ପଞ୍ଚମ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

  • ସରକାରୀ ଭାଷା ଭାବେ ହିନ୍ଦୀ ସମେତ ଭାଷା ସଂରକ୍ଷଣ ଓ ପ୍ରୋତ୍ସାହନକୁ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ
  • ଭାରତୀୟ ଭାଷା ଅନୁଭାଗ ସ୍ଥାପନ – ହିନ୍ଦୀ ଓ ଅନ୍ୟ ଭାଷାକୁ ଯୋଡ଼ୁଛି ମୋଦୀଙ୍କ ପ୍ରେରଣା
  • ହିନ୍ଦୀ ଏବଂ ଅନ୍ୟ ଭାରତୀୟ ଭାଷା ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ; ସେମାନେ ପରସ୍ପରର ପରିପୂରକ
  • ପ୍ରଶାସନ ସହିତ ବିଜ୍ଞାନ, ପ୍ରଯୁକ୍ତି ଓ ନ୍ୟାୟରେ ମଧ୍ୟ ହିନ୍ଦୀକୁ ମୂଳ ଭାଷା କରିବା ଉଚିତ
  • ନୂଆ ‘ସାରଥି’ ବ୍ୟବସ୍ଥା : ହିନ୍ଦୀରୁ ପ୍ରମୁଖ ଭାରତୀୟ ଭାଷାର ସହଜ ଅନୁବାଦ
  • ୨୦୨୯ ସୁଦ୍ଧା ବିଶ୍ୱର ସର୍ବବୃହତ୍ ଶବ୍ଦକୋଷ ହେବ ହିନ୍ଦୀ ଶବ୍ଦସିନ୍ଧୁ
  • ସଂସ୍କୃତ ଆମକୁ ଜ୍ଞାନର ନଦୀ ଦେଇଥିଲା, ଯେତେବେଳେ କି ହିନ୍ଦୀ ଏବଂ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ସେହି ଜ୍ଞାନକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହୋଇଥିଲା
  • ଅତୀତରୁ ଭବିଷ୍ୟତ : ହିନ୍ଦୀ ଓ ଭାରତୀୟ ଭାଷାର ନୂଆ ଯୁଗ

ନୂଆଦିଲ୍ଲୀ, (ପିଆଇବି) : ହିନ୍ଦୀ ଦିବସ ୨୦୨୫ ଅବସରରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ, ଗୁଜରାଟର ରାଜଧାନୀ ଗାନ୍ଧୀନଗରରେ ଆୟୋଜିତ ପଞ୍ଚମ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ସମାରୋହରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବନ୍ଦୀ ସଞ୍ଜୟ କୁମାର ସହିତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଶାହ ବହୁ ପ୍ରକାଶନର ଉନ୍ମୋଚନ ମଧ୍ୟ କରିଥିଲେ । ଏହି ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ ଯେ, ହିନ୍ଦୀ ହେଉଛି ଭାରତୀୟ ଭାଷାର ସାଥୀ ଏବଂ ହିନ୍ଦୀ ଏବଂ ଅନ୍ୟ ଭାରତୀୟ ଭାଷା ମଧ୍ୟରେ କୌଣସି ବିବାଦ ନାହିଁ । ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଗୁଜରାଟ । ଗୁଜରାଟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ କେ. ଏମ. ମୁନ୍ସୀଙ୍କ ଭଳି ବିଦ୍ୱାନମାନେ ହିନ୍ଦୀକୁ ଗ୍ରହଣ କରିଥିଲେ ଏବଂ ଏହାର ପ୍ରଚାର ମଧ୍ୟ କରିଥିଲେ । ସେ କହିଥିଲେ ଯେ ଗୁଜରାଟୀ ଏବଂ ହିନ୍ଦୀ ଭାଷାର ସହାବସ୍ଥାନ ଗୁଜରାଟକୁ ଉଭୟ ଭାଷାର ବିକାଶର ଏକ ଉତ୍କୃଷ୍ଟ ଉଦାହରଣରେ ପରିଣତ କରିଛି । ଶ୍ରୀ ଶାହ କହିଥିଲେ, ହିନ୍ଦୀ ଗୁଜରାଟର ଶିକ୍ଷା ବ୍ୟବସ୍ଥାର ଏକ ଅଂଶବିଶେଷ ଏବଂ ଏହି କାରଣରୁ ଗୁଜରାଟର ପିଲାମାନଙ୍କ ପ୍ରସାର ସାରା ଦେଶରେ ବ୍ୟାପକ ଭାବେ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଦୂରଦୃଷ୍ଟିସମ୍ପନ୍ନ ନେତା ଭାରତୀୟ ଭାଷାଗୁଡ଼ିକୁ ପରସ୍ପର ସହ ଯୋଗାଯୋଗ କରିବା ଶିଖାଇଥିଲେ ଏବଂ ପ୍ରତ୍ୟେକ ରାଜ୍ୟରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ, ଯାହାର ଫଳସ୍ୱରୂପ ଗୁଜରାଟର ଜଣେ ବ୍ୟକ୍ତି ଦେଶର ଯେକୌଣସି ସ୍ଥାନକୁ ଯାଇ ସହଜରେ ବ୍ୟବସାୟ ପରିଚାଳନା କରିବା ସହିତ ସ୍ୱୀକୃତି ଲାଭ କରିପାରିବେ । ଅମିତ ଶାହ କହିଥିଲେ ଯେ ବିଗତ ପାଞ୍ଚ ବର୍ଷ ଧରି ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ଦିଲ୍ଲୀ ବାହାରେ ଦେଶର ବିଭିନ୍ନ ଭାଗରେ ଅନୁଷ୍ଠିତ ହୋଇଆସୁଛି, ଯାହା ହିନ୍ଦୀ ଏବଂ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ବାର୍ତ୍ତାଳାପକୁ ସୁଦୃଢ଼ କରିବା ଲାଗି ଏକ ବହୁତ ଭଲ ସୁଯୋଗ ପ୍ରଦାନ କରିଛି । ସେ କହିଥିଲେ ଯେ ବିଗତ ଚାରୋଟି ସମ୍ମିଳନୀର ଅଭିଜ୍ଞତା ହେଉଛି ଯେ ଏଭଳି ସମ୍ମିଳନୀ ନୂତନ ଦୃଷ୍ଟିକୋଣ, ଶକ୍ତି ଏବଂ ପ୍ରେରଣା ପ୍ରଦାନ କରିଥାଏ । ଶ୍ରୀ ଶାହ କହିଥିଲେ, ହିନ୍ଦୀ କେବଳ ବାର୍ତ୍ତାଳାପ ଏବଂ ପ୍ରଶାସନର ଭାଷା ହେବା ଉଚିତ ନୁହେଁ, ବରଂ ଏହା ବିଜ୍ଞାନ, ପ୍ରଯୁକ୍ତି, ନ୍ୟାୟ ଏବଂ ପୁଲିସ ବ୍ୟବସ୍ଥାର ଭାଷା ହେବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ ଯେ ଯେତେବେଳେ ସମସ୍ତ କାର୍ଯ୍ୟ ଭାରତୀୟ ଭାଷାରେ କରାଯାଇଥାଏ, ସେତେବେଳେ ଲୋକମାନଙ୍କ ସହିତ ସମ୍ପର୍କ ଛାଏଁ ଛାଏଁ ଭାବେ ଗଭୀର ହୋଇଥାଏ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ସାରଥି ଅନୁବାଦ ବ୍ୟବସ୍ଥା ହିନ୍ଦୀରୁ ସମସ୍ତ ସ୍ୱୀକୃତିପ୍ରାପ୍ତ ଭାରତୀୟ ଭାଷାକୁ ସହଜ ଅନୁବାଦ ସୁବିଧା ପ୍ରଦାନ କରିଥାଏ । ଶ୍ରୀ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ନିଜ ଭାଷାରେ ଚିଠି ପଠାନ୍ତୁ ଏବଂ ସମାନ ଭାଷାରେ ଉତ୍ତର ପଠାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ସେ ଗୁରୁତ୍ୱାରୋପ କରିଥିଲେ ଯେ ସାରଥି ବ୍ୟବସ୍ଥା ଯେକୌଣସି ଭାଷାରେ ଅନୁବାଦ କରିବା ଏବଂ ହିନ୍ଦୀରୁ ପ୍ରତିକ୍ରିୟାଗୁଡ଼ିକୁ ପ୍ରାପକଙ୍କ ଭାଷାରେ ଅନୁବାଦ କରିବା ପାଇଁ ସକ୍ଷମ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ସାରଥି ମାଧ୍ୟମରେ ଯୋଗାଯୋଗ ନିଜ ମାତୃଭାଷାରେ ହେବ । ଅମିତ ଶାହ କହିଥିଲେ ଯେ ସ୍ୱରାଜ ପାଇଁ ଲଢ଼େଇରେ ଛତ୍ରପତି ଶିବାଜୀ ମହାରାଜ ତିନୋଟି ପ୍ରମୁଖ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ : ସ୍ୱରାଜ, ସ୍ୱଧର୍ମ ଏବଂ ସ୍ୱଭାଷ, ଯାହା ସବୁ ଜାତୀୟ ଗର୍ବ ସହିତ ଆନ୍ତଃସଂଯୁକ୍ତ । ସେ କହିଥିଲେ ଯେ ଯେଉଁ ଦେଶରେ କଥିତ ଭାଷା ନିଜର ନୁହେଁ, ସେହି ଦେଶ ପ୍ରକୃତରେ ସ୍ୱାଧୀନତା କିମ୍ବା ଗର୍ବ ଅନୁଭବ କରିପାରିବ ନାହିଁ । ଆମ ଭାଷାଗୁଡ଼ିକରେ ଗର୍ବ ବଢ଼ାଇବା ପାଇଁ, ଶବ୍ଦ ସିନ୍ଧୁ ଅଭିଧାନ ସୃଷ୍ଟି କରାଯାଇଥିଲା, ଯାହା ୫୧,୦୦୦ ଶବ୍ଦରୁ ଆରମ୍ଭ ହୋଇ ବର୍ତ୍ତମାନ ୭ ଲକ୍ଷ ଶବ୍ଦ ଅତିକ୍ରମ କରିଛି । ଶ୍ରୀ ଶାହ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୨୯ ସୁଦ୍ଧା ଏହା ବିଶ୍ୱର ସମସ୍ତ ଭାଷାରେ ସର୍ବବୃହତ ଅଭିଧାନରେ ପରିଣତ ହେବ । ସେ ଉଲ୍ଲେଖ କରିଥିଲେ ଯେ ଏହି ଅଭିଧାନ ହିନ୍ଦୀକୁ ଅଧିକ ନମନୀୟ କରୁଛି, ଯାହା ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ଏକ କଥିତ ଭାଷା ହେବା ପାଇଁ ଅପରିହାର୍ଯ୍ୟ । ଶବ୍ଦ ସିନ୍ଧୁର ବ୍ୟବହାର ହିନ୍ଦୀକୁ ବହୁମୁଖୀ, ଅନୁକୂଳ ଏବଂ ବ୍ୟାପକ ଭାବେ ଗ୍ରହଣୀୟ କରିବ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମହାତ୍ମା ଗାନ୍ଧୀ ଗୁଜରାଟୀ ଅଭିଧାନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି, ଏହା ସ୍ୱୀକାର କରି ଯେ ଏକ ସମାଜ ଏକ ଶକ୍ତିଶାଳୀ ସ୍ଥାନୀୟ ଭାଷା ବିନା ବିଶ୍ୱ ସ୍ତରରେ ଛିଡ଼ା ହୋଇପାରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ବ୍ୟାପକ କାର୍ଯ୍ୟ କରିଛନ୍ତି । ଶ୍ରୀ ଶାହ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଚାଳିତ ଚଷମା ଉପରେ ଆଲୋକପାତ କରିଥିଲେ, ଯାହା ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ବହୁତ ସାହାଯ୍ୟ କରିବ । ଏହି ଚଷମା ଦ୍ୱାରା, ଯେଉଁମାନେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ସେମାନେ ମଧ୍ୟ ପଢ଼ିପାରିବେ, ଏବଂ ସେମାନେ ଯାହା ପଢ଼ିବେ ତାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ.