ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷାଙ୍କ ଭାରତ ଗସ୍ତ ଏବଂ ଷୋଡ଼ଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ- ୟୁରୋପୀୟ ସଂଘର ମିଳିତ ବିବୃତ୍ତି
ନୂଆଦିଲ୍ଲୀ, (ପିଆଇବି) : 1. ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ମହାମହିମ ଉର୍ସୁଲା ଭନ୍ ଡର୍ ଲିଏନ୍ 77ତମ ସାଧାରଣତନ୍ତ୍ର ଦିବସ ସମରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ 25-27 ଜାନୁଆରୀ 2026ରେ ଭାରତ ଗସ୍ତ କରିଥିଲେ। ଅଧ୍ୟକ୍ଷ କୋଷ୍ଟା ଏବଂ ଅଧ୍ୟକ୍ଷା ଭନ୍ ଡର୍ ଲିଏନଙ୍କ ସହିତ ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତିର ଉଚ୍ଚସ୍ତରୀୟ ପ୍ରତିନିଧି କାଜା କାଲାସ୍ ଏବଂ ବାଣିଜ୍ୟ କମିଶନର ମାରୋସ୍ ସେଫ୍କୋଭିଚଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଉପସ୍ଥିତ ଥିଲେ।
- ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ୟୁରୋପୀୟ ସଂଘର ନେତାମାନଙ୍କର ଏହା ପ୍ରଥମ ଗସ୍ତ। ଏହା ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ବଢ଼ୁଥିବା ଘନିଷ୍ଠତା, ଗଭୀରତା ଏବଂ ଗତିଶୀଳତା ଏବଂ ଶାନ୍ତି ଓ ସ୍ଥିରତା, ଆର୍ଥିକ ଅଭିବୃଦ୍ଧି ଓ ଦୀର୍ଘସ୍ଥାୟୀ ବିକାଶକୁ ଆଧାର କରି ଏକ ସ୍ଥିର ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ଗଠନ କରିବା ଲାଗି ସେମାନଙ୍କର ମିଳିତ ପ୍ରତିବଦ୍ଧତା ଏବଂ ସହଭାଗୀ ଇଚ୍ଛାର ପ୍ରତୀକ। 2025 ଫେବୃଆରୀ 27-28 ରେ ଅଧ୍ୟକ୍ଷା ଭନ୍ ଡର୍ ଲିଏନଙ୍କ ନେତୃତ୍ୱରେ ୟୁରୋପୀୟ ସଂଘ କଲେଜ ଅଫ୍ କମିଶନର୍ସର ଭାରତକୁ ଐତିହାସିକ ଗସ୍ତ ପରେ ଏହି ଗସ୍ତ ହୋଇଛି ।
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଦୁଇ ନେତାଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ କରିଥିଲେ। ଏହାପରେ ସେମାନେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ଏବଂ ପରେଡ୍ ଦେଖିବା ପାଇଁ ଏକ ଆନୁଷ୍ଠାନିକ ଶୋଭାଯାତ୍ରାରେ ଏକାଠି ଯାତ୍ରା କରିଥିଲେ। ପ୍ରଥମ ଥର ପାଇଁ, ୟୁରୋପୀୟ ସଂଘ ସାମରିକ କର୍ମଚାରୀ ଏବଂ ୟୁରୋପୀୟ ସଂଘ ନୌସେନା ଅପରେସନ୍ସ ଅଟାଲାଣ୍ଟା ଏବଂ ଏସ୍ପିଡେସ୍ର ପ୍ରତିନିଧିମାନଙ୍କୁ ନେଇ ଗଠିତ ଏକ ଦଳ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷ କୋଷ୍ଟା ଏବଂ ଅଧ୍ୟକ୍ଷା ଭନ୍ ଡର ଲିଏନ୍ ରାଷ୍ଟ୍ରପତି ଭବନରେ ଆୟୋଜିତ ଆଟ୍ ହୋମ୍ ସମାରୋହରେ ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ଯୋଗ ଦେଇଥିଲେ। ଅତିଥିଙ୍କ ସମ୍ମାନାର୍ଥେ, ରାଷ୍ଟ୍ରପତି ମୁର୍ମୁ 27 ଜାନୁଆରୀ 2026 ରେ ଏକ ଭୋଜିର ଆୟୋଜନ କରିଥିଲେ। ସେହି ଦିନ ଅପରାହ୍ଣରେ, ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସମ୍ମାନରେ ଏକ ମଧ୍ୟାହ୍ନ ଭୋଜନ ମଧ୍ୟ ଆୟୋଜନ କରିଥିଲେ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡର୍ ଲିଏନ୍ ଙ୍କ ସହ 27 ଜାନୁଆରୀ 2026ରେ ନୂଆଦିଲ୍ଲୀରେ ଷୋଡ଼ଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ। ଜାତିସଂଘର ବ୍ୟବସ୍ଥାକୁ ଆଧାର କରି, ଗଣତନ୍ତ୍ର, ମାନବାଧିକାର, ବହୁଳତାବାଦ, ଆଇନର