ମାଟିଆଭଟା ଗାଁର ମାନସୀକୁ ନେଇ ସବୁଠି ଚର୍ଚ୍ଚା : ଉପସ୍ଥିତ ବୁଦ୍ଧି ଯୋଗୁଁ ଉଦ୍ଧାର କରିଥିଲେ ଶତାଧିକ ଦାଦନ ପରିବାର

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଭୋକର ଭୂଗୋଳରେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଂଚଳ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ପେଟପାଟଣା ପାଇଁ ଦାଦନ ଭାବରେ ପଡୋଶୀ ରାଜ୍ୟମାନଙ୍କୁ ଯାଇଥାନ୍ତି । ସେଠାରେ ଅନେକ ନିର୍ଯ୍ୟାତନାର ଶିକାର ହୋଇ ଫେରୁଥିବା ବେଳେ କେହି କେହି ଶବ ହୋଇ ବି ଫେରିବାର ନଜିର ରହିଛି । ଆଉ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଦେଶାନ୍ତର ଯାଇ ଶ୍ରମିକଙ୍କ ଦୁଃଖ ଦ୍ୱିଗୁଣିତ ହୋଇଥିଲା । ବାହାର ରାଜ୍ୟରେ ଲକ୍ଡାଉନ୍ ଯୋଗୁଁ ଶ୍ରମିକମାନେ ସତେ ଯେମିତି ନିଜ ଭିଟାମାଟି ଫେରି ଯିବା ପାଇଁ ଅଣନିଶ୍ୱାସି ହୋଇଥିଲେ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାଦନ ଶ୍ରମିକ ମାନଙ୍କୁ ନିଜ ଘରକୁ ଫେରାଇବା ପାଇଁ ପ୍ରୟାସ କରିଥିଲେ ବି ଦାଦନଙ୍କ ଘର ବାହୁଡା ଦୁଃଖ କାହାଣୀ ସବୁଠି ଥିଲା । ଏମିତି ଏକ ଦୁଃଖଭରା ଘର ବାହୁଡା କାହାଣୀ ଭିତରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମଟିଆଭଟା ଗାଁର ମାନସୀ ବରିହା(୧୯)କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜର ଉପସ୍ଥିତି ବୁଦ୍ଧି ଏବଂ ସାହାସ ଯୋଗୁଁ ତାମିଲନାଡୁର ଚେନ୍ନାଇ ନିକଟ କୁଡୁକୁପନ୍ ଜିଡିଏମ୍ ଇଟା କାରଖାନା ରେ ୩ ଶହ ୫୦ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଥିବା ନେଇ ଗାଁକୁ ଫୋନ କରିଥିଲେ । ଯାହା ଫଳରେ ଖପ୍ରାଖୋଲ ପୋଲିସ୍ ଓ ବଲାଙ୍ଗିର ପ୍ରଶାସନ ଓ ଶ୍ରମ ବିଭାଗ ତାମିଲନାଡୁକୁ ଯୋଗାଯୋଗ କରି ସମସ୍ତ ନିର୍ଯ୍ୟାତିତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ନିର୍ଯ୍ୟାତନାର ଭିଡିଓ ମଧ୍ୟ ଲୁଚି ଉଠାଇ ଗାଁକୁ ପଠାଇଥିଲେ । ସୂଚନା ଅନୁସାରେ ଗତ ଜୁନ ମାସରେ ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ନିଜ ଗାଁକୁ ଫେରିବାକୁ ଚାହୁଁଥିବାବେଳେ ଜୁନ ୧୫ ତାରିଖ ଇଟାଭାଟି ମାଳିକ ଶ୍ରମିକ ମାନଙ୍କୁ ଜୋରଜବରଦସ୍ତ କାମ କରାଇବା ସହ ପ୍ରବଳ ମାଡ ମାରିଥିଲା । ଯାହାକୁ ନେଇ ଝିଅଟି ଗାଁର ସମ୍ପର୍କିୟ ସମାଜସେବୀ ପାଣ୍ଡବ ବରିହାଙ୍କୁ ଫୋନ କରି ଜଣାଇଲା ପରେ ପରିବାରର ସମ୍ପର୍କିୟ ଖପ୍ରାଖୋଲ ଥାନା, ପ୍ରଶାସନ ଓ ଶ୍ରମ ବିଭାଗକୁ ଜଣାଇଥିଲେ । ଏହାକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରି ତାମିଲନାଡୁର ଶ୍ରମ ବିଭାଗ ଓ ପ୍ରଶାସନ ସହିତ ମିଶି ଜୁନ ୧୭ ତାରିଖ ପ୍ରଥମେ ନିର୍ଯ୍ୟାତିତ ୩୫୦ ଜଣଙ୍କୁ କୁଡୁକୁପନ୍ ରୁ ଉଦ୍ଧାର କରି ବସ୍ ଯୋଗେ ତିରୁଭେଲମ୍ ଟ୍ରେନ ଷ୍ଟେସନ୍ ଯାଏଁ ଛାଡିଲା ପରେ ସେଠାରୁ ଟ୍ରେନ ଯୋଗେ ବଲାଙ୍ଗିର ପଠାଇଥିଲା । ୨୧ ତାରିଖ ତାଙ୍କୁ ବସ୍ ଯୋଗେ ନିଜ ପଂଚାୟତ କରେନଟାଇନ୍ ସେଂଟରକୁ ନିଆଯାଇଥିଲା । ଏସବୁ ଉଦ୍ଧାର ଘଟଣାର ପଛରେ ମାନସୀର ସାହସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ମାନସୀ ଏବଂ ତାଙ୍କ ବାପା ଟିକନୁ ବରିହା (୫୫) ଏବଂ ଛୋଟ ଭଉଣୀ ଦହନା(୧୦) ତିନି ଜଣ ଯାକ ଗତ ଜାନୁୟାରୀ ମାସରେ ଇଟା ବୁହା କାମ ପାଇଁ ଦାଦନ ଭାବରେ କୁଡୁକୁପନ୍ କୁ ଦାଦନ ସର୍ଦ୍ଧାର ମାଧ୍ୟମରେ ଅଗ୍ରିମ ଟଙ୍କା ନେଇ ଯାଇଥିଲେ । ଏବେ ଏ ନେଇ ଫେସବୁକ୍ ଯୋଗେ ଗାଁର କିଛି ଯୁବକ ମାନସୀର ସାହସିକତା ନେଇ ଲେଖିଲା ପରେ ଶ୍ରମ ବିଭାଗ ପହଂଚି ତଥ୍ୟ ସଂଗ୍ରହ କରିବା ସହ ମାନସୀ ଯୋଗୁଁ କେବଳ ୩୫୦ ନୁହଁନ୍ତି ବରଂ ଆଖପାଖର ୬ ହଜାର ଶ୍ରମିକ ଉଦ୍ଧାର ହୋଇଥିବା ଜଣାଯାଇଛି । ଏ ନେଇ ଗ୍ରାମିଣ ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆଙ୍କୁ ପଚାରିବାରୁ ମାନସୀଙ୍କ ସାହସିକତାକୁ ଧନ୍ୟବାଦ ଦେବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିର୍ଦେଶରେ ଏ ନେଇ ତଥ୍ୟ ସଂଗ୍ରହ କରାଯାଇଥିବା କହିଛନ୍ତି ।

2 Comments
  1. Rajkumar says

    Who is the labour sardar? Whether he has legal authority? Whether he has the required permission to transit the number of labours as mentioned?
    Has the labor deptt enquired it and taken appropriate action?

    1. Koshala Prabaha says

      action followed by administration

Leave A Reply

Your email address will not be published.