csstore

ଧରାପଡିଲେ ତମ୍ବା ତାର ଚୋର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବେଦାନ୍ତ ପମ୍ପ୍‌ ହାଉସ୍‌ର ବିଦ୍ୟୁତ୍ ସବ୍‌ଷ୍ଟେସନ୍‌ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା । ଏନେଇ ବେଦାନ୍ତର ସାଇଟ୍‌ ଇନ୍‌ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି କେସିଙ୍ଗା ପୋଲିସ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ଅପରାହ୍ନରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆମଠ ଚକ ନିକଟରେ ଛକି ବସିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାକୁ ନେଇଥିଲା । କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୋଣ୍ଡା ଏକ ଖବରଦାତା ସମ୍ମିଳନୀ କରି ସୂଚନା ପ୍ରଦାନ କରିଥିଲେ । ଏମାନେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବସ୍ନା ଗ୍ରାମର ଜିଡ୍ଡୀ(୨୭), ପକ୍ଲୁ ଦେବାର(୨୩), ବାଗ ବାହାର ଥାନା ଅଧିନସ୍ଥ ରାବଣଭଟା ଗ୍ରାମର ଜୋହାନ (୪୦), କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନର ଦେବ ମାଝୀ (ଋଷି) (୨୫)ଙ୍କ ସହିତ ବଲାଙ୍ଗିର ସୁଦପଡ଼ାର ତମ୍ବାତାର କିଣୁଥିବା କବାଡ଼ି ବ୍ୟବସାୟୀ ମହମ୍ମଦ ଜିଲାନୀ (୩୪)ଙ୍କୁ କେସିଙ୍ଗା ପୋଲିସ ଅମାଠ ଛକରେ କାବୁ କରି ଗିରଫ କରିଥିଲା । ଏହି ଚୋରମାନେ କେସିଙ୍ଗାରୁ ବଲାଙ୍ଗିରକୁ ବିକ୍ରି କରିବା ପାଇଁ ଏକ ଟାଟା ଛୋଟ ହାତୀ ଗାଡ଼ିରେ ୪୮୦ କେଜି ମୂଲ୍ୟବାନ ତମ୍ବାତାର ଭର୍ତ୍ତି କରି ଚୋରାରେ ନେଉଥିବାବେଳେ କେସିଙ୍ଗା ପୋଲିସ ଅମାଠ ଛକ ନିକଟରେ କାବୁ କରିଥିଲା । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାର ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ନଗଦ ୨ ଲକ୍ଷ ୫୦ହଜାର ଟଙ୍କା ସିଜ୍‌ କରିଥିବା କଳାହାଣ୍ଡି ଏସ୍‌ପି ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୋଣ୍ଡା, ଏସ୍‌ଡିପିଓ, ସନ୍ଦୀପ ମାଝୀ, ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । କେସିଙ୍ଗା ଥାନା କେସ୍‌ ନଂ ୧୪୨/୨୬ରେ କେସ୍‌ ରୁଜୁ ହୋଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.