ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

• ସମ୍ମିଳନୀରେ ଅଧ୍ୟକ୍ଷତା କଲେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ
• ପୋଷଣରେ ସୁଧାର ପାଇଁ ବିଭିନ୍ନ ପିଢ଼ିରେ ସମୟୋପଯୋଗୀ ହସ୍ତକ୍ଷେପର ଆବଶ୍ୟକତା ରହିଛି : ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ
• ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରିବା ଲାଗି ସମୟ ଆସିଛି : କେନ୍ଦ୍ର ମନ୍ତ୍ରୀ
• ସମ୍ମିଳନୀରେ ଅଂଶଗ୍ରହଣ କଲେ ପାଞ୍ଚଟି ରାଜ୍ୟ ସରକାରଙ୍କ ପ୍ରତିନିଧି

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ ଅଧ୍ୟକ୍ଷତା କରିଥିଲେ । ସମ୍ମିଳନୀରେ ପୂର୍ବାଞ୍ଚଳ କ୍ଷେତ୍ରର ୫ଟି ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ସମ୍ମିଳନୀ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମହେନ୍ଦ୍ର ଭାଇ କହିଥିଲେ ଯେ, ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ମାନବ ଓ ସାମାଜିକ ପୁଞ୍ଜି ନିର୍ମାଣ କରିବାର ଆବଶ୍ୟକତା ରହିଛି ଯାହାକି ଉନ୍ନତ ପୋଷଣ, ଲିଙ୍ଗଗତ ସମାନତା, ଉପଯୁକ୍ତ ଶିକ୍ଷା ଏବଂ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଅଧିକାରର ସ୍ତମ୍ଭ ଉପରେ ଆଧାରିତ ହେବା ଉଚିତ୍ । ସେ କହିଥିଲେ ଯେ, ଦେଶର ଜନସଂଖ୍ୟାର ୬୯% ହେଉଛନ୍ତି ମହିଳା ଓ ଶିଶୁ । ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସରକାର ନିରନ୍ତର କାର୍ୟ୍ୟ କରି ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ତିନୋଟି ଅଭିଯାନ କାର୍ୟ୍ୟକାରୀ କରୁଛନ୍ତି – ମିଶନ ପୋଷଣ ଟୁ ପଏଣ୍ଟ ଜିରୋ ମାଧ୍ୟମରେ ମହିଳା ଓ ଶିଶୁମାନଙ୍କର ପୁଷ୍ଟିସାଧନ ଆବଶ୍ୟକତା ଉପରେ ଧ୍ୟାନ ଦିଆଯାଇଛି । ଦ୍ବିତୀୟତଃ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣ କରାଯାଉଛି ଏବଂ ତୃତୀୟରେ ମିଶନ ବାତ୍ସଲ୍ୟ ମାଧ୍ୟମରେ ଶିଶୁମାନଙ୍କର କଲ୍ୟାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ।
ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ମହିଳା ଓ ଶିଶୁମାନଙ୍କ ପୋଷଣରେ ସୁଧାର ଆଣିବା ପାଇଁ ସବୁପିଢ଼ି ମଧ୍ୟରେ ସମୟୋଚିତ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଡକ୍ଟର ମୁଞ୍ଜପାରା କହିଥିଲେ ଯେ ପୋଷଣ ଟୁ ପଏଣ୍ଟ ଜିରୋ ମାଧ୍ୟମରେ ଦୀର୍ଘସ୍ଥାୟୀ ସୁସ୍ଥତା, କଲ୍ୟାଣ ଏବଂ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପୁଷ୍ଟିସାଧନ ସଚେତନତା ଏବଂ ଉତ୍ତମ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ସ୍ଥାନୀୟ ସହଭାଗିତା ଏବଂ ଉତ୍ତରଦାୟିତ୍ୱ ଜରିଆରେ ଅଭ୍ୟାସଗତ ପରିବର୍ତ୍ତନ ଆଣିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ୧୧.