୧ ଲକ୍ଷ ଟଙ୍କିଆ ନୋଟ୍‌ ଛାପିବା ପ୍ରସ୍ତୁତିରେ ବେନେଜୁଏଲା : ଏମିତି ୨ଟି ନୋଟ୍‌ରେ ମିଳିବ ୧ କିଲୋ ଚାଉଳ

କାରାକସ୍‌ : କେବେ ଦିନେ ତୈଳ ଉତ୍ପାଦନ ଯୋଗୁଁ ଅପାର ସଂପନ୍ନତାରେ ପରିପୂର୍ଣ୍ଣ ଥିବା ଦକ୍ଷିଣ ଆମେରିକୀୟ ଦେଶ ବେନେଜୁଏଲାରେ ଏବେ ଲୋକ ଭୋକରେ ମରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦେଶର ଆର୍ଥିକ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଏହି ଦେଶର ଏଭଳି ଅବସ୍ଥା ହୋଇଛି ଯେ, ଲୋକେ ବଜାରକୁ ବ୍ୟାଗ୍‌ ଓ ବସ୍ତାରେ ଟଙ୍କା ନେଇ ଯାଆନ୍ତି ଏବଂ ହାତରେ କିମ୍ବା ପଲିଥିନ୍‌ରେ ଗୃହ ସାମଗ୍ରୀ ଆଣନ୍ତି । ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ ଅର୍ଥନୀତିର ନିହାତି ଦୟନୀୟ ଅବସ୍ଥା ହେତୁ ଦେଶ ଏବେ ଅଧିକ ମୂଲ୍ୟର ନୋଟ୍‌ ଛାପିବାକୁ ଯୋଜନା କରୁଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବେନେଜୁଏଲାର ସରକାର ଏବେ ୧ ଲକ୍ଷ ବୋଲିୱର(ଏହି ଦେଶର ଟଙ୍କା)ର ନୋଟ୍‌ ଛାପିବା ପାଇଁ ଯାଉଛି । ଏଥିପାଇଁ ଇଟାଲିର ଏକ ଫାର୍ମରୁ ୭୧ ଟନ୍‌ ସିକ୍ୟୁରିଟି ପେପର୍‌ ଆମଦାନୀ କରାଯାଇଛି । ତେବେ କଷ୍ଟମ୍‌ର ରିପୋର୍ଟରେ ସିକ୍ୟୁରିଟି ପେପର୍‌ ଆମଦାନୀ କରାଯାଇଥିବା କଥା ଜଣାପଡ଼ିଛି । ବେନେଜୁଏଲାରେ ୧ ଲକ୍ଷ ବୋଲିୱର ନୋଟ୍‌ ଛପାଗଲେ, ଏହା ସବୁଠୁ ଅଧିକ ମୂଲ୍ୟ ବର୍ଗର ନୋଟ୍‌ ହେବ । ଏହାର ମୂଲ୍ୟ ବି ୦.୨୩ ୟୁଏସ୍‌ ଡଲାର୍‌ ହେବ । ଏତିକି ମୂଲ୍ୟରେ ଏଠାରେ କେବଳ ଦୁଇ କିଲୋ ଆଳୁ କିମ୍ବା ଅଧ କିଲୋ ଚାଉଳ କିଣା ଯାଇପାରୁଛି ।

Leave A Reply

Your email address will not be published.