jayashree

ଡିଜେଲ ସଙ୍କଟ

ଜୟପାଟଣା, (ଶେଷଦେବ ବେହେରା) : କିଛି ଦିନ ପରେ ରବି ଧାନ ଅମଳ ଜୋରସୋରରେ ଆରମ୍ଭ ହୋଇଯିବ । ଚାଷୀ ଏବେ ସେହି ସମୟକୁ ଅପେକ୍ଷା କରି ରହିଥିବା ବେଳେ ଇନ୍ଧନ ସମସ୍ୟା ଏବେ ଚାଷୀଙ୍କ ପାଇଁ ଆଶଙ୍କାର ରୂପ ନେଇ ସାରିଲାଣି । ଆଗଭଳି ଶ୍ରମିକ ମାନଂକ ଦ୍ୱାରା ଧାନ ଅମଳ କାମ ସମ୍ପନ୍ନ କରାଯାଉଥିବା ସମୟ ପ୍ରାୟ ଅପସରି ଯାଇଛି । ୪୪ ଡିଗ୍ରୀ ତାତିରେ ଅମଳ ପାଇଁ ଜଗି ରହିବାକୁ ପଡ଼ୁଥିବା ବେଳେ ଏବେ ଚାଷୀ ହର୍ଭେଷ୍ଟର ମାଧ୍ୟମରେ ଧାନ ଅମଳକୁ ଅଗ୍ରାଧିକାର ଦେଉଥିବା ଦେଖିବାକୁ ମିଳୁଛି । ଧାନ ଅମଳ ପାଇଁ ପ୍ରସ୍ତୁତି ପର୍ବ ଚୁଡାନ୍ତରେ ପହଞ୍ଚି ଥିବା ବେଳେ ଡିଜେଲ ଉପରେ କଟକଣା ଚାଷ କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରିବ ବୋଲି ସମୂହ ଚାଷୀ ଆଶଙ୍କା କରି ସାରିଲେଣି । ସ୍ୱଳ୍ପ ଅବଧି ମଧ୍ୟରେ ରବି ଚାଷ ଅମଳର ପରିସମାପ୍ତି ଘଟୁ ଥିବା ବେଳେ ବିପର୍ଯ୍ୟୟର ଆଶଙ୍କା ମଧ୍ୟ ଦ୍ଵିଗୁଣିତ ରହିଥାଏ । ଏବେ ଡିଜେଲ ସଙ୍କଟକୁ ଆଖି ଆଗରେ ରଖି କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇ ସ୍ୱର ଶାଣିତ ହେବାରେ ଲାଗିଲାଣି । ଜୟପାଟଣା ବ୍ଲକରେ ୨୨, ୦୦୦ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିବା ବେଳେ ହାରାହାରି ୨୫୦ ହର୍ଭେଷ୍ଟର ଏବେ ବିଭିନ୍ନ ସ୍ଥାନରେ ଅମଳ ପାଇଁ ଠିଆ ହୋଇ ରହିଥିବା ସମୟରେ କେତେକ ସ୍ଥାନରେ କାମରେ ମଧ୍ୟ ଲାଗି ସାରିଲାଣି । ନିର୍ଦ୍ଧାରିତ ପେଟ୍ରୋଲ ପମ୍ପ ମାନଙ୍କରେ ଗାଡ଼ି ପହଞ୍ଚି ଡିଜେଲ ନେବାର ବ୍ୟବସ୍ଥାକୁ ପ୍ରଶାସନ ଲାଗୁ କରିଥିବା ବେଳେ ହାର୍ଭେଷ୍ଟର ଓ ଥ୍ରେସର ପାଇଁ ଏହା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି । ଏଥିପାଇଁ ପ୍ରଶାସନ ସାଂପ୍ରତିକ ସ୍ଥିତିରେ ହାର୍ଭେଷ୍ଟର ଓ ଥ୍ରେସର ମାନଙ୍କୁ ପଞ୍ଜିକରଣ କରି ଯୋଗାଣ ଅଧିକାରୀଙ୍କ ମାର୍ଫତରେ ପରମିଟ ଦେବାର ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଚାଷୀ ମହଲରୁ ଅନୁରୋଧ କରାଯାଇଛି । ଜୟପାଟଣା ବ୍ଲକ ପରିସର ମଧ୍ୟରେ ନଅ ଗୋଟି ପେଟ୍ରୋଲ ପମ୍ପ ରହିଥିବା ବେଳେ କୃଷି କ୍ଷେତ୍ର ପାଇଁ ବହୁଳ ଭାବରେ ଡିଜେଲର ଆବଶ୍ୟକତା ପଡ଼ିଥାଏ । ପ୍ରଶାସନ ଇନ୍ଧନର ଅଭାବ ନ ଥିବା ଦର୍ଶାଇଚାଲିଥିବା ବେଳେ ଏବେ ତିନୋଟି ପମ୍ପରେ ଡିଜେଲ ନ ଥିବା ସୁଚନା ମିଳିଛି । ଏଭଳି ସ୍ଥିତିରେ କୃଷି ଓ କୃଷକଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେବା ପାଇଁ ଦାବୀ ହେଉଛି । ଗତ ୨୦୨୫ମେ ମାସରେ ଜୟପାଟଣା ବ୍ଲକରେ ୬,୭୦, ୦୦୯ଲିଟର ଓ ଜୁନ ମାସରେ ୬,୬୯, ୦୭୭ଲିଟର ଏପରିକି ମୋଟ ୧୨,୩୯, ୦୮୬ଲିଟର ଡିଜେଲ ବ୍ୟବହାର କରଯାଇଥିଲା । ଏହି ଆବଶ୍ୟକତାକୁ ନଜରରେ ରଖି ଚଳିତ ବର୍ଷ ପାଇଁ ମଧ୍ୟ ତଦନୁରୁପ ଆବଶ୍ୟକତା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆବଶ୍ୟକ ପଡୁଛି । ଏବେଠାରୁ କଟକଣା ମଧ୍ୟରେ ଛନ୍ଦି ହୋଇଥିବା ଚାଷୀଙ୍କ ପାଇଁ ପ୍ରଶାସନିକ ବିତରଣ ବ୍ୟବସ୍ଥାକୁ ତୃଣମୂଳ ସ୍ତରରୁ ବାସ୍ତବତାର ଖୋଜ ନେବାପାଇଁ ଦାବୀ ହେଉଛି ।

Leave A Reply

Your email address will not be published.