ଶାସନ ଏବଂ ନିୟମ-ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ସମେତ ସହଭାଗୀ ମୂଲ୍ୟବୋଧ ଏବଂ ନୀତି ଉପରେ ଆଧାରିତ ଭାରତ- ୟୁରୋପୀୟ ସଂଘ ରଣନୀତିକ ସହଭାଗୀତାକୁ ଉଚ୍ଚ ସ୍ତରକୁ ଉଠାଇବା ପାଇଁ ପାରସ୍ପରିକ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ। ସେମାନେ ସୁରକ୍ଷା ବିପଦର ମୁକାବିଲା, ସମାବେଶୀ ଓ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ଓ ସୁରକ୍ଷାକୁ ସୁଦୃଢ଼ କରିବା, ଜଳବାୟୁ ଓ ଜୈବ ବିବିଧତା କାର୍ଯ୍ୟକୁ ଆଗକୁ ବଢାଇବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବଦ୍ଧ ଥିଲେ।
- ନେତାମାନେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ମଧ୍ୟ ସମ୍ବୋଧିତ କରିଥିଲେ। ଏଥିରେ ଉଭୟ ପକ୍ଷର ସିଇଓ ଏବଂ ଶିଳ୍ପପତିମାନେ ଯୋଗ ଦେଇଥିଲେ, ଯେଉଁଠାରେ ସେମାନେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସମନ୍ୱୟ ସ୍ଥାପନ ପାଇଁ ମହତ୍ୱାକାଂକ୍ଷୀ ଘରୋଇ କ୍ଷେତ୍ର ନିବେଶ ଏବଂ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ନିବିଡ଼ କରିବା ଲାଗି ନୂତନ ବ୍ୟବସାୟିକ ପଦକ୍ଷେପ ସକାଶେ ଆହ୍ୱାନ କରିଥିଲେ।
- ନେତାମାନେ ‘ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଭାଗୀତା: 2025 ପାଇଁ ଏକ ରୋଡମ୍ୟାପ୍’ ଉପରେ ପ୍ରଗତିକୁ ପ୍ରଶଂସା କରିଥିଲେ। ଉଭୟ ପକ୍ଷ ସେମାନଙ୍କର ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ, ଯାହା ଉଭୟ ପକ୍ଷ ପାଇଁ ବାସ୍ତବ ଲାଭ ପ୍ରଦାନ କରିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ସକାରାତ୍ମକ ଗତି ଏବଂ ସମସ୍ତ କ୍ଷେତ୍ରରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଚିରସ୍ଥାୟୀ ରଖିବାର ପୃଷ୍ଠଭୂମିରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ରଣନୀତିକ ସହଭାଗୀତାକୁ କାର୍ଯ୍ୟକାରୀ କରିବା
- ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଆଲୋଚନାର ସଫଳ ପରିସମାପ୍ତିକୁ ପ୍ରଶଂସା କରିଥିଲେ। ଏହି ଐତିହାସିକ ଚୁକ୍ତି ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଭାଗୀତାରେ ଏକ ମାଇଲଖୁଣ୍ଟ ଯାହା ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏଥିସହିତ ସହଭାଗୀ ସମୃଦ୍ଧିକୁ ଆଗେଇ ନେବ, ସ୍ଥିର ଓ ବିବିଧ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବ ଏବଂ ନିରନ୍ତର ଏବଂ ସମାବେଶୀ ବିକାଶକୁ ସମର୍ଥନ କରିବ।
- ନେତାମାନେ ଭାରତ-ୟୁରୋପୀୟ ସଂଘ ସୁରକ୍ଷା ଏବଂ ପ୍ରତିରକ୍ଷା ସହଭାଗୀତା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ଏହା ଉଭୟ ପକ୍ଷ ମଧ୍ୟରେ ପ୍ରଥମ ଏପରି ପ୍ରମୁଖ ପ୍ରତିରକ୍ଷା ଏବଂ ସୁରକ୍ଷା ଢାଞ୍ଚା ଯାହା ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା, ସାଇବର ଓ ହାଇବ୍ରିଡ୍ ବିପଦ, ମହାକାଶ ଓ ଆତଙ୍କବାଦ ବିରୋଧୀ କ୍ଷେତ୍ରରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ। ସେମାନେ ସୂଚନା ସୁରକ୍ଷା ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭକୁ ମଧ୍ୟ ସ୍ୱାଗତ କରିଛନ୍ତି ଯାହା ଗୋପନୀୟ ସୂଚନା ଆଦାନପ୍ରଦାନକୁ ସହଜ କରିବ ଏବଂ ସୁରକ୍ଷା ଓ ପ୍ରତିରକ୍ଷା ସହିତ ଜଡିତ କ୍ଷେତ୍ରରେ ଏକ ଦୃଢ଼ ସହଯୋଗ ପାଇଁ ପଥ ପ୍ରଶସ୍ତ କରିବ।
