oom

ବରଗଡର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ସାକ୍ଷାତ କଲା ଚେତନା ପ୍ରତିନିଧି ଦଳ

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ସାକ୍ଷାତ କଲା ବରଗଡର ଅଗ୍ରଣୀ ସାମାଜିକ ସଂସ୍ଥା ଚେତନାର ପ୍ରତିନିଧି ଦଳ । ଚେତନାର ସଭାପତି ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅରୁଣ କୁମାର ପାତ୍ରଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିରେ ବରଗଡ ନୂତନ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଘୋଷଣା ବହୁ ଦିନରୁ ହୋଇ ସାରିଥିବା ବେଳେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି କେବେ କରାଯିବ, ରକ୍ତ ଭଣ୍ଡାରରେ ରକ୍ତ ବର୍ଗ ଚିହ୍ନଟ ୟୁନିଟର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇ ସାରିଥିବା ଏବଂ ଦୁଇ ଜଣ ଡ଼ାକ୍ତରଙ୍କ ନିଯୁକ୍ତି ହେଇ ସାରିଥିବା ବେଳେ କାର୍ଯ୍ୟ କେବେ ଆରମ୍ଭ ହେବ, ହସ୍ପିଟାଲ୍ ଭିତରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରାଯାଇଛି ଏବଂ ସିସିଟିଭି କ୍ୟାମେରା କେବେ ଲାଗିବ, କ୍ୟାନ୍ସର ହସପିଟାଲର ଅଗ୍ରଗତି କେତେଦୂର ଗଲା, ଜିଲ୍ଲାରେ ଭେକ୍ସିନ କେତେ ଲୋକଙ୍କୁ ଦିଆଯାଇଛି ଏବଂ ଆଉ ଅନ୍ୟମାନଙ୍କୁ କେବେ ଯାଏ ଦିଆଯିବ, ଆର୍ଟିପିସିଆର୍ ଟେଷ୍ଟ ବରଗଡରେ କେବେ ଠାରୁ ଆରମ୍ଭ ହୋଇ ଯେଉଁ ଦିନର ରିପୋର୍ଟ ସେହି ଦିନ ମିଳିବାର ବ୍ୟବସ୍ଥା ହେବ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଚଳ ଥିବା ଅଲଟ୍ରାସାଉଣ୍ଡ ମ୍ୟାସିନ କେବେ ଚାଲିବ ଆଦି ପ୍ରଶ୍ନ ନେଇ ଏହି ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯଥା ଶୀଘ୍ର କ୍ୟାନ୍ସର ହସପିଟାଲ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ଅତି କମରେ ୧୫ ଦିନ ଅନ୍ତରରେ କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ଆଉଟ୍ ଡୋରରେ ଡ଼ାକ୍ତରଙ୍କ ପରାମର୍ଶ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ଏହି ସମସ୍ତ ଦାବୀଗୁଡ଼ିକୁ ଶୁଣିବା ପରେ ଡ. ପାତ୍ର ସୂଚନା ଦେଇ କହିଥିଲେ ଯେ, ନୂତନ ସହର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ଙ୍କ ନିଯୁକ୍ତି ଜିଲ୍ଲା ସ୍ତରରେ ହେବ ନାହିଁ, ଡ଼ାକ୍ତରଙ୍କ ନିଯୁକ୍ତି ରାଜ୍ୟ ସରକାର କରିବାକୁ ଥିବା ବେଳେ, ପାରା ମେଡିକାଲ ଷ୍ଟାଫ୍ ଓଏସ୍‌ଏସ୍‌ସି କରିବ ବୋଲି ସେ ସୂଚନା ଦେଇଥିଲେ । ସେହିପରି ହସ୍ପିଟାଲର ଅନ୍ତଃ ସୁରକ୍ଷା ଉପରେ ଉପରେ ସୂଚନା ଦେଇ କହିଥିଲେ ଯେ, ହସ୍ପିଟାଲର ନିଜର ୧୦ ଜଣ ସୁରକ୍ଷା କର୍ମୀଙ୍କୁ ଦିନ ତମାମ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଥିବା ବେଳେ ବର୍ତମାନ ଟାଉନ ପୋଲିସର ଦୁଇ ଜଣ ଲେଖାଏଁ କନେଷ୍ଟବଳ ୨୪x୭ ହସ୍ପିଟାଲ୍ ଭିତରେ ସୁରକ୍ଷା ଦାଇତ୍ୱରେ ରହିଛନ୍ତି । ଡ. ପାତ୍ର ଏହି ପ୍ରତିନିଧି ମଣ୍ଡଳୀ ସମ୍ମୁଖରେ ସିସିଟିଭି ବ୍ୟବସ୍ଥା ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ରକ୍ତ ଭଣ୍ଡାରରେ ରକ୍ତ ବର୍ଗ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ବହୁଦିନ ପୂର୍ବରୁ ଲେଖା ଯାଇଥିବା ବେଳେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖକୁ ଲେଖିଛନ୍ତି । ଆସନ୍ତା ମାସ ୮ ତାରିଖରେ କେନ୍ଦ୍ରିୟ ଅନୁଧ୍ୟାନକାରୀ ଦଳ ଆପାତତଃ ବରଗଡ ଆସି ଅନୁଧ୍ୟାନ କରିପାରନ୍ତି, ତା’ ପରେ ଏହା କାର୍ଯ୍ୟକ୍ଷମ ହେବ । ସେହିପରି ଜିଲ୍ଲାରେ ବର୍ତମାନ ଯାଏ ଜିଲ୍ଲାରେ ସର୍ବମୋଟ ୧୧ ଲକ୍ଷ ୧୫ ହଜାର ୨୩୧ ଜଣଙ୍କୁ ଭେକ୍ସିନ ଦେବାର ଲକ୍ଷ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୫ଲକ୍ଷ ୯୨ ହଜାର ୮୧୯ ଜଣଙ୍କୁ ଭେକ୍ସିନ ଦିଆଯାଇ ସାରିଲାଣି । ଏଥିରେ ୧୮-୪୪ ବୟସ ବର୍ଗରେ ପ୍ରଥମ ଡୋଜ୍ ୨,୩୦,୮୭୮ ଜଣ ନେଇଥିବା ବେଳେ ୨୩,୧୩୦ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି । ସେହିପରି ୪୫ରୁ ଅଧିକ ବୟସ ବର୍ଗରେ ୨,୨୫,୮୪୦ ଜଣ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ୧,୧୨,୯୭୧ ଜଣ ଦ୍ବିତୀୟ ଡୋଜ ନେଇ ସାରିଛନ୍ତି । ବରଗଡରେ ଆର୍.ଟି.ପି.ସି.ଆର୍ ଟେଷ୍ଟ ହୋଇ ଯେଉଁ ଦିନର ରିପୋର୍ଟ ସେହିଦିନ ପାଇବା ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇ ଡ. ପାତ୍ର କହିଥିଲେ ଯେ, ଟେଷ୍ଟ ଲେବ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଥିବା ବେଳେ ୫ ତାରିଖରେ ଡ୍ରାଇ ରନ୍ କାର୍ଯ୍ୟ ସରିଛି ଏବଂ ଆଇ.ସି.ଏମ.ଆର୍‌ରୁ ରିପୋର୍ଟ ଆସିବା ପରେ ଏଠାରେ ଟେଷ୍ଟ ଆରମ୍ଭ ହେବ । ଅଲଟ୍ରାସାଉଣ୍ଡ ମେସିନ୍‌ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଏକ ନୂତନ ଅଲଟ୍ରାସାଉଣ୍ଡ ମ୍ୟାସିନ ଅବସ୍ଥାପିତ କରାଯାଇଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ପଦ୍ମପୁର ଠାରେ ଏକ ନୂତନ ଅଲଟ୍ରାସାଉଣ୍ଡ ମ୍ୟାସିନ କାର୍ଯ୍ୟକ୍ଷମ କରି ସାରିଲାଣି । କ୍ୟାନ୍ସର ହସପିଟାଲ ଉପରେ ସୂଚନା ଦେଇ ଡ. ପାତ୍ର କହିଥିଲେ ଯେ, ଖୁବ୍ ଶୀଘ୍ର ହସ୍ପିଟାଲ୍‌ର ଟେଣ୍ଡର ପ୍ରକ୍ରିୟା ସରିଯିବ । ତା’ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେହିପରି ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ଯାଏ କ୍ୟାନ୍ସର ପୀଡ଼ିତଙ୍କ ଚିକିତ୍ସା ପାଇଁ ମାସର ପ୍ରତ୍ୟେକ ବିକଳ୍ପ ଗୁରୁବାର ଦିନ ଏହି ପରାମର୍ଶ ବ୍ୟବସ୍ଥା ପାଇଁ ଭିମସାର କର୍ତୃପକ୍ଷଙ୍କୁ ଡାକ୍ତର ଯୋଗାଇ ଦେବାକୁ ଅନୁରୋଧ କରାଯିବ ଏବଂ ଡାକ୍ତରଙ୍କ ସୁବିଧା ହେଲେ ଜନ ସାଧାରଣଙ୍କୁ ଜଣାଇ ଦିଆଯିବ । ଶିଶୁ ୱାର୍ଡ ପାଇଁ ନିର୍ମାଣ ହୋଇଥିବା ବହୁତଳ ପ୍ରାସାଦକୁ କାର୍ଯ୍ୟକ୍ଷମ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଡ. ପାତ୍ର କହିଥିଲେ ଯେ, ସେହି ବିଲଡିଂରେ ଏବେ ଜିଲ୍ଲା ଜନସ୍ବାସ୍ଥ୍ୟ ଲବୋରୋଟାରି, ଆର୍‌ଟିପିସିଆର ଲେବୋରୋଟାରି, ଅଫିସ୍, ଏକିକୃତ ଡ଼ାଟା ସେଣ୍ଟର୍, ଜିଲ୍ଲା ପ୍ରକଳ୍ପ ପରିଚାଳକ ୟୁନିଟ ଗୁଡିକ ପରିଚାଳିତ ହେଉଥିବାର ସୂଚନା ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଚେତନାର କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, କୃଷ୍ଣଚନ୍ଦ୍ର ପଣ୍ଡା, ଅଭିଜିତ ପ୍ରତିହାର, ଜଶବିର ସିଂ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.