ନୂଆଦିଲ୍ଲୀ, (ପିଆଇବି) : ଗତ ଦଶ ବର୍ଷ ଧରି ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତରେ ଦୃଢ଼ ଉଦ୍ୟୋଗ ଇକୋସିଷ୍ଟମ ବିକଶିତ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଭାରତରେ ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବବୃହତ ଇକୋସିଷ୍ଟମ ରହିଛି ଯାହା ବାର୍ଷିକ 12-15% ହାରରେ ଅଭିବୃଦ୍ଧି ହାସଲ କରୁଛି । 2014ରେ ଦେଶରେ ମାତ୍ର 350ଟି ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ଥିବା ବେଳେ ଆଜି ଏଗୁଡ଼ିକର ସଂଖ୍ୟା 2.09 ଲକ୍ଷରେ ପହଞ୍ଚିଛି । ଯଦି ଗୋଟିଏ ଷ୍ଟାର୍ଟଅପ୍ ହାରାହାରୀ 12ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ବୋଲି ଧରାଯାଏ ତେବେ 2014ରେ 4,900 ଏବଂ ଏବେ ଏସବୁ 21 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ଏଗୁଡ଼ିକ ଏବେ ନିଯୁକ୍ତି ଓ ଆର୍ଥିକ ବିକାଶର ପ୍ରମୁଖ ଉତ୍ସ ପାଲଟିଛନ୍ତି । ମୋଦୀ ସରକାର ଅନୁପାଳନ ବୋଝ ହ୍ରାସ କରିବା କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ଆଣିଛନ୍ତି । 47,000ରୁ ଅଧିକ ଅନୁପାଳନ ଉଚ୍ଛେଦ କରାଯାଇଥିବା ବେଳେ 4,458ରୁ ଅଧିକ ଆଇନଗତ ବ୍ୟବସ୍ଥାର ନିରପରାଧୀକରଣ ହୋଇଛି । 2016ରେ 64ରୁ ଅଧିକ ନିୟାମକ ସଂସ୍କାର ଆରମ୍ଭ କରିଥିଲା ଯାହା ବ୍ୟବସାୟିକ ସୁଗମତା ବଢ଼ାଇବା ସହିତ ସହଜ ପୁଞ୍ଜି ସୃଷ୍ଟିକୁ ସକ୍ଷମ କରିଛି ଏବଂ ନିୟାମକ ବ୍ୟବସ୍ଥାକୁ କୋହଳ କରିଛି । 3ରୁ 5 ବର୍ଷ ମଧ୍ୟରେ 9ଟି ଶ୍ରମ ଆଇନ ଏବଂ 3ଟି ପରିବେଶ ଆଇନର ସ୍ୱ-ଅନୁପାଳନ ଲାଗି ଷ୍ଟାର୍ଟଅପଗୁଡ଼ିକୁ ଅନୁମତି ଦିଆଯାଇଛି। ଷ୍ଟାର୍ଟଅପ୍ ଅନୁମୋଦନ ଓ ମାନ୍ୟତା ପ୍ରକ୍ରିୟାକୁ ଷ୍ଟାର୍ଟଅପ୍ ଇଣ୍ଡିଆ ପୋର୍ଟାଲ ଏବଂ ଜାତୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ କରାଯାଇଛି । ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପଗୁଡ଼ିକୁ ଧାରା 80-ଆଇଏସି ଅଧୀନରେ 100% ଆୟକର ଛାଡ଼ କରାଯାଇଛି । ପୂର୍ବରୁ ବଜାରର ଦରର ପ୍ରାୟ 31% ଏଞ୍ଜେଲ୍ ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ବିଳମ୍ବିତ ପ୍ରକ୍ରିୟା ପରିବର୍ତ୍ତେ ଷ୍ଟାର୍ଟଅପ୍ଗୁଡ଼ିକ ଏବେ 90 ଦିନ ମଧ୍ୟରେ ବ୍ୟବସାୟ ବନ୍ଦ ସମ୍ପୂର୍ଣ୍ଣ କରିପାରିବେ । ସରକାରୀ କ୍ରୟ ଲାଗି ପୂର୍ବ କାରବାର ଏବଂ ପ୍ରାକ୍ ଅଭିଜ୍ଞତା ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି, ଫଳରେ ଷ୍ଟାର୍ଟଅପ୍ଗୁଡ଼ିକ ସରକାରୀ କ୍ରୟ ପ୍ରକ୍ରିୟାରେ ଭାଗ ନେଇପାରୁଛନ୍ତି। ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପଗୁଡ଼ିକୁ ସରକାରୀ ଟେଣ୍ଡରରେ ଭାଗ ନେବା ପାଇଁ ଇଏମଡି ଅର୍ଥ ଛାଡ଼ କରାଯାଇଛି।
ଷ୍ଟାର୍ଟଅପଗୁଡ଼ିକୁ ପେଟେଣ୍ଟ ଦାଖଲରେ 80% ଏବଂ ଟ୍ରେଡମାର୍କ ଦାଖଲରେ 50% ରିହାତି ପ୍ରଦାନ କରାଯାଇଛି। କ୍ଷୁଦ୍ର କମ୍ପାନୀ ମାନ୍ୟତାରେ ସଂଶୋଧନ କରାଯାଇଛି ପେଡ୍ ଅପ୍ ସୀମାକୁ 10 କୋଟି ଟଙ୍କା ଏବଂ କାରବାର ସୀମାକୁ 100 କୋଟି ଟଙ୍କା କରି ଦିଆଯାଇଛି। ଫଳରେ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍ ସରଳ ଅନୁପାଳନ ନିୟମ ଅଧୀନକୁ ଆସିପାରିଛନ୍ତି । ଯୋଗ୍ୟ ଷ୍ଟାର୍ଟଅପ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନିବେଶକ, ଏଆଇଏଫ, ଅଣ-ନିବାସୀ ଏବଂ ବଡ଼ ତାଲିକାଭୁକ୍ତ କମ୍ପାନୀଗୁଡ଼ିକରୁ ପ୍ରାପ୍ତ ନିବେଶଗୁଡ଼ିକୁ ଧାରା 56 ଅନୁଯାୟୀ 25 କୋଟି ଟଙ୍କାର ମୋଟ ସୀମା ପର୍ଯ୍ୟନ୍ତ ସେୟାର ପ୍ରିମିୟମ୍ କରରୁ ମୁକ୍ତ କରାଯାଇଛି । ଗତ ଦଶ ବର୍ଷ ମଧ୍ୟରେ, ଷ୍ଟାର୍ଟଅପ୍ ଇଣ୍ଡିଆ ଉଦ୍ୟୋଗରେ ସରକାରଙ୍କ ଭୂମିକାକୁ ନିୟମ ପ୍ରଣୟନକାରୀରୁ ପ୍ରୋତ୍ସାହନକାରୀରେ ପରିଣତ କରିଛି । ଅନୁପାଳନ ହ୍ରାସ କରି, ଭୟ କମାଇ ଏବଂ କର ବ୍ୟବସ୍ଥାକୁ ସରଳ କରି, ମୋଦୀ ସରକାର ଷ୍ଟାର୍ଟଅପ୍ଗୁଡ଼ିକୁ ଉଦ୍ଭାବନ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ସକ୍ଷମ କରିଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଆଜି ସ୍ୱାଧୀନ ଭାରତରେ ସବୁଠାରୁ ପ୍ରଭାବଶାଳୀ ଶାସନ ସଂସ୍କାର ମଧ୍ୟରୁ ଅନ୍ୟତମ ରୂପେ ଦଣ୍ଡାୟମାନ, ଯାହା ଉଦ୍ୟୋଗୀମାନଙ୍କୁ ଭାରତର ଆର୍ଥିକ ଭବିଷ୍ୟତର କେନ୍ଦ୍ରରେ ରଖିଛି ।
Next Post