ବଲାଙ୍ଗିର, (କେପିଏନ୍ଏସ୍) : ଦାଦନ ଶ୍ରମିକ ଦୁଃଖ ବଲାଙ୍ଗିର ଜିଲ୍ଲାର କପାଳରେ ଗୋଟେ ଜିଅନ୍ତା ଘା’ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଏଇ ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ବୁହା ହୁଅନ୍ତି । ପ୍ରତିବର୍ଷ ଅନେକ ଦାଦନ ଦୁଃଖ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ ବି କରେ । ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା, କିନ୍ତୁ ଏଭଳି ଏକ ଘୃଣ୍ୟ ପ୍ରଥାକୁ ଉଚ୍ଛେଦ କରିବା ଦିଗରେ ସରକାର କି ପ୍ରଶାସନ କେବେ କଠୋର ଆଇନ ବ୍ୟବସ୍ଥା ଜାରି କରିନାହାନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣର ପ୍ରଥମାର୍ଦ୍ଧରେ ଦାଦନ ଶ୍ରମିକମାନେ ନିଜ ନିଜ ଭିଟାମାଟିକୁ ଅନେକ ଦୁଃଖ କଷ୍ଟରେ ଫେରିଥିଲେ । କିଏ ହଜାର ହଜାର କିଲୋମିଟର ପିଲାଛୁଆଙ୍କୁ ସାଙ୍ଗରେ ନେଇ ଚାଲି ଚାଲି ଆସିଥିଲା ତ’ କିଏ ଧାର କରଜ କରି ନିଜ ବ୍ୟବସ୍ଥାରେ ଭିଟାମାଟିକୁ ଫେରିଥିଲା । ଅବଶ୍ୟ କିଛି ଶ୍ରମିକ ସରକାରଙ୍କ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥାରେ ଫେରିଥିଲେ ନିଜ ଜନ୍ମମାଟିକୁ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ କାମ ଯୋଗାଇ ଦେବା ପାଇଁ ଯୋଜନା ବି ପ୍ରଣୟନ ହେଲା । କିନ୍ତୁ କିଛି କାମରେ ଆସିଲା ନାହିଁ । ପୁଣି ଦାଦନ ଶ୍ରମିକ ଭାବେ ପେଟ ପୋଷିବାକୁ ବାହାରିଲେଣି ଗାଁ ଗାଁରେ ଶ୍ରମିକ । ଦାଦନ ସର୍ଦ୍ଦାରମାନେ ବେଶ୍ ଉତ୍ସାହିତ । ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ଦାଦନ ସର୍ଦ୍ଦାରମାନେ ଲାଇସେନ୍ସ ବି କରିନାହାନ୍ତି । ସିଧା ଅନ୍ୟ ରାଜ୍ୟରୁ ଛୁଟି ଆସୁଛି ରଂଗୀନ ରଂଗୀନ ବସ୍ ଏବଂ ବୋହି ନେଉଛି ଏଠାକାର ଶ୍ରମିକମାନଙ୍କୁ । ଅନ୍ୟ ବର୍ଷଗୁଡ଼ିକରେ ଟ୍ରେନ୍ରେ ଦାଦନ ସର୍ଦ୍ଦାରମାନେ ପଠାଉଥିଲେ ଶ୍ରମିକ । ଏ ବର୍ଷ କିନ୍ତୁ ସେ ସମସ୍ୟା ନାହିଁ । ସିଧା ଗାଁରେ ବସ୍ ଲାଗୁଛି ଏବଂ ଶ୍ରମିକଙ୍କୁ ଉଠେଇ ନେଉଛି ବିନ୍ଦାସ୍ । ତେବେ ଦାଦନ ଶ୍ରମିକମାନଙ୍କ ଉଚିତ କର୍ମସଂସ୍ଥାନ ବ୍ୟବସ୍ଥା କରିବା ଦିଗରେ ପ୍ରଶାସନର କୌଣସି ସ୍ପୃହା ଦେଖା ଯାଉନଥିବା ବେଳେ ଦାଦନ ସର୍ଦ୍ଦାରମାନଙ୍କ ବେଆଇନ ଶ୍ରମିକ ଚାଲାଣ ଜୋର୍ସୋର୍ ଆରମ୍ଭ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ଏ ସମସ୍ୟା ପ୍ରତି କେବେ ଚେତିବ ପ୍ରଶାସନ ବୋଲି ସାଧାରଣରେ ଠିଆ ହୋଇଛି ଏକ ବିରାଟ ପ୍ରଶ୍ନ ?