କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ସମସ୍ୟାକୁ ଲୋକସଭା ଓ ବିଧାନସଭାରେ ଉପସ୍ଥାପିତ କରାଯିବ

  • ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ୨୧ତମ ଅଧିବେଶନରେ ସାଂସଦ ଉଲାକା ଓ ବିଧାୟକ ବାହିନୀପତିଙ୍କ ଦୃଢେ଼ାକ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ଯେଉଁଭଳି ଆର୍ଥିକ ଅନାଟନର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଲୋକସଭା ଓ ବିଧାନସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ଓ ଜୟପୁରର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି । ଅପ୍ରେଲ ୧୬ରୁ ୧୮ ତାରିଖ ତିନିଦିନ ଧରି ଜୟପୁରସ୍ଥିତ ସ୍ୱାମୀନାଥନ କୃଷି ଗବେଷଣା କେନ୍ଦ୍ର ପରିସରରେ ଆୟୋଜିତ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ (ଏଏସ୍‌ଏମ୍‌ଏନ୍‌ଆଇ)ର ୨୧ତମ ସର୍ବଭାରତୀୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାଷା, ସାହିତ୍ୟ, ସଂସ୍କୃତି ରୁଦ୍ଧିମନ୍ତ କରିବା ସହିତ ବିଶେଷ କରି ଅବହେଳିତ ଅଞ୍ଚଳର ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବା ଦିଗରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର କେବଳ ବୃହତ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ କରୁଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ଲଗାତର ଅବହେଳାର ଶିକାର ହୋଇଆସୁଛନ୍ତି । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କୁ ସାମ୍ବାଦିକମାନଙ୍କ ଭଳି ଦିଆଯାଉଥିବା ସୁବିଧା ସୁଯୋଗ ଯଥା ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଅତିଥିମାନେ କହିଥିଲେ । କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପଲିତା ଉଦ୍‌ବୋଧନ ଦେଇ ଗଣମାଧ୍ୟମର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ସ୍ୱାମୀନାଥନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡ଼ା ଯୋଗ ଦେଇଥିଲେ । ବର୍ତ୍ତମାନ ନ୍ୟୁଜ୍‌ ପ୍ରିଣ୍ଟର ମୂଲ୍ୟବୃଦ୍ଧି ଯୋଗୁଁ ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରି ଏ ଦିଗରେ କେନ୍ଦ୍ର ସରକାର ସମସ୍ତ ରିହାତି ଯୋଗାଇବା ଉଚିତ ହେବ ବୋଲି କହିଥିଲେ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ଚାପା ସୃଷ୍ଟି, ସମାଜରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂର କରିବା ପାଇଁ ବୃହତ ସମ୍ବାଦପତ୍ରମାନେ ବିଫଳ ହେଉଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ଲୋକଲୋଚନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡ଼ିକୁ ଅନୁମୋଦନ କରିବା ପାଇଁ ଦୁଇ ହଜାର ପ୍ରସାରକୁ ସ୍ୱୀକୃତି ପ୍ରଦାନ କରିବା, ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଦିଆଯାଉଥିବା ବିଜ୍ଞାପନକୁ ଜିଲାସ୍ତରୀୟ ସମ୍ବାଦପତ୍ରଗୁଡ଼ିକୁ ପ୍ରଦାନ କରିବା, ସରକାରୀ ସ୍ୱୀକୃତି ଅନୁମୋଦନ ପାଇଁ ଅପେକ୍ଷା କରିଥିବା ସମ୍ବାଦପତ୍ରଗୁଡ଼ିକ ପ୍ରତି କୋହଳ ମନୋଭାବ ପୋଷଣ କରି ସ୍ୱୀକୃତି ପ୍ରଦାନ କରିବା ଭଳି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଉଭୟେ ଶ୍ରୀ ଉଲାକା ଓ ଶ୍ରୀ ବାହିନୀପତି ସଂଗଠନ ପକ୍ଷରୁ ପ୍ରସ୍ତାବ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ ହୋଇଥିଲା । ସମ୍ମିଳନୀରେ ରାଜ୍ୟ ସଂଗଠନର ସଭାପତି ରବି ରଥ, ମୁଖ୍ୟ ଉଦ୍ୟୋକ୍ତା ତଥା କେବିକେ ସମାଚାର ସମ୍ପାଦକ ବିନୋଦ ମହାପାତ୍ର, କର୍ମକର୍ତ୍ତା ଭଜରାମ ମହାପାତ୍ର, ଜଗଦୀଶ ମିଶ୍ର, ବିରେନ୍ଦ୍ର କୁମାର ପାଣିଗ୍ରାହୀ, ସରୋଜ ରଞ୍ଜନ ପଟ୍ଟନାୟକ, ସବିତା ମିଶ୍ର, ବିଜୟ କୁମାର ମହାନ୍ତି, ବାବୁଲି ବେହେରା, ଚନ୍ଦ୍ରକାନ୍ତ ସୂତାର, ମଞ୍ଜୁ ରଥ, ରାଜେନ୍ଦ୍ର କୁମାର ଗୌଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!