ବଲାଙ୍ଗିର, (କେପିଏନ୍ଏସ୍) : ଆଜି ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି କୂଷ୍ମାଣ୍ଡା ବେଶରେ । ସହର ତଥା ଜିଲ୍ଲାର ସମସ୍ତ ଦେବୀ ପୀଠରେ ଆଜି କୂଷ୍ମାଣ୍ଡା ରୂପରେ ପୂଜା ପାଇଛନ୍ତି ଜଗତ୍ଜନନୀ ଦୁର୍ଗତିନାଶିନୀ ମା’ । ତେବେ ତାଙ୍କ କୂଷ୍ମାଣ୍ଡା ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ସଂପର୍କରେ ଆସନ୍ତୁ ଆଜି ଜାଣିବା କିଛି ।
ସୁରାସମ୍ପୂର୍ଣ୍ଣକଳଶଂ ରୁଧିରାପ୍ଲୁତମେବ ଚ ।
ଦଧନା ହସ୍ତପଦ୍ମାଭ୍ୟାଂ କୂଷ୍ମାଣ୍ଡା ଶୁଭଦାସ୍ତୁ ମେ । ।
ମାତା ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପର ନାମ କୂଷ୍ମାଣ୍ଡା । ନିଜର ମନ୍ଦହାସ ଦ୍ୱାରା ଅଣ୍ଡ ଅର୍ଥାତ୍ ବ୍ରହ୍ମାଣ୍ଡକୁ ଉତ୍ପତ୍ତି କରିଥିବା କାରଣରୁ ମାତାଙ୍କୁ କୂଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି ।
ଯେତେବେଳେ ସୃଷ୍ଟିର କୌଣସି ଅସ୍ତିତ୍ୱ ନଥିଲା, ଚତୁର୍ଦ୍ଦିଗରେ କେବଳ ଅନ୍ଧକାର ହିଁ ପରିବ୍ୟାପ୍ତ ହୋଇ ରହିଥିଲା, ସେତେବେଳେ ଏହି ଦେବୀ ନିଜର ଇଷତ୍ ହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡ ରଚନା କରିଥିଲେ । ତେଣୁ ଏହି ମାତା ହିଁ ସୃଷ୍ଟିର ଆଦି-ସ୍ୱରୂପା ଆଦି ଶକ୍ତି ଅଟନ୍ତି । ତାଙ୍କ ପୂର୍ବରୁ ବ୍ରହ୍ମାଣ୍ଡର କୌଣସି ଅସ୍ତିତ୍ୱ ନଥିଲା ।
ଏହି ମା’ଙ୍କ ନିବାସ ସୂର୍ୟ୍ରମଣ୍ଡଳର ଅନ୍ତଃଲୋକରେ । ସୂର୍ୟ୍ୟାଲୋକରେ ନିବାସ କରିବାର କ୍ଷମତା ଓ ଶକ୍ତି କେବଳ ଏହାଙ୍କର ରହିଛି । ଏହାଙ୍କ ଶରୀରର କାନ୍ତି ଓ ପ୍ରଭା ମଧ୍ୟ ସୂର୍ୟ୍ୟ ସମାନ ଦେବାପ୍ୟମାନ ଓ ଭାସ୍ୱର । ଏଥିରୁ ଏହାଙ୍କର ତେଜର କଳନା କରାଯାଇ ପାରିବ । ତେଜ ଓ ପ୍ରଭାବରେ ଅନ୍ୟ କୌଣସି ଦେବୀ ଦେବତା ମା’ଙ୍କର ସମକକ୍ଷ ନୁହନ୍ତି । ମା’ଙ୍କର ତେଜ ଓ ପ୍ରକାଶରେ ଦଶଦିଗ ଉଦ୍ଭାସିତ ହେଉଛି । ବ୍ରହ୍ମାଣ୍ଡର ସକଳ ବସ୍ତୁର ତଥା ସମସ୍ତ ପ୍ରାଣୀମାନଙ୍କର ତେଜ ହେଉଛି ଏହି ମା’ଙ୍କ ତେଜର ଛାୟା ମାତ୍ର ।