ଆଞ୍ଚଳିକ ଏବଂ ବହୁପକ୍ଷୀୟ ସହଯୋଗ - ମିଳିତ ଜାତିସଂଘକୁ ଆଧାର କରି, ନେତାମାନେ ଏକ ପ୍ରଭାବଶାଳୀ ବହୁପାକ୍ଷିକ ବ୍ୟବସ୍ଥାର ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ ଜାତିସଂଘ ସୁରକ୍ଷା ପରିଷଦକୁ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ, ସମାବେଶୀ, ସ୍ୱଚ୍ଛ, ଦକ୍ଷ, ପ୍ରଭାବଶାଳୀ, ଗଣତାନ୍ତ୍ରିକ, ଉତ୍ତରଦାୟୀ ଏବଂ ସମସାମୟିକ ଭୂ-ରାଜନୈତିକ ବାସ୍ତବତାର ପ୍ରତିଫଳନକାରୀ କରିବା ପାଇଁ ଏହାର ବ୍ୟାପକ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥା ଏବଂ ବିଶ୍ୱ ବାଣିଜ୍ୟ ପ୍ରଶାସନରେ ବିଶ୍ୱ ବାଣିଜ୍ୟ ସଂଗଠନର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହିତ ବିଶ୍ୱ ବାଣିଜ୍ୟ ସଂଗଠନର କାର୍ଯ୍ୟରେ ସୁଧାର ଆଣିବା ପାଇଁ ଏହାର ଅର୍ଥପୂର୍ଣ୍ଣ, ଆବଶ୍ୟକୀୟ ଏବଂ ବ୍ୟାପକ ସଂସ୍କାର ଅତ୍ୟାବଶ୍ୟକ ବୋଲି ମତ ଦେଇଥିଲେ ଯାହାଦ୍ଵାରା ଏହା ସମସ୍ତ ସଦସ୍ୟଙ୍କ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ଉପଯୁକ୍ତ ହେବ।
- ନେତାମାନେ ଆଞ୍ଚଳିକ ଏବଂ ବିଶ୍ୱ ସୁରକ୍ଷା ମାମଲାରେ ଘନିଷ୍ଠ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସ୍ୱୀକାର କରିଥିଲେ ଯେ ୟୁରୋପ ଏବଂ ଭାରତ-ପ୍ରଶାନ୍ତ ମହାସାଗରର ସୁରକ୍ଷା ଏବଂ ସମୃଦ୍ଧି ପରସ୍ପର ସହିତ ଜଡିତ।
- ଉଭୟ ପକ୍ଷ ୟୁଏନସିଏଲଓଏସ ସମେତ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏଥିସହିତ ଏହି କ୍ଷେତ୍ରରେ ସେମାନଙ୍କର ଭୂମିକା ଏବଂ ସଂପୃକ୍ତିକୁ ସ୍ୱୀକାର କରିଥିଲେ। ନେତାମାନେ ନୂଆଦିଲ୍ଲୀରେ ଆଗାମୀ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଭାରତ-ୟୁରୋପୀୟ ସଂଘ ଆଲୋଚନାର ପ୍ରଥମ ସଂସ୍କରଣ ସମେତ ଏହି କ୍ଷେତ୍ରରେ ଘନିଷ୍ଠ ସମ୍ପର୍କକୁ ସ୍ୱାଗତ କରିଥିଲେ। ସେମାନେ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପ (ଆଇପିଓଆଇ) ରେ ମିଳିତ କାର୍ଯ୍ୟକଳାପ ଏବଂ ଭାରତର ଅଧ୍ୟକ୍ଷତାରେ ଭାରତ ମହାସାଗର ରିମ୍ ଆସୋସିଏସନ୍ (ଆଇଓଆରଏ)ରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଆଶା କରିଥିଲେ ।
- ୟୁକ୍ରେନ ପ୍ରସଙ୍ଗରେ, ଉଭୟ ପକ୍ଷ ବର୍ତ୍ତମାନ ଚାଲିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଥିଲେ, ଯାହା ଅସହ୍ୟ ମାନବ ଯନ୍ତ୍ରଣା ସୃଷ୍ଟି କରୁଛି ଏବଂ ବିଶ୍ୱବ୍ୟାପୀ ଅନେକ କୁପରିଣାମ ସୃଷ୍ଟି କରୁଛି। ଉଭୟ ପକ୍ଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ହାସଲ ପାଇଁ ପ୍ରୟାସକୁ ସମର୍ଥନ କରିବା ଜାରି ରଖିବେ ବୋଲି ସହମତ ହୋଇଥିଲେ ଯାହା ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ନୀତି, ସ୍ୱାଧୀନତା, ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆଧାରିତ ହୋଇଥିବ।
