ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଥିବା ରକ୍ତ ସଂରକ୍ଷଣ ବିଭାଗ ଦୀର୍ଘଦିନ ହେଲା ଅଚଳାବସ୍ଥାରେ ପଡି ରହିଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହରଠୁ ପ୍ରାୟ ଆଠ କିଲୋମିଟର ଦୂରରେ ଗଢିଉଠିଥିବା ନୂତନ ଚକଚକିଆ କୋଠାରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ସ୍ଥାପିତ ମାତ୍ର ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ରୋଗୀ ବିଭିନ୍ନ ସମୟରେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସୂଚନାନୁସାରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ବ୍ଲଡ଼ ବ୍ୟାଙ୍କ ନଥିବାରୁ କୌଣସି ରୋଗୀକୁ ଯଦି ରକ୍ତର ଆବଶ୍ୟକତା ହୁଏ ତା’ହେଲେ ତାକୁ ଆଠ କିଲୋମିଟର ଦୂରରେ ପୁରୁଣା ଚିକତ୍ସାଳୟ କମ୍ପାଉଣ୍ଡ ଭିତରେ ଥିବା ବ୍ଲଡ଼ ବ୍ୟାଙ୍କକୁ ଆସିବାକୁ ପଡିଥାଏ । ସହର ମଧ୍ୟକୁ ଆସିବାକୁ କୌଣସି ସିଟି ବସ ବା ସେଆର ଅଟୋ ବ୍ୟବସ୍ଥା ନଥିବାରୁ ରୋଗୀର ସମ୍ପର୍କୀୟଙ୍କୁ ଗାଡି ରିଜର୍ବ କରି ଆସିବାକୁ ହୋଇଥାଏ ଯାହା ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ ବୋଲି ଅଭିଯୋଗ ହେଉଛି । ଏପରି କି ବେଳେ ବେଳେ ଅଧିକ ସମୟ ଲାଗୁଥିବାରୁ ରୋଗୀ ରକ୍ତ ନପାଇ ଅଧିକ ଗୁରୁତର ହୋଇ ଯାଉଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ ବିଭିନ୍ନ ସଂଗଠନ ତରଫରୁ ସ୍ୱର ଉତ୍ତୋଳନ କରିବା ପରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଏକ ଅସ୍ଥାୟୀ ରକ୍ତ ସଂରକ୍ଷଣ ବିଭାଗ ଖୋଲାଯାଇଥିଲା ଯାହା ଗୁରୁତର ରୋଗୀଙ୍କୁ ୨୪ଘଣ୍ଟା ସେବା ଯୋଗାଇ ଦେବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଥିଲା ମାତ୍ର ଦୀର୍ଘ ଦିନ ହେଲା ତାହା ଅଚଳ ହୋଇ ପଡ଼ିଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନି । ଏପଟେ ରୋଗୀ ରକ୍ତ ଅଭାବରୁ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଯଦି ଅଟୋ ରିଜର୍ଭ କରି ଯିବାକୁ ପାଖରେ ପଇସା ନଥାଏ କିମ୍ବା ରକ୍ତ ଭଣ୍ଡାରକୁ ଯାଇ ରକ୍ତ ଆଣିବା ପାଇଁ କେତେକ ଆସହାୟ ରୋଗୀଙ୍କ ସମ୍ପର୍କୀୟ ନଥିବା ବେଳେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଆଜି ଏପରି ଏକ ପରିବାର ନଜରକୁ ଆସିଥିଲେ ଯିଏକି ବାପା ଭୀମସେନ ନାଗ ଶଯ୍ୟାଶାୟୀ ଥିବାବେଳେ ଗ୍ରାଜୁଏଟ ପାଠ ପଢିଥିବା ଏକମାତ୍ର ଝିଅର ମାନସିକ ସ୍ଥିତି ଠିକ ନାହିଁ । ପରିବାର କହିଲେ ବାପା ଝିଅ ଦୁଇଜଣ । ଆଉକେହି ନାହାନ୍ତି । ଭୀମସେନଙ୍କ ଶରୀରେ ରକ୍ତର ଅଭାବ ଥିବାରୁ ଶୀଘ୍ର ଦୁଇ ୟୁନିଟ ରକ୍ତ ଦେବାକୁ ବିଭାଗୀୟ ଡାକ୍ତର ପରାମର୍ଶ ଦେଇଛନ୍ତି ମାତ୍ର ରକ୍ତ ଆଣିବା ପାଇଁ ତାଙ୍କ ସାଙ୍ଗରେ କୌଣସି ଲୋକ ନାହାନ୍ତି ଏପରିକି ଅଟୋ ଭଡା ଦେଇ ରକ୍ତ ଆଣିବାକୁ କାହାକୁ ପଠେଇବା ପାଇଁ ପାଖରେ ଟଙ୍କା ଟିଏ ମଧ୍ୟ ନାହିଁ । ଏପରିସ୍ଥଳେ ନିରୁପାୟ ହୋଇ ଚକଚକିଆ କୋଠା ଘର ମଧ୍ୟରେ ନିଜ ଭାଗ୍ୟକୁ ଆଦରି ବ୍ୟାଡ ଉପରେ ପଡି ରହିଛନ୍ତି ଭୀମସେନ । ସଂକଲ୍ପ ପରିବାର ଖବର ପାଇଲା ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଯୋଗାଇ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ମଧ୍ୟରେ ଥିବା ରକ୍ତ ସରକ୍ଷଣ ୟୁନିଟକୁ ଚାଲୁ କରାଯାଉ ନାହିଁ କାହିିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.

8 + 7 =