୯୪ ଲକ୍ଷ ଅଭିବୃଦ୍ଧି ନିରୀକ୍ଷଣ ଉପକରଣ ବିତରଣ କରିଛୁ ଏବଂ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ୧୧ ଲକ୍ଷ ତିନି ହଜାର ସ୍ମାର୍ଟ ଫୋନ୍‌ ଯୋଗାଇ ଦିଆଯାଇଛି । ପ୍ରଶାସନିକ ସୁଧାର ଏବଂ ଅପପୁଷ୍ଟିର ଶିକାର ଶିଶୁଙ୍କୁ ଚିହ୍ନଟ ଓ ଚିକିତ୍ସା କରିବା ଲାଗି ଆମେ ପୋଷଣ ଟ୍ରାକର୍‌ କାର୍ୟ୍ୟକାରୀ କରିଛୁ । କେନ୍ଦ୍ର ମନ୍ତ୍ରୀ ଅନ୍ୟ ଦୁଇଟି ଯୋଜନା ବିଷୟରେ ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନର ବୈଧାନିକ ସଂସ୍ଥାକୁ ସୁଦୃଢ଼ କରିବା ଏବଂ ଜରୁରିକାଳୀନ ପ୍ରସାର ସେବା ବିତରଣ ଜରିଆରେ ଅସହାୟ ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମିଶନ ବାତ୍ସଲ୍ୟ ଯୋଜନା କାର୍ୟ୍ୟକାରୀ କରୁଛୁ । ମିଶନ ଶକ୍ତି ଅଧୀନରେ ମହିଳା-କୈନ୍ଦ୍ରିକ ବିକାଶ ପାଇଁ ସରକାରଙ୍କ ସଂକଳ୍ପକୁ ସାକାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, କୋଭିଡ ସଂକ୍ରାନ୍ତ ସବୁ କଟକଣା ଉଚ୍ଛେଦ କରାଯାଇଛି । ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ସମୟ ଆସିଛି । ଆଗାମୀ ଆର୍ଥିକ ବର୍ଷଗୁଡ଼ିକରେ ରାଜ୍ୟମାନେ କାର୍ୟ୍ୟକାରୀ ସଂସ୍ଥା ଭାବେ ଏସବୁ ଯୋଜନାକୁ କାର୍ୟ୍ୟକାରୀ କରିବେ । ତେଣୁ ସେମାନଙ୍କୁ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରିବା ଲାଗି ଏହି ଜୋନ୍‌ସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି ।
ଏହି ସମ୍ମିଳନୀରେ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ପଶ୍ଚିମବଙ୍ଗର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଡକ୍ଟର ଶଶି ପଞ୍ଜା ଅଂଶଗ୍ରହଣ କରିଥିଲେ । ମହିଳା ଓ ଶିଶୁମାନଙ୍କର କଲ୍ୟାଣ ପାଇଁ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ହସ୍ତକ୍ଷେପ ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ତିନୋଟି ମିଶନର ଉପଯୁକ୍ତ କାର୍ୟ୍ୟକାରିତା ନିମନ୍ତେ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବା ନିମନ୍ତେ ଉଭୟ ଆଶ୍ବାସନା ଦେଇଥିଲେ ।
ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଇନ୍ଦିବର ପାଣ୍ଡେ ଏହି ତିନୋଟି ନୂଆ ମିଶନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ୨୦୩୦ ସୁଦ୍ଧା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଅଧୀନରେ କେତେକ ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଛି । ଏହି ତିନୋଟି ମିଶନ ଜରିଆରେ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରାଯାଇ ପାରିବ ଏବଂ ରାଜ୍ୟଗୁଡ଼ିକ ଏଥିରେ ସକ୍ରିୟ ଭାଗିଦାର ରହିବେ ।
ଏହି ଜୋନ୍‌ସ୍ତରୀୟ ସମ୍ମିଳନୀରେ ୫ଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଜରିଆରେ ମହିଳା ଓ ଶିଶୁମାନଙ୍କର ବିକାଶ ଓ ସଶକ୍ତିକରଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଥିଲା ।

Leave A Reply

Your email address will not be published.