- ନେତାମାନେ 17 ନଭେମ୍ବର 2025ରେ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ 2803 ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରସ୍ତାବ ଶାନ୍ତି ବୋର୍ଡ ପ୍ରତିଷ୍ଠାକୁ ସ୍ୱାଗତ କରେ ଏବଂ ଗାଜା ସଂଘର୍ଷର ଅନ୍ତ ପାଇଁ ଏକ ପଦକ୍ଷେପ ଭାବରେ ବ୍ୟାପକ ଯୋଜନାରେ ଉଲ୍ଲେଖ କରାଯାଇଥିବା ଏକ ଅନ୍ତର୍ଜାତୀୟ ସ୍ଥିରତା ବାହିନୀକୁ ଅନୁମୋଦନ କରେ। ସେମାନେ ସମସ୍ତ ପକ୍ଷଙ୍କୁ ଅନ୍ତର୍ଜାତୀୟ ଆଇନ ଏବଂ ପ୍ରାସଙ୍ଗିକ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ଅନୁଯାୟୀ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିଥିଲେ। ଉଭୟ ପକ୍ଷ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସକୁ ସମର୍ଥନ କରିବା ଲାଗି ସେମାନଙ୍କର ପ୍ରସ୍ତୁତିକୁ ପୁନର୍ବାର ଦୋହରାଇଥିଲେ ଏବଂ ଅବାଧ ମାନବୀୟ ସହାୟତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଦ୍ୱିରାଷ୍ଟ୍ରୀୟ ସମାଧାନ କାର୍ଯ୍ୟକାରୀ କରିବା ଉପରେ ଆଧାରିତ ଏକ ନ୍ୟାୟପୂର୍ଣ୍ଣ ଏବଂ ଦୀର୍ଘସ୍ଥାୟୀ ସମାଧାନ ପାଇଁ ମଧ୍ୟ ଆହ୍ୱାନ କରିଥିଲେ।
- ଉଭୟ ପକ୍ଷ ଇରାନ ଏବଂ ଏହି କ୍ଷେତ୍ରରେ ସାମ୍ପ୍ରତିକ ଘଟଣାକ୍ରମକୁ ନେଇ ଚିନ୍ତାବ୍ୟକ୍ତ କରିବା ସହିତ ଏହା ଉପରେ ଆଲୋଚନା କରିଥିଲେ। ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
- ନେତାମାନେ ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଏବଂ ସ୍ୱରୂପରେ ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଓ ଦୃଢ଼ ଭାବରେ ନିନ୍ଦା କରିଥିଲେ। ସେମାନେ ବ୍ୟାପକ ଓ ନିରନ୍ତର ଭାବରେ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଆତଙ୍କବାଦର ମୁକାବିଲା ପାଇଁ ନିର୍ଣ୍ଣାୟକ ତଥା ସମନ୍ୱିତ ଅନ୍ତର୍ଜାତୀୟ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ସେମାନେ ମୌଳବାଦ ଓ ହିଂସାତ୍ମକ ଉଗ୍ରବାଦର ମୁକାବିଲା ପାଇଁ ସହଯୋଗ ବୃଦ୍ଧି କରିବା, ଆତଙ୍କବାଦର ପାଣ୍ଠି ଯୋଗାଣ ମୁକାବିଲା କରିବା, ଅନ୍ତର୍ଜାତୀୟ ସ୍ତରରେ ସହମତ ବେଆଇନ ଅର୍ଥକାରବାର ନିରୋଧୀ ମାନଦଣ୍ଡକୁ ପ୍ରୋତ୍ସାହିତ କରିବା, ଆତଙ୍କବାଦ ଉଦ୍ଦେଶ୍ୟରେ ନୂତନ ଓ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ରୋକିବା ଏବଂ ଆତଙ୍କବାଦୀ ନିଯୁକ୍ତିକୁ ମୁକାବିଲା କରିବା ପାଇଁ ସହମତ ହୋଇଥିଲେ। ସେମାନେ 22 ଏପ୍ରିଲ 2025ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ 10 ନଭେମ୍ବର 2025ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଆତଙ୍କବାଦୀ ଆକ୍ରମଣର କଠୋର ନିନ୍ଦା କରିଥିଲେ।
2030 ଦିଗରେ ଯାତ୍ରା: ଭାରତ-ୟୁରୋପୀ ସଂଘ ମିଳିତ ବ୍ୟାପକ ରଣନୀତିକ ଲକ୍ଷ୍ୟ
- ଦୁଇ ପକ୍ଷ ମଧ୍ୟରେ ରଣନୀତିକ ସହଯୋଗରେ ସୁଧାର ଆଣିବା ପାଇଁ ନେତାମାନେ ‘‘2030 ଦିଗରେ ଯାତ୍ରା: ଭାରତ-ୟୁରୋପୀୟ ସଂଘ ମିଳିତ ବ୍ୟାପକ ରଣନୀତିକ କାର୍ଯ୍ୟସୂଚୀ’’ ଗ୍ରହଣ କରିଛନ୍ତି। ମିଳିତ ବ୍ୟାପକ ରଣନୀତିକ କାର୍ଯ୍ୟସୂଚୀରେ ପାଞ୍ଚଟି ପ୍ରମୁଖ ସ୍ତମ୍ଭରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ସେଗୁଡ଼ିକ ହେଲା: ସମୃଦ୍ଧି ଓ ସ୍ଥିରତା, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସୁରକ୍ଷା ଓ ପ୍ରତିରକ୍ଷା, ସଂଯୋଗ ଓ ବିଶ୍ୱସ୍ତରୀୟ ଆହ୍ୱାନ ଏବଂ ଦକ୍ଷତା, ଗତିଶୀଳତା, ବ୍ୟବସାୟ ଓ ଜନ ସମ୍ପର୍କ ଭଳି କାରକଗୁଡ଼ିକୁ ସକ୍ଷମ କରିବା।
