jayashree

ଭାରତରେ ଡାଇନୋସର

  • ଡଃ.ବି.ଏନ୍‌.ଶ୍ରୀକାନ୍ତ

ତାମିଲନାଡ଼ୁର କାବେରୀ ଅବବାହିକା ସ୍ଥିତ ଅରିୟାଲୁର ଜିଲ୍ଲାର ଗାଁଟିଏ ମାଲେରି । ଏହା ନିକଟସ୍ଥ କୋଲେରୁର୍ଣ୍ଣ ଓ ଭେଲାର ନଦୀଶଯ୍ୟାର ମଧ୍ୟଭାଗରୁ ବିଭିନ୍ନ ପ୍ରସ୍ତର ସ୍ତର ଭିତରୁ ଅଶ୍ମିଭୂତ ବହୁ ଡାଇନୋସରର ଅଣ୍ଡା ଖୋଳ ବାହାର କରିଛନ୍ତି ପେରିୟାର ବିଶ୍ୱବିଦ୍ୟାଳୟର ଗବେଷକ ଦଳ । ଦଳର ମୁଖ୍ୟ ଡକ୍ଟର ମଥୁଭୈରବ ସ୍ୱାମୀ ରାମକୁମାର ଘୋଷଣା କରିଛନ୍ତି ଯେ, ଏ ଦୁଇ ବର୍ଗ କିଲୋମିଟର ବ୍ୟାପ୍ତ ଅଂଚଳଟି କ୍ରଟିସିଅସ୍‌ ଯୁଗର ଶେଷାର୍ଦ୍ଧରେ ବଂଚି ରହିଥିବା ଡାଇନୋସର ମାନଙ୍କର ଅଣ୍ଡା ଦେବା ସ୍ଥଳୀ । ଏହି ଅବବାହିକାର କାଲମେନ୍ଦୁ ଅଂଚଳରୁ ଡାଇନୋସରର ଅସ୍ଥି ପୂର୍ବରୁ ମିଳି ସାରିଛି ।

୧୮୨୮ରେ ଜବଲପୁର ନିକଟସ୍ଥ ବଡ଼ସିମଲା ପର୍ବତରୁ କେତୋଟି ଡାଇନୋସର୍‌ର ଅସ୍ଥି ସଂଗ୍ରହ କରି ବ୍ରିଟିଶ ମିଉଜିଅମ୍‌କୁ ପଠାଇଥିଲେ ସେନା ଅଧିକାରୀ ଜେନେରାଲ ଉଇଲିୟମ୍‌ ସ୍ଲିମନ୍‌ । ୧୯୮୩ରେ ଗୁଜରାଟର ଖେଦା ଜିଲ୍ଲାର ରାଓଲି ଗ୍ରାମ ନିକଟରୁ ସୁରେଶ ଶ୍ରୀବାସ୍ତବ ପ୍ରମୁଖ କେତେଜଣ ବୈଜ୍ଞାନିକ ୪୦୦ ଖଣ୍ଡ ଅସ୍ଥି ସଂଗ୍ରହ କରି ଜୟପୁରସ୍ଥିତ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ସଂଗ୍ରହାଳୟକୁ ପଠାଇଥିଲେ ।

ନର୍ମଦା ନଦୀକୂଳରେ ବୁଲୁଥିବା ଡାଇନୋସର ନାମକରଣ କରାଯାଇଛି – ରାଜାସରସ ନର୍ମଦାନିସିସ୍‌ । ଆଜିଠୁ ୬୭ ନିୟୁତ ବର୍ଷ ତଳେ ଜୀବିତ ଥିବା ଏହି ବିଶାଳକାୟ ଜୀବର ପଛଗୋଡ଼ ଖୁବ୍‌ ଶକ୍ତ ଥିଲା । ମୁଣ୍ଡଠୁ ଲଂଜ ଯାଏ ଏହାର ଦୈର୍ଘ୍ୟ ୯ ମିଟର, ପାଦଠୁ ଅଂଟା ଯାଏ ୩ ମିଟର ଉଚ୍ଚ ଏବଂ ଓଜନ ୩ରୁ ୪ ଟନ୍‌ ବୋଲି କଳନା କରାଯାଇଛି ।

