- ଭକ୍ତଙ୍କ ହାରି ଗୁହାରି ଶୁଣି ବିଦାୟ ନେଲେ ମାଁ
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଚିର ଅବହେଳିତ ଦେଓଗାଁ ବ୍ଲକ ଜରାସିଂହାର ଇଷ୍ଟଦେବୀ ମାଁ ପାଟଖଣ୍ତାଙ୍କ ଯାତ୍ରା ଉଦ୍ଯାପିତ ହୋଇଯାଇଛି । ୫ ଦିନ ଧରି ହୋଇଥିବା ଏହି ଯାତ୍ରା ଦେଖିବାକୁ ଏଥର ହୋଇଛି ଲୋକାରଣ୍ୟ । ଶହ ଶହ ଲୋକଙ୍କ ଗହଳିକୁ ଆସି ମାନସିକ ଧାରୀଙ୍କ ଗୁହାରୀ ଶୁଣିବା ପରେ ବିଦାୟ ନେଇଛନ୍ତି ଦେବୀ ପାଟଖଣ୍ଡା । ଏହି ପାରମ୍ପାରିକ ଯାତ୍ରା ବର୍ଷେ, ୨ ବର୍ଷ କି ୧୦, ୨୦ ବର୍ଷ ଅବଧିର ନୁହେଁ, ଦୀର୍ଘ ୭୯୧ ବର୍ଷର ଏକ ଭବ୍ୟ ଓ ସମୃଦ୍ଧ ପରମ୍ପରା । ମାଁ ପାଟଖଣ୍ତା ଯେମିତି ଅଞ୍ଚଳବାସୀଙ୍କ ସୁଖ, ଦୁଃଖ ଓ ଦୈନନ୍ଦିନ ଜୀବନଚର୍ଯ୍ୟା ସହ ଜଡ଼ିତ ତାଙ୍କ ଯାତ୍ରା ମଧ୍ୟ ସେମିତି ଲୋକଙ୍କ ଭାବନା, ଆଚାର, ବ୍ୟବହାର ସହ ଜଡ଼ିତ ହୋଇରହିଛି । ପାଟଖଣ୍ଡା ଯାତ୍ରାଟି ରାଜା ରାଜୁଡ଼ା ଅମଳରୁ ହେଉଥିଲେ ବି ଆଜି ଏ ମହଙ୍ଗା ଯୁଗରେ ବଢୁଥିବା ଖର୍ଚ୍ଚ ଆଗରେ ଧିରେ ଧିରେ ତାର ପୂର୍ବ ଐଶ୍ୟର୍ଯ୍ୟ ହରାଇବାକୁ ବସିଲାଣି । ଚଳିତ ବର୍ଷ ୭୯୧ତମ ବର୍ଷରେ ପଦାର୍ପଣ କରିଛି । ଦେଓଗାଁ ବ୍ଲକର ଜରାସିଂହା ନିକଟ ଦେଇ କାହିଁ କେଉଁ ଅବହମାନ କାଳରୁ ବହିଯାଇଛି ସୋନଗଡ଼ ନଦୀ । ନଦୀର ଗୋଟିଏ ପାର୍ଶ୍ଵରେ ଜନବସତି ରହିଥିବା ବେଳେ ଅପର ପାର୍ଶ୍ଵରେ ରହିଛି ଦେଝାର ଜଙ୍ଗଲ । ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରାତନ ମହୁଲ ଗଛର କୋରଡ଼ରେ ଅବସ୍ଥାପିତ ମାଁ ପାଟଖଣ୍ତା ଦେବୀ । ତେବେ ଦେବୀଙ୍କ କୌଣସି ମୂର୍ତ୍ତି ନଥିବା ବେଳେ ପ୍ରତିକ ସ୍ୱରୂପ ରହିଛି ଏକ ୪ ଇଞ୍ଚ ଲମ୍ବ ଓ ୧ ଇଞ୍ଚ ଦୌଘ୍ୟ ବିଶିଷ୍ଟ ଲୁହା ଖଣ୍ଡ ଯାହାକୁ ଦେଝାର ଜଙ୍ଗଲରେ ପୂଜା ପାଇଥାଏ । ବିଜୟା ଦଶମୀ ଦିନ ବରୁଆ ଦେହରେ ଦେବୀ ଆବିର୍ଭାବ ହେଲା ପରେ ଏହି ଲୁହାର ପ୍ରତୀକକୁ ୫ ଦିନ ଧରି ପାରମ୍ପରିକ ବଳି ଦେଇ ପୂଜା କରାଯିବାର ବିଧି ରହିଛି । ଐତିହାସିକ ତଥ୍ୟ ଓ ଲୋକପ୍ରଥା ଅନୁସାରେ ପାଟଣା ରାଜା ବସ୍ତ୍ରରାଜ ଦେଓ (୧୨୧୭ରୁ ୧୨୨୪ ମଧ୍ୟରେ)ଙ୍କ ରାଜତ୍ୱ ସମୟରେ ଥରେ ମସ୍ତର ରାଜ୍ୟର ରାଜାଙ୍କ ସହିତ ତାଙ୍କର ଯୁଦ୍ଧ ଚାଲିଲା । ଉଭୟ ପକ୍ଷରୁ ବହୁ ସୈନ୍ୟ ସାମନ୍ତ ହତାହତ ମଧ୍ୟ ହୋଇଥିଲେ । ତେବେ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ତଥା ଚୌହାଣ ରାଜବଂଶର କୁଳଦେବୀ ମାଁ ପାଟଣେଶ୍ୱରୀଙ୍କ ଆଶୀର୍ବାଦ କ୍ରମେ ତାଙ୍କର ପାଟଖଣ୍ତା ଯୁଦ୍ଧରେ ରାଜା ବସ୍ତ୍ରରାଜ ଦେଓଙ୍କୁ ସହଯୋଗ କରିବାକୁ ସେ ବସ୍ତର ରାଜାଙ୍କୁ ପରାସ୍ତ କରିବା ସହିତ ନିଜର