- ବିଭିନ୍ନ ପ୍ରକାର ବିଶ୍ୱ ଅନିଶ୍ଚିତତା ଓ ବାଧାବିଘ୍ନର ପରିପ୍ରେକ୍ଷୀରେ, ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ସବୁଜ ପରିବର୍ତ୍ତନ, ଶିଳ୍ପ ବିକାଶ ଏବଂ ଅଧିକ ସ୍ଥିର, ସ୍ଥାୟୀ ଏବଂ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳକୁ ଆଗକୁ ବଢ଼ାଇବା ପାଇଁ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଘନିଷ୍ଠ ଆର୍ଥିକ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଭାରତ ଏବଂ ୟୁରୋପୀୟ ସଂଘର ନେତାମାନେ ଏଫଟିଏର ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ। ଏହା ସହିତ, ସେମାନେ ଏକ ନିବେଶ ସୁରକ୍ଷା ଚୁକ୍ତିନାମା (ଆଇପିଏ) ଏବଂ ଭୌଗୋଳିକ ସୂଚକ (ଜିଆଇଏସ) ଉପରେ ଯଥାଶୀଘ୍ର ଆଲୋଚନା ସମାପ୍ତ କରିବାକୁ ସେମାନଙ୍କର ନିଜ ନିଜ ଦଳକୁ ଦାୟିତ୍ୱ ଦେଇଛନ୍ତି। ସେମାନେ ଦ୍ୱିପାକ୍ଷିକ ନିବେଶ ବୃଦ୍ଧି ଉପରେ କାର୍ଯ୍ୟ କରିବାକୁ ଏବଂ ଚୟନିତ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବାରେ ଘରୋଇ କ୍ଷେତ୍ରର ସମ୍ପୃକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ବ୍ଲୁ ଭେଲି ଉପରେ ଆଲୋଚନା କରିବାକୁ ପ୍ରତିବଦ୍ଧ। ସେମାନେ ତ୍ରିପାକ୍ଷିକ ସହଯୋଗ ମାଧ୍ୟମରେ ତୃତୀୟ ଦେଶରେ ଏକତ୍ର ନିବେଶ ବୃଦ୍ଧି ଉପରେ କାର୍ଯ୍ୟ କରିବାକୁ ମଧ୍ୟ ହାତ ବଢାଇଛନ୍ତି, ଯେଉଁଥିରେ ଭାରତ ଏବଂ ୟୁରୋପୀୟ ସଂଘର ବିକାଶ ସହାୟତାରେ ୟୁରୋପୀୟ ସଂଘର ଅଭିଜ୍ଞତା, ୟୁରୋପୀୟ ସଂଘର ଗ୍ଲୋବାଲ ଗେଟୱେ ରଣନୀତି ଅନ୍ତର୍ଭୁକ୍ତ।
- ଭାରତ ଏବଂ ୟୁରୋପୀୟ ସଂଘ ପାଖରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିପୂରକ ସାମର୍ଥ୍ୟ ରହିଛି। ଉଭୟ ପକ୍ଷ ସମଗ୍ର ମୂଲ୍ୟ ଶୃଙ୍ଖଳରେ ସହଯୋଗ ବୃଦ୍ଧି କରିବେ, ଉନ୍ନତ ଗବେଷଣା ଏବଂ ନବସୃଜନକୁ ବ୍ୟବସାୟିକ ସମ୍ପର୍କ ଏବଂ ବଜାର କାର୍ଯ୍ୟକ୍ଷମତା ସହିତ ସଂଯୋଗ କରିବେ। ବର୍ତ୍ତମାନର ଭୂରାଜନୈତିକ ପରିବେଶ ଏବଂ ବିଶ୍ୱ ବ୍ୟାଘାତ ମଧ୍ୟରେ, ସେମାନେ ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦ (ଟିଟିସି), ଏକ ଉଚ୍ଚସ୍ତରୀୟ ସମନ୍ୱୟ ମଞ୍ଚର ଗୁରୁତ୍ୱକୁ ଦୋହରାଯାଇଛନ୍ତି । ଏହା ପ୍ରମୁଖ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସୁରକ୍ଷା ପ୍ରସଙ୍ଗଗୁଡ଼ିକୁ ସେମାନଙ୍କର ପ୍ରଯୁକ୍ତିବିଦ୍ୟା ସହଭାଗୀତାର ମୂଳଦୁଆ ଭାବରେ ସମାଧାନ କରିଥାଏ ଏବଂ ଏହାର କାର୍ଯ୍ୟକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥାଏ। ଉଭୟ ପକ୍ଷ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବରେ ଆଗକୁ ବଢ଼ିବେ ଯେଉଁଥିରେ ଆନ୍ତଃପରିଚାଳନାଯୋଗ୍ୟ ମାନଦଣ୍ଡ ଏବଂ ନିୟାମକ ଢାଞ୍ଚାରେ ସର୍ବୋତ୍ତମ ଅଭ୍ୟାସର ଆଦାନପ୍ରଦାନ, ନୂତନ ପ୍ରଯୁକ୍ତିବିଦ୍ୟା (ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ 6ଜି ସାମିଲ) କ୍ଷେତ୍ରରେ ସହଯୋଗ, ସାଇବର-ସୁରକ୍ଷିତ ତଥା ବିଶ୍ୱସ୍ତ ଡିଜିଟାଲ୍ ଇକୋସିଷ୍ଟମ୍ ନିର୍ମାଣ କରିବା ସହିତ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟାରେ ସହଯୋଗକୁ ଆଗକୁ ବଢ଼ାଇବା ଅନ୍ତର୍ଭୁକ୍ତ। ସେମାନେ ବିଶେଷକରି ଯୋଗାଣ ଶୃଙ୍ଖଳ ଏବଂ ଗବେଷଣା ସୁରକ୍ଷାର ସ୍ଥିରତା ଉପରେ ଆର୍ଥିକ ସୁରକ୍ଷା ଉପରେ ଆଲୋଚନାକୁ ବ୍ୟାପକ କରିବେ ଏବଂ ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟାକୁ ସୁରକ୍ଷା ଦେବାର ଗୁରୁତ୍ୱକୁ ରେଖାଙ୍କିତ କରିବେ। ଉଭୟ ପକ୍ଷ 2026 ରେ ବ୍ରସେଲ୍ସରେ ପରବର୍ତ୍ତୀ ଟିଟିସି ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବାକୁ ଏବଂ ବ୍ୟବସାୟିକ ଆଲୋଚନାକୁ ଗଭୀର କରିବାକୁ ରାଜି ହୋଇଛନ୍ତି।
- ଉଭୟ ପକ୍ଷ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଗବେଷଣା କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବେ। ଏଥିରେ ୟୁରୋପୀୟ ସଂଘ-ଭାରତ ନବସୃଜନ ହବ୍ ସୃଷ୍ଟି ଏବଂ ୟୁରୋପୀୟ ସଂଘ-ଭାରତ ଷ୍ଟାର୍ଟଅପ୍ ସହଭାଗୀତା ଆରମ୍ଭ କରିବା ଅନ୍ତର୍ଭୁକ୍ତ। ନେତାମାନେ 2030 ପର୍ଯ୍ୟନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ୟୁରୋପୀୟ ସଂଘ ଚୁକ୍ତିନାମାର ନବୀକରଣକୁ ସ୍ୱାଗତ କରିଥିଲେ ଏବଂ ୟୁରୋପୀୟ ସଂଘର ଗବେଷଣା ଓ ନବସୃଜନ କାର୍ଯ୍ୟକ୍ରମ ହରାଇଜନ୍ ୟୁରୋପକୁ ଭାରତ ସହ ଯୋଡ଼ିବା ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଥିଲେ। ସେମାନେ ନଭେମ୍ବର 2025ରେ ବ୍ରସେଲ୍ସରେ ପ୍ରଥମ ଭାରତ-ୟୁରୋପୀୟ ସଂଘ ମହାକାଶ ଆଲୋଚନାରେ ଫଳପ୍ରଦ ଆଲୋଚନାକୁ ସ୍ୱାଗତ କରିଥିଲେ।
- ନେତାମାନେ ଅତ୍ୟଧିକ ଖରାପ ଜଳବାୟୁ ଦୁର୍ଘଟଣା ବୃଦ୍ଧି ପାଇବାକୁ ସ୍ୱୀକାର କରିଥିଲେ ଏବଂ ପ୍ୟାରିସ ଚୁକ୍ତିନାମା, କନଫରେନ୍ସ ଅଫ୍ ପାର୍ଟିଜ୍ (କପ୍) ଫଳାଫଳ ଏବଂ ସମ୍ପୃକ୍ତ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଅବଦାନର ଗୁରୁତ୍ୱକୁ ଦୋହରାଇଥିଲେ। ସେମାନେ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଘନିଷ୍ଠ ଭାବରେ ସହଯୋଗ କରିବାକୁ ଏବଂ ବିଶ୍ୱସ୍ତରୀୟ କାର୍ଯ୍ୟ ବୃଦ୍ଧି ପାଇଁ ଶକ୍ତି ଯୋଗଦାନ କରିବାକୁ ରାଜି ହୋଇଥିଲେ। ଏଥିରେ ବିଶ୍ୱସ୍ତରୀୟ ହାରାହାରି ତାପମାତ୍ରା ବୃଦ୍ଧିକୁ ପୂର୍ବ-ଶିଳ୍ପ ସ୍ତରଠାରୁ 2 ଡିଗ୍ରୀ ସେଲସିୟସ ତଳେ ରଖିବା ଏବଂ ପୂର୍ବ-ଶିଳ୍ପ ସ୍ତରଠାରୁ ତାପମାତ୍ରା ବୃଦ୍ଧିକୁ ଦେଢ଼ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସୀମିତ ରଖିବା ପାଇଁ ପ୍ରୟାସ ଜାରି ରଖିବା ଅନ୍ତର୍ଭୁକ୍ତ। ସେମାନେ ବିଭିନ୍ନ ଜାତୀୟ ପରିସ୍ଥିତି ଦୃଷ୍ଟିରୁ ସମାନତା ନୀତି, ସାଧାରଣ କିନ୍ତୁ ପୃଥକ ଦାୟିତ୍ୱ ଏବଂ ସମ୍ପୃକ୍ତ କ୍ଷମତାର ଗୁରୁତ୍ୱକୁ ଦୋହରାଇଥିଲେ। ବିକାଶଶୀଳ ଦେଶଗୁଡ଼ିକରେ ଶକ୍ତି ଉପଲବ୍ଧତା ପ୍ରଦାନ ଏବଂ ବୃହତ ପରିମାଣର ସୌର ଶକ୍ତି କ୍ଷମତା ସ୍ଥାପନ ପାଇଁ ଅନ୍ତର୍ଜାତୀୟ ସୌର ସଂଗଠନ (ଆଇଏସଏ)ର ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ।
