ଏଥିରେ ପ୍ରବାସରୁ ଫେରିଥିବା ଶ୍ରମିକ ଏବଂ ଗ୍ରାମୀଣ ସମୁଦାୟଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏହି ଅଭିଯାନ କରୋନା ମହାମାରୀ ଆରମ୍ଭ ପରେ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ଜୀବିକା ଉପାର୍ଜନର ପନ୍ଥା ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିଲା । ଏବେ ଯେଉଁ ଶ୍ରମିକମାନେ ଅଧିକ କାଳ ଗାଁରେ ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଅଧିକ ସମୟ ଏହି ରୋଜଗାର ସୁବିଧା ଯୋଗାଇ ଦିଆଯିବ ।

Leave A Reply

Your email address will not be published.