pakka

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତର ୩୫୪ ଗାଁରେ ସରକାର ଯୋଗାଇବେ ମୋବାଇଲ ସଂଯୋଗ ସୁବିଧା: ରବିଶଙ୍କର ପ୍ରସାଦ

• ଉପଗ୍ରହଭିତ୍ତିକ ଡିଏସ୍‌ପିଟି ବ୍ୟବସ୍ଥାରେ ସେନା, ସୀମା ସୁରକ୍ଷା ବାହିନୀ, ସୀମାନ୍ତ ସଡ଼କ ପ୍ରତିଷ୍ଠାନ, ସିଆରପିଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବିକୁ ୧୩୪୭ ସ୍ଥାନରେ ମୋବାଇଲ ସେବା ଯୋଗାଇ ଦିଆଯାଉଛି
• ଟେଲିକମ୍‌ ବିଭାଗ ପକ୍ଷରୁ ମଧ୍ୟ ଦେଶର ୬୮ଟି ଆକାଂକ୍ଷୀ ଜିଲାରେ ସେବା ନଥିବା ଗାଁକୁ ମୋବାଇଲ ସଂଯୋଗ ଯୋଗାଇ ଦିଆଯିବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଗଯୋଗ ତଥା ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଦେଶର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ଦୂରସଞ୍ଚାର ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରି ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ସୀମାନ୍ତର ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୩୫୪ ଗ୍ରାମରେ ମୋବାଇଲ ଟେଲିଫୋନ ସେବା ଯୋଗାଇ ଦିଆଯିବ । ବିଶେଷକରି ଦେଶର ୬୮ଟି ଆକାଂକ୍ଷୀ ଜିଲା, ସୀମାନ୍ତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଅପହଞ୍ଚ ଇଲାକାରେ ଲୋକଙ୍କୁ ମଧ୍ୟ ଏହି ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । ଲୋକଙ୍କୁ ଉତ୍ତମ ମାନର ଜୀବନଧାରଣ ସୁବିଧା ଯୋଗାଇ ଦେବାକୁ ଏହି କାର୍ୟ୍ୟକ୍ରମ ଉଦ୍ଦିଷ୍ଟ । ଦୂର ସଞ୍ଚାର ସେବା ପହଞ୍ଚିଲେ ସେଠାରେ କାର୍ୟ୍ୟ କରୁଥିବା କର୍ମଚାରୀମାନେ ବିଶେଷ ଉପକୃତ ହେବେ ।
ଚେନ୍ନଇଠାରେ ଆଜି ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ୨୩୦୦ କିମି ଲମ୍ବର ସମୁଦ୍ରଜଳ ଅପ୍‌ଟିକାଲ ଫାଇବର କେବୁଲ ସଂଯୋଗ ବ୍ୟବସ୍ଥାର ଉଦ୍‌ଘାଟନ ଅବସରରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏହି କେବୁଲ ସେବା ପାଇଁ ୧୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିସହିତ ଦେଶର ଅନ୍ୟାନ୍ୟ ଅପହଞ୍ଚ ଇଲାକାକୁ ଟେଲି ସେବା ଯୋଗାଇ ଦେବାକୁ ସରକାର କାର୍ୟ୍ୟ କରୁଛନ୍ତି ।
ଦେଶର ଅପହଞ୍ଚ ଓ ଅଗମ୍ୟ ଅଞ୍ଚଳରେ ବିଭିନ୍ନ ଟେଲି ସଂଯୋଗ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଦେଶର ମୋଟ ୩୫୪ଟି ଟେଲିସେବା ସୁଯୋଗ ନଥିବା ଗାଁକୁ ଟେଲି ସଂଯୋଗ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିସବୁ ଗ୍ରାମ ସାମରିକ, ସୀମା ସରହଦ ଓ ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିମଧ୍ୟରୁ ୧୪୪ଟି ଗାଁ ଜମ୍ମୁ, କଶ୍ମୀର ଓ ଲଦାଖରେ ରହିଛି । ଅବଶିଷ୍ଟ ଗ୍ରାମଗୁଡିକ ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଗୁଜରାଟର ଅଗ୍ରାଧିକାର କ୍ଷେତ୍ରରେ ଅଛି । ସୀମାନ୍ତ ଅଞ୍ଚଳରେ ମୋବାଇଲ ସଂଯୋଗ ବ୍ୟବସ୍ଥାରେ ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ଏସବୁ ଗ୍ରାମଗୁଡିକ ଟେଲି ସଂଯୋଗ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ସଂପୂର୍ଣ୍ଣଭାବେ କାର୍ୟ୍ୟକାରୀ ହେଲେ ଜମ୍ମୁ, କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ସବୁ ଗ୍ରାମକୁ ମୋବାଇଲ ସଂଯୋଗ ଯୋଗାଣ ସମ୍ଭବ ହୋଇପାରିବ । ସେନା, ସୀମା ସୁରକ୍ଷା ବାହିନୀ, ସୀମାନ୍ତ ସଡ଼କ ପ୍ରତିଷ୍ଠାନ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ, ଆଇଟିବିପି ଓ ଏସ୍‌ଏସ୍‌ବି ଭଳି ପ୍ରତିଷ୍ଠାନ ଓ ସଂଗଠନକୁ ଯୋଗାଯୋଗ ସୁବିଧା ଯୋଗାଇବା ପାଇଁ ୧୪୭ଟି ସ୍ଥାନରେ ଉପଗ୍ରହ ଭିତ୍ତିକ ଡିଜିଟାଲ ସାଟେଲାଇଟ ଫୋନ ଟର୍ମିନାଲ ସୁବିଧା ଯୋଗାଇ ଦିଆଯାଇଛି । ଏସବୁ ମଧ୍ୟରୁ ୧୮୩ଟି ସ୍ଥାନରେ ଯୋଗାଯୋଗ ସୁବିଧା ଉପଲବ୍ଧ ହେଲାଣି । ଅନ୍ୟତ୍ର ଏହି କାର୍ୟ୍ୟ ଦ୍ରୁତଗତିରେ ଚାଲିଛି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଟେଲିକମ୍‌ ବିଭାଗ ପକ୍ଷରୁ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ୨୪ଟି ଆକାଂକ୍ଷୀ ଜିଲାରେ ମୋବାଇଲ ସଂଯୋଗ ସବୁ ଗ୍ରାମକୁ ଯୋଗାଇ ଦିଆଯାଇଛି । ସେହିଭଳି ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶର ୪୪ଟି ଆକାଂକ୍ଷୀ ଜିଲାର ୭୨୮୭ ସେବାରହିତ ଗ୍ରାମକୁ ଖୁବ୍‌ଶୀଘ୍ର ମୋବାଇଲ ସେବା ଯୋଗାଇ ଦିଆଯିବ । ଏଥିପାଇଁ ଏକ ପ୍ରସ୍ତାବ ସରକାରଙ୍କ ବିଚରାଧୀନ ରହିଛି ।

Leave A Reply

Your email address will not be published.

3 − two =