- ନେତାମାନେ ୟୁରୋପୀୟ ସଂଘ-ଭାରତ ସ୍ୱଚ୍ଛ ଶକ୍ତି ଓ ଜଳବାୟୁ ସହଭାଗୀତା ଢାଞ୍ଚାରେ ସ୍ୱଚ୍ଛ ପରିବର୍ତ୍ତନ ଏବଂ ଶକ୍ତି ସ୍ଥିରତାରେ ସହଯୋଗକୁ ତ୍ୱରାନ୍ୱିତ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ସବୁଜ ହାଇଡ୍ରୋଜେନ ଉପରେ ଭାରତ-ୟୁରୋପୀୟ ସଂଘ ଟାସ୍କ ଫୋର୍ସ ଗଠନ ଏବଂ 2026ରେ ଆୟୋଜିତ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ବାୟୁ ବ୍ୟବସାୟ ସମ୍ମିଳନୀ ଘୋଷଣାକୁ ସ୍ୱାଗତ କରିଛନ୍ତି। ବିପର୍ଯ୍ୟୟ ବିପଦ ପରିଚାଳନା ଉପରେ ଭାରତ-ୟୁରୋପୀୟ ସଂଘ ପ୍ରଶାସନିକ ବ୍ୟବସ୍ଥା ସ୍ୱାକ୍ଷର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା କ୍ଷମତାରେ ବର୍ଦ୍ଧିତ ସମନ୍ୱୟ ପାଇଁ ପଥ ପ୍ରଶସ୍ତ କରିବ। ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ) ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ସହିତ ୟୁରୋପୀୟ ସଂଘର ଘନିଷ୍ଠ ସମ୍ପର୍କ ଏହି ସହଯୋଗକୁ ପରିପୂର୍ଣ୍ଣ କରିଥାଏ।
- ନେତାମାନେ ପରିବେଶଗତ ପ୍ରସଙ୍ଗରେ ସହଯୋଗକୁ ସୁଦୃଢ଼ କରିବା, ଚକ୍ରାକାର ଅର୍ଥବ୍ୟବସ୍ଥା, ଜୈବ ବିବିଧତା, ଜଳ ସଂରକ୍ଷଣ ଏବଂ ସୁରକ୍ଷା ଉପରେ ସହଯୋଗକୁ ଗଭୀର କରିବା ଏବଂ ମହାସାଗର ଓ ମତ୍ସ୍ୟ କ୍ଷେତ୍ରରେ ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଥିଲେ। ସେମାନେ କୁନମିଂ-ମଣ୍ଟ୍ରିଲ ବିଶ୍ୱ ଜୈବ ବିବିଧତା ଫ୍ରେମୱାର୍କର ପୂର୍ଣ୍ଣ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ।
- ଭୂରାଜନୈତିକ ବାସ୍ତବତା ଏବଂ ବର୍ଦ୍ଧିତ ଆନ୍ତଃ-କ୍ଷେତ୍ରୀୟ ସୁରକ୍ଷା ବିପଦଗୁଡ଼ିକ ୟୁରୋପୀୟ ସଂଘ-ଭାରତର ଘନିଷ୍ଠ ସହଯୋଗ ପାଇଁ ଆହ୍ବାନ କରେ। ଉଭୟ ପକ୍ଷ ସେମାନଙ୍କର ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ସହିତ ସେମାନେ ସାମୁଦ୍ରିକ ସୁରକ୍ଷା ଠାରୁ ହାଇବ୍ରିଡ୍ ବିପଦ, ଆତଙ୍କବାଦ ବିରୋଧୀ, ମହାକାଶ ସୁରକ୍ଷା ଏବଂ ସୀମାପାର୍ ଅପରାଧ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପ୍ରସ୍ତୁତିକୁ ବଢ଼ାଇବେ। ସେହିପରି ସଙ୍କଟ-ପରିଚାଳନା ସମ୍ପର୍କ ଏବଂ ପାରସ୍ପରିକ ଲାଭଦାୟକ ପ୍ରତିରକ୍ଷା-ଶିଳ୍ପ ସହଯୋଗକୁ ଗଭୀର କରିବେ। ଭାରତ ଏବଂ ୟୁରୋପୀୟ ସଂଘ ସାମୁଦ୍ରିକ ପ୍ରଦୂଷଣ, ସାମୁଦ୍ରିକ ଯାତ୍ରୀଙ୍କ ସୁରକ୍ଷା ଏବଂ ଜାହାଜଗୁଡ଼ିକର ସୁରକ୍ଷା ସଂକ୍ରାନ୍ତ ବର୍ଦ୍ଧିତ ଆହ୍ୱାନ ଉପରେ ମଧ୍ୟ ଧ୍ୟାନ ଦେବେ ଯାହା ପ୍ରାସଙ୍ଗିକ ଏବଂ ପ୍ରଯୁଜ୍ୟ ଅନ୍ତର୍ଜାତୀୟ ସାମୁଦ୍ରିକ ନିୟମାବଳୀର ଅନୁପାଳନକୁ ଅବରୋଧ କରିଥାଏ ଯାହାର ସେମାନେ ପକ୍ଷକାର ଅଟନ୍ତି ।
- ଉଭୟ ପକ୍ଷ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଏକାଠି କାମ କରିବେ । ସେମାନେ ଉଚ୍ଚ ମାନଦଣ୍ଡକୁ ବଜାୟ ରଖି ୟୁରୋପୀୟ ସଂଘ ଏବଂ ଭାରତୀୟ ବ୍ୟବସାୟ ପାଇଁ ନୂତନ ବାଣିଜ୍ୟିକ ସୁଯୋଗକୁ ଉନ୍ମୋଚନ କରିବେ। ନେତାମାନେ ଗ୍ଲୋବାଲ୍ ଗେଟୱେ ଏବଂ ଭାରତର ମହାସାଗର କାର୍ଯ୍ୟକ୍ରମ ଦ୍ୱାରା ସମର୍ଥିତ ଭାରତ-ୟୁରୋପୀୟ ସଂଘ ସଂଯୋଗୀକରଣ ସହଭାଗୀତା ଅଧୀନରେ ମିଳିତ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ, ଏକ ନିୟମିତ ବିମାନ ଚଳାଚଳ ବାର୍ତ୍ତାଳାପ ବ୍ୟବସ୍ଥା ସ୍ଥାପନ ଏବଂ ସାମୁଦ୍ରିକ ପରିବହନ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ 2023 ଜି20 ନୂଆଦିଲ୍ଲୀ ଶିଖର ସମ୍ମିଳନୀ ସମୟରେ ଆରମ୍ଭ ହୋଇଥିବା ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ରେ ଅଗ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଅପେକ୍ଷା କରିଥିଲେ। ଉଭୟ ପକ୍ଷ ଶକ୍ତି, ଜଳବାୟୁ ସ୍ଥିରତା, ସବୁଜ ପରିବହନ ଏବଂ ଡିଜିଟାଲକରଣ ଭଳି କ୍ଷେତ୍ରରେ ତ୍ରିପାକ୍ଷିକ ସହଯୋଗ ଉପରେ ଭାରତ-ୟୁରୋପୀୟ ସଂଘ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ତ୍ରିପାକ୍ଷିକ ସହଯୋଗ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବେ।