ମା’ଙ୍କର ଭୂଜ ସଂଖ୍ୟା ଆଠ । ତେଣୁ ମା’ ଅଷ୍ଟଭୂଜା ନାମରେ ମଧ୍ୟ ବିଖ୍ୟାତ । ତାଙ୍କର ସାତଟି ହାତରେ କ୍ରମାନ୍ୱୟରେ କମଣ୍ଡଳୁ, ଧନୁ, ବାଣ, କମଳପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଛି । ଅଷ୍ଟମ ହାତରେ ରହିଛି ସର୍ବସିଦ୍ଧି-ସର୍ବନିଧି ପ୍ରଦାୟକ ଜପାମାଳା ।
ମା’ଙ୍କ ବାହାନ ହେଉଛି ସିଂହ । ପାଣିକଖାରୁକୁ ସଂସ୍କୃତରେ କୂଷ୍ମାଣ୍ଡା କହନ୍ତି । ମା’ଙ୍କର ସବୁଠାରୁ ପ୍ରିୟ ବଳି ହେଉଛି ଏହି ପାଣିକଖାରୁ । ଏହି କାରଣରୁ ମଧ୍ୟ ତାଙ୍କର ନାମ କୂଷ୍ମାଣ୍ଡା ଅଟେ ।
ନବରାତ୍ର ପୂଜାର ଚତୁର୍ଥ ଦିନ କୂଷ୍ମାଣ୍ଡା ଦେବୀଙ୍କର ସ୍ୱରୂପକୁ ହିଁ ପୂଜା କରାଯାଏ । ସେଦିନ ସାଧକଙ୍କର ମନ ‘ଅନାହତ’ ଚକ୍ରରେ ସ୍ଥିତ ହୁଏ । ତେଣୁ ସେଦିନ ସାଧକ ଅତ୍ୟନ୍ତ ପବିତ୍ର ଓ ଅଚଂଚଳ ଚିତ୍ତରେ କୂଷ୍ମାଣ୍ଡା ଦେବୀଙ୍କର ସ୍ୱରୂପକୁ ଧ୍ୟାନରେ ରଖି ପୂଜା-ଉପାସନା କାର୍ୟ୍ୟରେ ଲାଗି ରହିବା ଉଚିତ । ମା’ କୂଷ୍ମାଣ୍ଡାଙ୍କ ଉପାସନା କଳେ ଭକ୍ତଙ୍କର ସକଳ ରୋଗ ଶୋକ ବିନଷ୍ଟ ହୋଇଯାଏ । ମା’ଙ୍କୁ ଭକ୍ତି କଲେ ଆୟୁ, ଯଶ, ବଳ ଓ ସ୍ୱାସ୍ଥ୍ୟ ବୃଦ୍ଧି ହୁଏ । କୂଷ୍ମାଣ୍ଡା ଦେବୀ ଅତିଅଳ୍ପ ସେବା ଓ ଭକ୍ତିରେ ପ୍ରସନ୍ନ ହୋଇଯାଆନ୍ତି । ଯଦି ମନୁଷ୍ୟ ନିର୍ମଳ ହୃଦୟରେ ମା’ଙ୍କର ଶରଣାଗତ ହୋଇଯିବ, ତା’ହେଳେ ତ ସେ ଅତି ସହଜରେ ପରମପଦ ପ୍ରାପ୍ତ ହୋଇଯିବ ।
କେବଳ ଏତିକି ଆବଶ୍ୟକ ଯେ, ଶାସ୍ତ୍ର-ପୁରାଣରେ ବର୍ଣ୍ଣିତ ବିଧି ବିଧାନ ଅନୁସାରେ ଆମକୁ ମାତା ଦୁର୍ଗାଙ୍କର ଉପାସନା କରି ଭକ୍ତିମାର୍ଗରେ ଦିବାନିଶି ଅଗ୍ରସର ହେବାକୁ ପଡ଼ିବ । ମାତାଙ୍କ ଭକ୍ତିମାର୍ଗରେ ଅଳ୍ପ କିଛି ପାଦ ଆଗକୁ ଚାଲୁ ଚାଲୁ ହିଁ ଭକ୍ତ ମା’ଙ୍କ କୃପାର ସୂକ୍ଷ୍ମ ଅନୁଭବ ପାଇଯାଆନ୍ତି । ଏହି ଦୁଃଖର ସଂସାର ତାଙ୍କ ପାଇଁ ଅତ୍ୟନ୍ତ ସୁଖଦ ଓ ସୁଗମ ହୋଇଯାଏ । ମା’ଙ୍କର ଉପାସନା ହିଁ ମନୁଷ୍ୟ ନିମନ୍ତେ ଭବସାଗରରୁ ପାର ହେବାର ସର୍ବାଧିକ ସୁଗମ ଓ ଶ୍ରେୟସ୍କର ଉପାୟ । ମାତା କୂଷ୍ମାଣ୍ଡାଙ୍କର ସକଳ ଆଧି ବ୍ୟାଧିରୁ ସର୍ବଦା ମୁକ୍ତ କରି ମନୁଷ୍ୟକୁ ସୁଖ, ଶାନ୍ତି ଓ ସମୃଦ୍ଧି ପଥରେ ନେଇଯାଏ । ତେଣୁ ନିଜର ଲୌକିକ-ପରଲୌକିକ ଉନ୍ନତି ଚାହୁଁଥିବା ବ୍ୟକ୍ତି ଏହି ମା’ଙ୍କ ଉପାସନାରେ ସର୍ବଦା ତତ୍ପର ରହିବା ଆବଶ୍ୟକ ।