ଟିଟିଲାଗଡ଼ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଦାବୀ ଉପସ୍ଥାପନ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : କୋସଲି ସାହିତ୍ୟ ସଂସ୍କୃତି ଏକାଡେ଼ମୀ ତରଫରୁ ଆୟୋଜିତ ପଶ୍ଚିମ ଓଡ଼ିଶାର ତେରଟି ଜିଲ୍ଲାରେ ହୋଇଥିବା ଗଣଧାରଣା ପରିପ୍ରେକ୍ଷୀରେ ଟିଟିଲାଗଡ଼ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ସଭାରେ ସମିତିର ସଭାପତି ଦିଲିପ କୁମାର ପଶାୟତ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ସେବକ ଚରଣ ଦାଶ, ଭିକାରୀ ଚରଣ ମିଶ୍ର, ନୀଳମଣି ସାହୁ, ଜ୍ୟୋତିପ୍ରକାଶ ଗଡ଼ତ୍ୟା, ଘିନୁ ଆଡ଼ଯୁଆଡ଼, ହେମେନ୍ଦ୍ର ହାଁସଦା, ସତ୍ୟବ୍ରତ ପଣ୍ଡା ପ୍ରମୁଖ ମଂସାସୀନ ଥିଲେ । ଓଡ଼ିଶାର ପଶ୍ଚିମାଂଚଳ ତଥା ଅନ୍ୟ ଅଂଚଳରେ ପ୍ରାୟ ତିନି କୋଟି ଜନସାଧାରଣ କୋସଲିକୁ ନିଜର ମାତୃଭାଷା ରୂପେ ଶହ ଶହ ବର୍ଷ ଧରି ବ୍ୟବହାର କରି ଆସୁଛନ୍ତି । କୋସଲି ଭାଷାରେ ହଜାର ହଜାର ପୁସ୍ତକ ପ୍ରକାଶିତ ହୋଇ ସାରିଛି । ସାହିତ୍ୟ, ସଂସ୍କୃତି, କଳା ଓ ଐତିହ୍ୟକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ସଂପ୍ରତି ଏହି ଭାଷାର ଅଭିଧାନ ପ୍ରଣେତା ନରସିଂହ ଗୁରୁଙ୍କୁ ଜାତୀୟ ପୁରସ୍କାର ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି । କିନ୍ତୁ ଏହି ଭାଷାକୁ ବର୍ଷ ବର୍ଷର ଦାବୀ ସତ୍ୱେ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରାଯାଇନାହିଁ । ଦ୍ୱିତୀୟତଃ ଏହି ଅଂଚଳର ଶିଶୁ ଓଡ଼ିଆ ଭାଷାରେ ଦିଆଯାଉଥିବା ଶିକ୍ଷାକୁ ମାନସିକ ସ୍ତରରେ ଗ୍ରହଣ କରି ପାରୁନଥିବାରୁ ତାହାର ଶୈକ୍ଷିକ ଓ ମାନସିକ ବିକାଶ ହୋଇ ପାରୁନାହିଁ । ତେଣୁ କୌଣସି ପରୀକ୍ଷାରେ ଅନ୍ୟମାନଙ୍କଠାରୁ ପଛେଇ ରହୁଛି । ତୃତୀୟତଃ ସରକାରୀ କାର୍ୟ୍ୟାଳୟ ମାନଙ୍କରେ ପ୍ରଚଳିତ ଇଂରାଜୀ ଓ ଓଡ଼ିଆ ଭାଷାକୁ ବୁଝି ପାରୁ ନଥିବାରୁ ନ୍ୟାୟିକ ସୁବିଧାଠାରୁ ଏ ଅଂଚଳର ଜନସାଧାରଣ ଦୂରେଇ ରହୁଛନ୍ତି । ଏହି ଅଂଚଳର ଗବେଷକ, ଐତିହାସିକ, ସାହିତ୍ୟିକ, କବି ଓ ଲେଖକମାନଙ୍କ ପାଇଁ ଏହି ଭାଷାର ନା’ ବିଶ୍ୱବିଦ୍ୟାଳୟଟିଏ ଅଛି ନା’ କୋସଲି ସାହିତ୍ୟ ଏକାଡେ଼ମୀ ଟିଏ ରହିଛି । ଦୀର୍ଘ ବର୍ଷ ଧରି ଏ ସଂକ୍ରାନ୍ତରେ ଦାବୀ ଉଠୁଥିବା ସତ୍ୱେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଆଜି ଏହି ମିଳିତ ମଂଚ, କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା, ପ୍ରାଥମିକ ସ୍ତରରେ ଶିକ୍ଷାଦାନ, ଏହି ଭାଷାକୁ ରାଜ୍ୟରେ ଦ୍ୱିତୀୟ ସରକାରୀ ଭାଷା ଭାବେ ଗହଣ ଏବଂ ପଶ୍ଚିମ ଓଡ଼ିଶାରେ କୋସଲ ବିଶ୍ୱବିଦ୍ୟାଳୟ ତଥା ସାହିତ୍ୟ ଏକାଡେ଼ମୀ ସ୍ଥାପନ ତୁରନ୍ତ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବଂଚାସୀନ ସଦସ୍ୟଗଣ ଦାବୀ ଉପସ୍ଥାପନ କରିଥିଲେ । ସଂପାଦକ ନରସିଂହ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ଚିତ୍ତରଂଜନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.