- ଶିକ୍ଷା ଏବଂ ଲୋକ ସମ୍ପର୍କ ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଭାଗୀତାର ଗୁରୁତ୍ୱପୂର୍ଣ୍ଣ ସହାୟକ ଭାବରେ ଉଭା ହୋଇଛି ବୋଲି ନେତାମାନେ ଉଲ୍ଲେଖ କରିଥିଲେ। ସେମାନେ ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ର ଏବଂ ଭାରତର ଜାତୀୟ ଯୋଗ୍ୟତା ଓ ଉଭୟ ପକ୍ଷର ଘରୋଇ ଆଇନ ଅନୁଯାୟୀ ଗତିଶୀଳତା ଉପରେ ଭାରତ- ୟୁରୋପୀୟ ସଂଘ ବ୍ୟାପକ ସହଯୋଗ ଢାଞ୍ଚାର ପରିସମାପ୍ତିକୁ ସ୍ୱାଗତ କରିଥିଲେ। ସେମାନେ ଆଇସିଟି କ୍ଷେତ୍ରରୁ ଆରମ୍ଭ କରି ଶ୍ରମିକଙ୍କ ଗତିବିଧିକୁ ସୂଚନା ପ୍ରଦାନ ଏବଂ ସମର୍ଥନ କରୁଥିବା ଏକକ ହବ୍ ଭାବରେ ପ୍ରଥମ ପାଇଲଟ୍ ୟୁରୋପୀୟ ଲିଗାଲ ଗେଟୱେ କାର୍ଯ୍ୟାଳୟର ଶୁଭାରମ୍ଭକୁ ପ୍ରଶଂସା କରିଥିଲେ। ସେମାନେ ଅତି କୁଶଳୀ ଶ୍ରମିକ, ଛାତ୍ରଛାତ୍ରୀ, ଗବେଷକ ଏବଂ ବିରଳ ବୃତ୍ତିରେ ଋତୁକାଳୀନ ଶ୍ରମିକଙ୍କ ପାଇଁ ବୃତ୍ତାକାର ପଥ ମାଧ୍ୟମରେ ନିରାପଦ, ନିୟମିତ ଏବଂ ସୁବ୍ୟବସ୍ଥିତ ପ୍ରବାସ ଉପରେ ସହଯୋଗ ବୃଦ୍ଧି କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଜାତୀୟ ଦକ୍ଷତା ଏବଂ ଉଭୟ ପକ୍ଷର ଆଇନ ଅନୁଯାୟୀ ଅନିୟମିତ ପ୍ରବାସକୁ ମୁକାବିଲା କରିବା ପାଇଁ ସହଯୋଗକୁ ମଧ୍ୟ ସେମାନେ ମଜବୁତ କରିଥିଲେ।
- ଶିକ୍ଷାଗତ ଏବଂ ଶୈକ୍ଷିକ ସହଯୋଗକୁ ଆହୁରି ଘନିଷ୍ଠ କରିବା ଲକ୍ଷ୍ୟରେ ଉଭୟ ପକ୍ଷ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା, ବିଦେଶରେ ଯୋଗ୍ୟତା ଏବଂ ଶିକ୍ଷା ଅବଧିର ସ୍ୱୀକୃତିକୁ ସହଜ କରିବା ଏବଂ ଉଚ୍ଚତର ଓ ବୃତ୍ତିଗତ ଶିକ୍ଷାରେ ପଦ୍ଧତିଗତ ସହଯୋଗକୁ ସମର୍ଥନ କରିବା ପାଇଁ 2026ରେ ଶିକ୍ଷା ଏବଂ ଦକ୍ଷତା ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି।
- ଅଧ୍ୟକ୍ଷ କୋଷ୍ଟା ଏବଂ ଅଧ୍ୟକ୍ଷା ଭନ୍ ଡର୍ ଲିଏନ୍ 19–20 ଫେବୃଆରୀ 2026ରେ ନୂଆଦିଲ୍ଲୀରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନକୁ ସ୍ୱାଗତ କରିଥିଲେ ଏବଂ ନେତାମାନେ ଫଳାଫଳ ଅଭିମୁଖୀ ସହଯୋଗ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଉପରେ ପୁଣିଥରେ ଗୁରୁତ୍ୱ ଦେଇ ଏହି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ।
- ନେତାମାନେ ରଣନୀତିକ ସହଭାଗୀତାକୁ ଆଗକୁ ନେବା ଏବଂ ଭାରତ-ୟୁରୋପୀୟ ସଂଘ ମିଳିତ ବ୍ୟାପକ ରଣନୀତିକ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ନିୟମିତ ଭାରତ-ୟୁରୋପୀୟ ସଂଘ ସମ୍ମିଳନୀର ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟକ୍ଷ କୋଷ୍ଟା ଏବଂ ଅଧ୍ୟକ୍ଷା ଭନ୍ ଡର୍ ଲିଏନ୍ ସ୍ନେହପୂର୍ଣ୍ଣ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆସନ୍ତା ବର୍ଷ ପାରସ୍ପରିକ ସୁବିଧାଜନକ ସମୟରେ ବ୍ରସେଲ୍ସରେ ସପ୍ତଦଶ ଭାରତ-ୟୁରୋପୀୟ ସଂଘ ସମ୍ମିଳନୀ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ ।