ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସଭାବେ ପାଳନ କରାଯାଇଥାଏ । ପ୍ରଥମ ଥର ୧୯୫୩ରେ ଏହି ଦିବସ ପାଳନ କରାଯାଇଥିଲା । ଏହା ସହିତ ଭାରତୀୟ ସମ୍ବିଧାନରେ ଏହା ସରକାରୀ ଭାଷାଭାବେ ମଧ୍ୟ ମାନ୍ୟତା ପାଇଛି । ଏହି କ୍ରମରେ ରାଉରକେଲା ସହରର ସର୍ବପୂରାତନ ମହାବିଦ୍ୟାଳୟଭାବେ ପରିଚିତ ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ହିନ୍ଦୀଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ହିନ୍ଦୀ ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ହିନ୍ଦୀ ବିଭାଗର ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଦିବସ ପାଳନ ଉପଲକ୍ଷେ ଏକ ସଭା ହୋଇଥିଲା । ଏଥିରେ ଡ. ବେହେରା ଉଦ୍‌ବୋଧନ ଦେଇ ହିନ୍ଦୀ ଭାଷାକୁ ନିଜ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ସ୍ମୃତିଚାରଣ କରି ସେ ଗୁଜରାଟୀ ଭାଷାଭାଷୀ ଅଞ୍ଚଳର ହୋଇ ମଧ୍ୟ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଦିଗରେ କରିଯାଇଥିବା ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ପ୍ରଫେସର ବେହେରା କହିଥିଲେ । ହିନ୍ଦୀ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ନମିତା ସ୍ୱାଇଁ ତାଙ୍କ ବକ୍ତବ୍ୟରେ ହିନ୍ଦୀ ଭାଷାର ବଳିଷ୍ଟ ପରମ୍ପରା ଓ ସାଂସ୍କୃତିକ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଏହି ଦିବସ ପାଳନର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବକ୍ତାଭାବେ ବିଶିଷ୍ଟ ଲେଖିକା ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ.ମଞ୍ଜୁଶର୍ମା ମହାପାତ୍ର ଯୋଗଦେଇ ହିନ୍ଦୀ ଭାଷାର ଅନେକ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ଓ ଲେଖିକାଙ୍କ ଉଦାହରଣ ଦେଇ ସେମାନଙ୍କର କାଳଜୟୀ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଶ୍ୱର ବିଭିନ୍ନ ଦେଶରେ କରାଯାଉଥିବା ବିଶ୍ୱ ହିନ୍ଦୀ ସମ୍ମିଳନୀ ମାଧ୍ୟମରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ବ୍ୟାପକ ହେଉଛି । ତେଣୁ ଏହି ଭାଷା ମାଧ୍ୟମରେ ପଠନ ଓ ଲିଖନ କରୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ୱଳ ବୋଲି ଡ. ମହାପାତ୍ର କହିଥିଲେ । ଏଥିରେ ଇତିହାସ ବିଭାଗର ଅଧ୍ୟାପିକା ଡ. ରଞ୍ଜିତା ଓରାମଙ୍କ ସମେତ ହିନ୍ଦୀ ବିଭାଗର ଅଧ୍ୟାପିକା ଉର୍ବଶୀ ତିର୍କୀ, ପୁଷ୍ପଲତା ଏବଂ ଅଧ୍ୟାପକ ଚିନ୍ମୟ ତ୍ରିପାଠୀ ପ୍ରମୁଖ ହିନ୍ଦୀ ଭାଷାର ବ୍ୟାପକତା ଏବଂ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହିନ୍ଦୀ ନିବନ୍ଧ ଲିଖନ ଓ ହିନ୍ଦୀ ତର୍କବିତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଦିବସ ପାଳନକୁ ଅଧିକ ଯୁକ୍ତିସଙ୍ଗତ କରିବା ପାଇଁ ଲଘୁ ନାଟକ ଓ ଲଘୁ ଚଳଚ୍ଚିତ୍ର ପ୍ରଦର୍ଶନ ସମେତ କବିତା ପାଠ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗୀୟ ଅଧ୍ୟାପିକା ପ୍ରିୟା ବାରିକ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.