ଆଜିର ଭାରତ ଭୂଖଣ୍ଡ ଆଫ୍ରିକା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରୁ ଅଲଗା ହୋଇ ଇଉରେସିଆ ଭୂଖଣ୍ଡରେ ଯୋଡ଼ି ହୋଇ ଭାରତ ବର୍ଷ ନାମରେ ପରିଚିତ । ଏ ସ୍ଥାନର ମଜ୍‌ନୁସରସ ରାଜାସରସ୍‌ର ଅନୁରୂପ । ଏହାର ଅନ୍ୟ ଏକ ପ୍ରଜାତି ‘ଲେଭିସୁକସ୍‌ ଇଣ୍ଡିକ୍ସ’ର କିଛି ଅସ୍ଥି ୧୯୩୩ରେ ଲାମେଟା (ମଧ୍ୟ ପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ରର ମଝି ଅଂଶ) ପ୍ରସ୍ତରୀଭୂତ ଇଲାକାରୁ ମିଳିଥିଲା । ପରବର୍ତ୍ତୀ କାଳରେ ଇଣ୍ଡୋସରସ ମାଟଲେଇ, ଇଣ୍ଡୋସୁକସ ରାପ୍‌ଟୋରିଆସ୍‌, ଅଲ୍‌ୱାଲ୍‌କେରିଆ, ଜବଲପୁରିଆ ଆଦି ଭାରତର ଦକ୍ଷିଣ ପଶ୍ଚିମରୁ ଆବିଷ୍କୃତ ହୋଇଛନ୍ତି । ଶାକାହାରୀ ବିଶାଳକାୟ ଡାଇନୋସର ମଧ୍ୟ ଭାରତ ବର୍ଷରୁ ଆବିଷ୍କୃତ ହୋଇଛି । କବି ରବୀନ୍ଦ୍ରନାଥଙ୍କ ନାମ ଅନୁସାରେ ଏହାର ନାମ ‘ବରପାସରସ୍‌ ଟାଗୋରେଇ’ । ବରପାସ୍‌ରସ୍‌ ବା ବୃହତ୍‌କାୟସରସ ସରୋପଡ଼ ଜାତିର । ଏମାନଙ୍କର ଲମ୍ବ ୪୩ରୁ ୧୪୮ ଫୁଟ ଓ ଓଜନ ସର୍ବୋଚ୍ଚ ୧୩୯ ଟନ୍‌ । ପୃଥିବୀ ପୃଷ୍ଟରେ ଏମାନେ ୧୬୫ ନିୟୁତ କାଳ ଜୀବିତ ଥିଲେ ।

ପଶ୍ଚିମ ସୀମାନ୍ତର କଚ୍ଛ ଉପତ୍ୟକାଠାରୁ ଦାକ୍ଷିଣାତ୍ୟର ଶେଷଭାଗ ପର୍ୟ୍ୟନ୍ତ ବିସ୍ତୃତ ଇଲାକାରେ ଆଜଠୁ ୭୦ ନିୟୁତ ବର୍ଷ ତଳେ ଆତଯାତ କରୁଥିବା ଡାଇନୋସରଙ୍କ କଥା କ୍ରମଶଃ ଉଦ୍‌ଭାସିତ ହେଉଛି । ଆରିୟାଭର, କଳାପଥର ଅଂଚଳ, ଧର୍ମରମ, ଜବଲପୁର, କାଲାମେନ୍ଦୁ, ଗେଟା, ଲାମେଟା, ମାଲେରି, ଟାକ୍‌ଲି, ଟିକ ଓ ତ୍ରିଚିନାପଲ୍ଲୀ ଅଂଚଳରୁ ମିଳୁଥିବା ଅଶ୍ମିଭୂତ ଅଣ୍ଡା ଓ ଅସ୍ଥି କ୍ରମେ ବହୁ ଡାଇନୋସରମାନଙ୍କ କାହାଣୀ ନିକଟ ଭବିଷ୍ୟତରେ ଆମ ସମ୍ମୁଖକୁ ଆଣିବ ।

Leave A Reply

Your email address will not be published.