ପର୍ଯ୍ୟଟନ ମାନଚିତ୍ରରେ ହଜିବାକୁ ଯାଉଛି କଣ୍ଟାମାଳ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଇତିହାସ ଯେତିକି ରୋମାଞ୍ଚକର ଏହାରି ଐତିହ୍ୟ, ପରଂପରା ଓ ଲୋକ ସଂସ୍କୃତି ମଧ୍ୟ ସେତିକି ମହାନ । ପର୍ୟ୍ୟଟନ ବିଭବରେ ଭରପୁର ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟକୁ ନେଇ ପ୍ରବାହିତ ଦୁଇଟି ଚିରତ୍ସୋତା ନଦୀ ମହାନଦୀ ଓ ତେଲନଦୀ ବୌଦ୍ଧବାସୀଙ୍କ ମନ ଓ ପ୍ରାଣର ସ୍ପନ୍ଦନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜିଲ୍ଲାର କଣ୍ଟାମାଳ ଠାରୁ ଆରମ୍ଭ କରି କନ୍ଧମାଳର ସୀମା ହରଭଙ୍ଗା ପର୍ୟ୍ୟନ୍ତ ପ୍ରାକୃତିକ ଜଳରାଶି ପ୍ରାକୃତିକ ପର୍ୟ୍ୟଟନର ବିକାଶ ନିମନ୍ତେ ସମ୍ଭାବନା ରହିଥିଲେ ହେଁ ହାତ ଗଣତି କେତେ ଗୋଟି ପର୍ୟ୍ୟଟନ ସ୍ଥଳୀ ସରକାରୀ ମାନ୍ୟତା ପାଇଛି । ଯେଉଁଠି ସରକାରଙ୍କ ପର୍ୟ୍ୟଟନ ବିଭାଗ ତରଫରୁ ସେଭଳି ବିକାଶ ପାଇଁ ଏଯାବତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ମନ୍ତ୍ର, ତନ୍ତ୍ରରେ ପର୍ୟ୍ୟବେଶିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମନମୁଣ୍ତା, ଘଣ୍ଟାପଡାର ସମଲେଶ୍ବରୀ, ଆମ୍ବଗହଣାର ଦଧିବାମନ, ରେଘାମୁଣ୍ତାର ଭାଇବୋହୂ ଦେଢଶୁର ପାହାଡ, ବୀରାମୁଣ୍ତାର ଗୁପ୍ତଗଙ୍ଗା ଭଳି ଅନେକ ମନ୍ଦିର ରହିଛି ମାତ୍ର ଏଗୁଡିକର ବିକାଶ ପ୍ରତି କୌଣସି ସ୍ତରରେ ଆନ୍ତରିକତା ପ୍ରକାଶ ପାଉ ନଥିବାରୁ ରାଜ୍ୟର ପର୍ୟ୍ୟଟନ ମାନଚିତ୍ରରେ ବୌଦ୍ଧ ଠିକ ଭାବେ ସ୍ଥାନିତ ହୋଇ ପାରୁ ନଥିବା ବେଳେ କଣ୍ଟାମାଳ ଅଞ୍ଚଳର କୀର୍ତ୍ତିରାଜି ପର୍ୟ୍ୟଟନ ମାନଚିତ୍ରରୁ ହଜି ଯିବାକୁ ବସିଲାଣି । ବିଳମ୍ବରେ ହେଲେ ସୁଦ୍ଧା କଣ୍ଟାମାଳ ବ୍ଲକ ରେଘାମୁଣ୍ଡାର ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଥିବା ଭାଇ ବୋହୁ ଦେଢଶୁର ପାହାଡର ବିକାଶ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପ୍ରାୟ କୋଟିଏ ଟଙ୍କା ମଞ୍ଜୁର କରି ଏହାରି ବିକାଶ କରି ଏହାକୁ ଏକ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ନିଷ୍ପତି ଗ୍ରହଣ କରିଥିଲେ ହେଁ ଏହି ପ୍ରକଳ୍ପର ନିର୍ମାଣରେ ôଧମାଗତି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ଥାଣୁତା ହେତୁ ପ୍ରକଳ୍ପ ଶେଷର ଧାର୍ୟ୍ୟ ତାରିଖ ଶେଷ ହେବାର ନାଁ ଧରୁ ନଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରେଘାମୁଣ୍ଡା ଭାଇ ବୋହୁ ପାହାଡ, ମନମୁଣ୍ତା ଅସୁରଗଡ, ଝିକେରପାଲି ମନ୍ଦିରର ଭଗ୍ନାବଶେଷ ସ୍ଥାନକୁ ସରକାରୀ ଅଧିକାରୀ ମାନଙ୍କ ସହିତ ବୁଲି ଦେଖିବା ସହ ସେହି ସ୍ଥାନ ଗୁଡିକର ବିକାଶ ପାଇଁ ନିଷ୍ପତି ଗ୍ରହଣ କରିଥିବା ଜଣାପଡିଛି । ସେହିପରି କଣ୍ଟାମାଳ ବ୍ଲକର ଗୁଡଭେଲିପଦରରେ ସ୍ଥାନୀୟ କାରିଗର ମାନଙ୍କ ଦ୍ବାରା ନିର୍ମୀତ ତମ୍ବାନାଗ ସମଗ୍ର ଏସିଆରେ ପ୍ରସିଦ୍ଧ ଲାଭ କରିଥିଲେ ହେଁ ଏହି ଗ୍ରାମକୁ ଶିଳ୍ପୀ ଗ୍ରାମର ମାନ୍ୟତା ମିଳିପାରୁ ନଥିବା ବେଶ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ଲମ୍ବସରୀ ପଞ୍ଚାୟତର ବୀରାମୁଣ୍ତା ଭଳି ପ୍ରାକୃତିକ ଶୋଭାରାଶି ଏବଂ ଐତିହ୍ୟ ସଂପନ୍ନ ସ୍ଥାନ ଗୁଡିକର ବିକାଶ ସହ ପଲସାଗୋରା ପଞ୍ଚାୟତରେ ମାଟି ତଳେ ଉଦ୍ଧାର ହୋଇଥିବା ଝିକେରପାଲି ମନ୍ଦିରର ଭଗ୍ନାବଶେଷକୁ ନେଇ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ପର୍ୟ୍ୟଟନ ବିଭାଗ ସମୁଚିତ ଦୃଷ୍ଟିଦେବା ଆବଶ୍ୟକ । ନୂତନ ଜିଲ୍ଲା ଗଠନ ପରେ ବୌଦ୍ଧରେ ଏକ ପର୍ୟ୍ୟଟନ ବିଭାଗ ଖୋଲିଥିଲେ ହେଁ ଏହି ବିଭାଗର ସ୍ଥାଣୁତା ଜିଲ୍ଲାର ପର୍ୟ୍ୟଟନ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ପର୍ୟ୍ୟଟନ ବିଭାଗର କୌଣସି ଜିଲ୍ଲା ସ୍ତରୀୟ ସ୍ଥାୟୀ ଅଧିକାରୀ କିମ୍ବା କର୍ମଚାରୀ ନିଯୁକ୍ତି ନପାଇବା ବେଶ ଦୁର୍ଭାଗ୍ୟଜନକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପର୍ୟ୍ୟଟନ, ଐତିହ୍ୟ ବିଭବର ବିକାଶ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.