ଆଇ.) ଚାଳିତ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କ ମାତୃଭାଷାରେ ଶୁଣାଯାଇପାରିବ । ଶ୍ରୀ ଶାହ କହିଥିଲେ ଯେ, ମହାତ୍ମା ଗାନ୍ଧୀ କହୁଥିଲେ ହିନ୍ଦୀ ହେଉଛି ସେହି ଭାଷା ଯାହା ଦେଶକୁ ଏକଜୁଟ ରଖିଥାଏ । ସଂସ୍କୃତ ଆମକୁ ଜ୍ଞାନର ନଦୀ ଦେଇଛି, ହିନ୍ଦୀ ସେହି ଜ୍ଞାନକୁ ପ୍ରତ୍ୟେକ ଘରକୁ ପହଞ୍ଚାଇଛି ଏବଂ ମାତୃଭାଷା ଏହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ବିସ୍ତାର କରିଛି । ଶ୍ରୀ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମର ସ୍ଥାନୀୟ ଭାଷାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସରକାରୀ ଭାଷା ବିଭାଗ ଅଧୀନରେ ଭାରତୀୟ ଭାଷା ଅନୁଭାଗ ସୃଷ୍ଟି କରିଛି ।ଏହି ବିଭାଗ କେବଳ ହିନ୍ଦୀକୁ ସୁଦୃଢ଼ କରିବ ନାହିଁ, ବରଂ ସମସ୍ତ ଭାରତୀୟ ଭାଷାକୁ ସମର୍ଥନ ଏବଂ ପ୍ରୋତ୍ସାହନ ମଧ୍ୟ ଦେବ । ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାରୀ ଭାଷା ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛି । ଗତ ଚାରି ବର୍ଷ ମଧ୍ୟରେ, ସରକାରୀ ଭାଷା କମିଟି ତିନୋଟି ଖଣ୍ଡ ଉପସ୍ଥାପନ କରିଛି, ଏବଂ ଚତୁର୍ଥ ଖଣ୍ଡ ମଧ୍ୟ ପ୍ରସ୍ତୁତ ହୋଇଛି । ସେ ଉଲ୍ଲେଖ କରିଥିଲେ ଯେ ଦେଶର ପ୍ରାୟ ୫୩୯ଟି ସହରରେ ସରକାରୀ ଭାଷା କମିଟି ଗଠନ କରାଯାଇଛି । ଅନ୍ୟ ଭାଷା ପୃଷ୍ଠଭୂମିରୁ ପ୍ରାୟ ୩ ଲକ୍ଷ ୨୮ ହଜାର ସରକାରୀ କର୍ମଚାରୀଙ୍କୁ ହିନ୍ଦୀରେ ତାଲିମ ପ୍ରଦାନ କରାଯାଇଛି । ସେଥିସହିତ, ୪୦,୦୦୦ କର୍ମଚାରୀ ଟାଇପିଙ୍ଗ୍, ୧,୯୧୮ କର୍ମଚାରୀ ସର୍ଟହାଣ୍ଡ୍ ଏବଂ ୧୩,୦୦୦ କର୍ମଚାରୀ ଅନୁବାଦରେ ପ୍ରଶିକ୍ଷଣ ପାଇଛନ୍ତି । ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟି ଭାଷାରେ ଜେଇଇ., ଏନ୍ଇଇଟି ଏବଂ ୟୁଜିସି ପରୀକ୍ଷାର ଆରମ୍ଭ କରିଛନ୍ତି, ଯାହା ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷାରେ ପରୀକ୍ଷା ଦେବାର ସୁବିଧା ଦେଇ, ସେମାନଙ୍କର ସଫଳତାର ସମ୍ଭାବନା ବୃଦ୍ଧି କରିଛି । ସେ କହିଥିଲେ ଯେ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ପରୀକ୍ଷା ମଧ୍ୟ ବର୍ତ୍ତମାନ ୧୨ଟି ଭାଷାରେ କରାଯାଉଛି । ଶ୍ରୀ ଶାହ ସ୍ମରଣ କରିଥିଲେ ଯେ ୧୯୭୦ ଦଶକରେ ଅନେକେ ହିନ୍ଦୀକୁ ଅତୀତର ଭାଷା ବୋଲି ମନେ କରୁଥିଲେ, କିନ୍ତୁ ଆଜି ଗର୍ବର ସହ କୁହିପାରିବା ଯେ, ଆମର ସରକାରୀ ଭାଷା ଏବଂ ଭାରତୀୟ ଭାଷାଗୁଡ଼ିକ ଭବିଷ୍ୟତର ଭାଷା । ଏହିଭାଷାଗୁଡ଼ିକ ଆଗାମୀଦିନରେ ପ୍ରଯୁକ୍ତି, ବିଜ୍ଞାନ ଏବଂ ନ୍ୟାୟର ଭାଷା ମଧ୍ୟ ହେବ ।

Leave A Reply

Your email address will not be published.