ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସିନେମା ହଲ ଛକ ପାଖରେ ବିପୁଳ ପରିମାଣର ବେଆଇନ ଗେଟି ଗଚ୍ଛିତ ଘଟଣା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ଗୁରୁତର ସମସ୍ୟା ରୂପେ ପ୍ରକାଶ ପାଇଛି । ଏପରି ଅନୁମତି ବିନା ବ୍ୟବସାୟ ଚାଲିଥିବା ସତ୍ତ୍ୱେ ପ୍ରଶାସନ ନିରବ ରହିବା ନେଇ ସ୍ଥାନୀୟ ଲୋକମାନଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସ୍ଥାନୀୟ ମାନଙ୍କ ଅଭିଯୋଗ ଅନୁସାରେ, ପଦ୍ମପୁର ଏନ୍.ଏ.ସି କିମ୍ବା ସମ୍ପୃକ୍ତ ବିଭାଗରୁ କୌଣସି ପ୍ରକାରର ଆଇନସମ୍ମତ ଅନୁମତି ନେଇନଥିବା ସତ୍ତ୍ୱେ, ସହରର ବ୍ୟସ୍ତ ସଡ଼କ କଡରେ ଓ ଆବାସିକ ଅଞ୍ଚଳ ପାଖରେ ବଡ ପରିମାଣରେ ଗେଟି ଗଚ୍ଛିତ ରଖାଯାଇଛି । ଏହା ନା କେବଳ ସରକାରୀ ନିୟମକୁ ଅବହେଳା କରୁଛି, ବରଂ ସହରର ସୌନ୍ଦର୍ଯ୍ୟ ଓ ଶୃଙ୍ଖଳାକୁ ମଧ୍ୟ ନଷ୍ଟ କରୁଛି । ଏହି ବେଆଇନ ବ୍ୟବସାୟର ଆଉ ଏକ ଗଭୀର ପଟ ହେଉଛି ଆର୍ଥିକ ଅନିୟମିତତା । ଗେଟି ଚଢା ଦରରେ ବିକ୍ରି ହେଉଥିବା ସତ୍ତ୍ୱେ ଗ୍ରାହକମାନଙ୍କୁ କୌଣସି ପ୍ରକାରର ବିଲ୍ କିମ୍ବା ରସିଦ ଦିଆଯାଉନାହିଁ । ଏହା ଫଳରେ ଗ୍ରାହକମାନେ ଆଇନଗତ ସୁରକ୍ଷାରୁ ବଞ୍ଚିତ ହେଉଥିବା ସହିତ ସରକାର ମଧ୍ୟ ରାଜସ୍ୱହାନୀ ସହିବାକୁ ପଡୁଛି । ଟ୍ୟାକ୍ସ ଚୋରି ହେଉଥିବା ଅଭିଯୋଗ ମଧ୍ୟ ଏହି ଘଟଣାକୁ ଆଉ ଗୁରୁତର କରିଦେଇଛି । ଏହା ସହିତ, ଗେଟି ଗଚ୍ଛିତ ରଖାଯାଇଥିବାରୁ ପାଖପାଖି ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡୁଛନ୍ତି । ଧୂଳି ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ଷମତା ସମସ୍ୟା, ଶିଶୁ ଓ ବୃଦ୍ଧମାନଙ୍କ ଉପରେ ପ୍ରଭାବ, ଘରଭିତରେ ଧୂଳି ପଶିବା, ଏବଂ ଦିନରାତି ଟ୍ରକ୍ ଓ ଟ୍ରାକ୍ଟର ଯିବା ଆସିବାରେ ଶବ୍ଦ ପ୍ରଦୂଷଣ ବଢ଼ିବା ଯୋଗୁଁ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି । ସନ୍ଧ୍ୟା ନ ହେଉଣୁ ଗେଟି ଗଦା ଆଳରେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟୁଛି ଯାହାକି ସ୍ଥାନୀୟ ଲୋକଙ୍କୁ ପାରିବାରିକ ଜୀବନ ଉପରେ ମଧ୍ୟ ପ୍ରଭାବ ପଡୁଥିବା ଅଭିଯୋଗ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ସବୁ ଅନିୟମିତତା ସତ୍ତ୍ୱେ ପ୍ରଶାସନ ସବୁକିଛି ଜାଣି ମଧ୍ୟ ନିଷ୍କ୍ରିୟ ରହିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଯାଇଛି । କିଛିଲୋକଙ୍କ ମତ ଅନୁସାରେ,ଏପରି ବେଆଇନ କାରବାର ପଛରେ ପ୍ରଭାବଶାଳୀ ଲୋକଙ୍କ ସମର୍ଥନ ଥାଇପାରେ, ଯାହା ଫଳରେ ପ୍ରଶାସନ ଚୁପ ରହୁଛି । ଯଦିଓ ଏହା ତଦନ୍ତର ବିଷୟ । ସବୁଜାଣି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କାରଣରୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ହି ବେଆଇନ ଗେଟି ଗଚ୍ଛିତ ଓ ବ୍ୟବସାୟକୁ ତୁରନ୍ତ ବନ୍ଦ କରାଯାଉ, ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ସହରରେ ଆଇନ ଶୃଙ୍ଖଳା କଠୋର ଭାବରେ ଲାଗୁ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି । ଏହି ଘଟଣା ପଦ୍ମପୁର ସହରରେ ପ୍ରଶାସନିକ ବ୍ୟବସ୍ଥାର ଦୃଢତା ଓ ଦାୟିତ୍ୱବୋଧକୁ ପ୍ରଶ୍ନର ସମ୍ମୁଖୀନ କରାଇଛି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ଗୁରୁତର ସମସ୍ୟା ଉପରେ କେବେ କାର୍ଯ୍ୟକାରୀ ପଦକ୍ଷେପ ନେବ ଓ ସାଧାରଣ ଲୋକଙ୍କୁ ଏହି ଅସୁବିଧାରୁ କେବେ ମୁକ୍ତି ମିଳିବ ।
Prev Post
Next Post