- ୬ବର୍ଷ ମଧ୍ୟରେ ୧୩ଜଣ ବିଡିଓ ଦାୟିତ୍ୱରେ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ନୂତନ ବିଡିଓ ତଥା ପ୍ରଥମ ମହିଳା(ଓଏଏସ୍) ବିଡ଼ିଓ ରୂପେ ଶ୍ରୀମତୀ ବାସନ୍ତୀ ସେଠୀ(ଓଏଏସ୍) ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ମୁରିବାହାଲ ବ୍ଲକର ବିଡିଓ ଦାୟିତ୍ୱରେ ଥିବା ପୂର୍ଣ୍ଣାନନ୍ଦ ପଟେଲଙ୍କଠାରୁ ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ କୋମନା ତହସିଲଦାର ଥିବା ଶ୍ରୀ ପଟେଲ ଗତ ୨୧/୦୯/୨୦୨୨ରେ ପ୍ରଥମେ ମୁରିବାହାଲ ବିଡ଼ିଓ ରୂପେ କାର୍ଯ୍ୟରେ ଯୋଗଦେଇ ସୁଚାରୁ ରୁପେ ଦୁଇ ବର୍ଷ ପୂରଣ କରିଥିଲେ । ମୁରିବାହାଲ ବ୍ଳକର ବିଡିଓ ଥିବା ଶ୍ରୀ ପଟେଲଙ୍କୁ ତୁରେକେଲା ବ୍ଲକ ବିଡିଓ ଭାବେ ବଦଳି ହୋଇଛି । ଶ୍ରୀମତୀ ସେଠୀ ଏହା ପୂର୍ବରୁ ପଡୋଶୀ ବଙ୍ଗୋମୁଣ୍ଡା ବ୍ଲକର ବିଡ଼ିଓ ରୂପେ କାର୍ଯ୍ୟ କରୁଥିଲେ । ସେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଥମେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି,ଏଇଇ ଅବିନାଶ ମୁଦି, ଜିପିଡିଓ ଗଙ୍ଗାଧର ଛତର, ସେକ୍ସନ ଅଫିସର ରାଜେନ୍ଦ୍ର ନାଏକ, ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପଙ୍କ ସହ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆର୍ଏସ୍ଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ପରେ ନୂତନ ବିଡ଼ିଓଙ୍କୁ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ସଭାପତି ଦୁର୍ଗାନନ୍ଦ ମହାକୁର, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି, ଉପଦେଷ୍ଟା ଭଗବାନ ମହାନ୍ତି ଓ ବନବିହାରୀ ଯୋଶୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସମସ୍ତଙ୍କ ସହଯୋଗରେ ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ପ୍ରକୃତ ହିତାଧିକାରୀ ପାଇପାରିବେ ସେଥିପାଇଁ ସେ ଯତ୍ନବାନ ହେବାକୁ ଚେଷ୍ଟା କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥଲେ । ମୁରିବାହାଲ ବ୍ଲକ ପ୍ରତିଷ୍ଠା ହେବା ଦିନରୁ ଗତ ତା ୩୦/୦୧/୨୦୦୨ରୁ ୩୦/୦୩/୨୦୦୨ ପର୍ଯ୍ୟନ୍ତ ମାତ୍ର ଦୁଇମାସ ପାଇଁ ପୂର୍ବତନ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ. ସୁଜାତା ରାଉତ କାର୍ତ୍ତିକେୟନ ପ୍ରଥମ ମହିଳା ବିଡ଼ିଓ ରୂପେ ଏହି ବ୍ଲକରେ କାର୍ଯ୍ୟ କରିଥିଲେ । ଏହାପରେ ବୁଧବାର ଶ୍ରୀମତୀ ସେଠୀ ବ୍ଲକର ଦ୍ଵିତୀୟ ମହିଳା ବିଡ଼ିଓ ରୂପେ କାର୍ଯ୍ୟରେ ଯୋଗଦେଇଛନ୍ତି । ଗତ ୨୦୧୯ ମସିହାରୁ ବର୍ତ୍ତମାନ ୨୦୨୪ ମସିହା ମାତ୍ର ୬ବର୍ଷ ମଧ୍ୟରେ ମୁରିବାହାଲ ବ୍ଳକର ବିଡିଓ ଦାୟିତ୍ୱରେ ମୋଟ ୧୩ଜଣ ଦାୟିତ୍ୱରେ ରହି କାର୍ଯ୍ୟ କରିସାରିଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।