ଗୌରବ ଓ ଆଧିପତ୍ୟ ଅକ୍ଷୁର୍ଣ୍ଣ ରଖି ପାରିଥିଲେ । ଫଳରେ ମାଁ ପାଟଣେଶ୍ୱରୀଙ୍କ ଆଶୀର୍ବାଦ ସ୍ୱରୂପ ସେହି ପାଟଖଣ୍ତାକୁ ଉକ୍ତ ଦିନଠାରୁ ମାଁ ପାଟଖଣ୍ତା ଭାବେ ଜରାସିଂହା ସ୍ଥିତ ଜଙ୍ଗଲରେ ସ୍ଥାପନା ପୂର୍ବକ ପୂଜାର୍ଚ୍ଚନା କରାଯାଇ ଆସୁଛି । ଉଭୟ ଚୌହାନ ରାଜବଂଶ ଓ ଜରାସିଂହା ଜମିଦାରଙ୍କ ପୃଷ୍ଠ ପୋଷକତାରେ ଉକ୍ତ ଦିନଠାରୁ ମାଁଙ୍କ ପୂଜା ଉପଚାର ସହ ପାଟଖଣ୍ତା ଯାତ୍ରା ଆୟୋଜିତ ହୋଇ ଆସୁଛି ବୋଲି କିମ୍ବଦନ୍ତୀ ରହିଛି । ମାଁ’ଙ୍କ ପାଟଖଣ୍ତା ପୂଜା ପାଇଁ ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ଦିନ ପାଟଣାଗଡ଼ ସ୍ଥିତ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରୁ ପାଟସିନ୍ଦୁର ବାହାରି ଆସିଲା ପରେ ଜରାସିଂହାରେ ମାଁ’ଙ୍କ ପୂଜକ, ଦେହୁରୀ, ସେବାୟତ ଓ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିଥାନ୍ତି । ଅଷ୍ଟମୀ ତିଥିରେ ମାଁ ପାଟଖଣ୍ତାଙ୍କ ଷୋଡ଼ଷ ଉପଚାର ପୂଜା, ନବମୀ ତିଥିରେ ପାଟଣାଗଡ଼ରୁ ଅଣା ଯାଇଥିବା ପାଟସିନ୍ଦୁର ବରଣ ହେଲାପରେ ମାଁ ପାଟଖଣ୍ତାଙ୍କ ପ୍ରତିକ ସ୍ୱରୂପ ଉକ୍ତ ଲୌହ ଖଣ୍ତାକୁ ଧରିଥିବା ବରୁଆ ବା ଦେହୁରୀମାନଙ୍କ ଦେହରେ ଦେବତା ପ୍ରବେଶ କରିବାର ପ୍ରଥା ରହିଛି । ଏହି ପ୍ରଥା ଅନୁସାରେ ଦେବୀ ବରୁଆଙ୍କ ଶରୀରରେ ସବାର ହେବା ପରେ ଭକ୍ତମାନେ ତାଙ୍କର ଦର୍ଶନ କରି ନିଜ ମାନସିକ ଜଣାଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଅନ୍ୟପଟେ ପାଟଖଣ୍ତାକୁ ଦେବାଧିଦେବ ମହାଦେବଙ୍କ ଅଂଶ ବିଶେଷ ବୋଲି ମଧ୍ୟ ଧରାଯାଇଥାଏ । ତେଣୁ ମାଁ ପାଟଖଣ୍ତା ଉଭୟ ଦେବୀ ଓ ଦେବ ଭାବେ ପୂଜା ପାଇବା ହେଉଛି ଏହି ଯାତ୍ରାର ବୌଶିଷ୍ଠ୍ୟ । ଦେବ ପୂଜନ ପାଇଁ ଏକାଦଶୀ ତିଥିରେ ୯୬ କିଲୋଗ୍ରାମ ଅରୁଆ ଚାଳଉଳର ଏକ ବିଶାଳ କାୟ ଲିଙ୍ଗ ପ୍ରସ୍ତୁତ କରାଯାଇ ବିଧିବଦ୍ଧ ଭାବେ ସ୍ଥାପନା କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥାଏ । ପାଟଖଣ୍ତା ଦେବତାଙ୍କ ନିକଟରେ ଛୁଆଁ, ଅଛୁଆଁ କିଛି ନାହିଁ । ବର୍ତ୍ତମାନ ଜରାସିଂହାର ଜମିଦାର ଦୁର୍ଗା ପ୍ରସାଦ ସିଂହଦେଓ ମାଁ ପାଟଖଣ୍ତା ଦେବତାଙ୍କ ମୁଖ୍ୟ ସେବକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ବରୁଆ ଭାବେ ସନ୍ତୋଷ ଥନାପତି ପୂଜାକାର୍ଯ୍ୟ ଓ ଯାତ୍ରା ସମ୍ପାଦନା କରିଥାନ୍ତି । ପାରମ୍ପରିକ ରୀତିନୀତି ଅନୁଯାୟୀ ଯାତ୍ରାରେ ନିୟୋଜିତ ହୋଇଥାନ୍ତି ୩୨ ଜଣ ଦେହୁରୀ ମଧ୍ୟରୁ ୩ ଜଣ ଜମିଦାର ବଂଶର ଲୋକ ନିୟୋଜିତ ହୋଇ ଦେବୀଙ୍କ ସେବା କରିଥାନ୍ତି ।