ସଂସ୍କୃତ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ଥିଲେ ପ୍ରଫେସର୍ ପ୍ରହଲ୍ଲାଦ ପ୍ରଧାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମ୍ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶନିବାର ସଂସ୍କୃତ ଦିବସ ଓ ବେଦ ପ୍ରଚାର ସପ୍ତାହର ଉଦ୍‌ଯାପନୀ ସମାରୋହ ଅନୁଷ୍ଟିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସକାଳ ୧୦ଘ ସମୟରେ ଗୁରୁକୁଳ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ତରଫରୁ ବୈଦିକ ଯଜ୍ଞ ସହିତ ବେଦ ମନ୍ତ୍ର ପାଠ କରାଯାଇଥିଲା । ପରେ ପରେ ସଂସ୍କୃତ ଅଧ୍ୟାପକ ଶ୍ୟାମ ସୁନ୍ଦର ସାହୁଙ୍କ ସଂଯୋଜନା ଓ ଅଧ୍ୟାପିକା ପାର୍ବତୀ ଭୋଇଙ୍କ ସ୍ଵାଗତ ଅଭିଭାଷଣରେ ଅନୁଷ୍ଟିତ ସଂସ୍କୃତ ଦିବସ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ଶିକ୍ଷା ଶାସ୍ତ୍ରୀ ବିଭାଗ ପ୍ରଫେସର ରମାକାନ୍ତ ମିଶ୍ର ଯୋଗଦେଇ ସଂସ୍କୃତ ସାହିତ୍ୟକୁ ବରଗଡ଼ ଅନ୍ତପାଲି ମାଟିର ପୁତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ଅବଦାନ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଗୁରୁକୁଳ ନବ ପ୍ରଭାତ ବୈଦିକ ବିଦ୍ୟାପୀଠର ଅଧ୍ୟକ୍ଷ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ, ସଂସ୍କୃତ ଭାଷାର ମହନୀୟତା ଉପସ୍ଥାପନ କରିଥିବା ବେଳେ ବିଶିଷ୍ଟ ଅତିଥି ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ. ବିଭୀଷଣ ବାରିକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଭାଷା ଓ ପରିବେଶ ପ୍ରତି ସ୍ୱତନ୍ତ୍ର ରୁଚି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ନାତି ଅତନୁ ପ୍ରଧାନଙ୍କ ଉପସ୍ଥିତିରେ ସଂସ୍କୃତ ଭାଷାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ରାଜ୍ୟର ସ୍ୱନାମ ଧନ୍ୟ ଏହି ୩ ଜଣ ସଂସ୍କୃତ ବିଦ୍ୱାନଙ୍କୁ ୨୦୨୪ ବର୍ଷ ପାଇଁ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇ ଏହି ଦିବସକୁ ସ୍ୱର୍ଗତ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରୀମାନେ ସ୍ଵାଗତ ଓ ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ରବିନାରାୟଣ ସାହୁ, ଅରବିନ୍ଦ ଦାଶ, ହରେକୃଷ୍ଣ ଦେବତା, ଅଧ୍ୟାପିକା ଟୁନି ବେହେରା, ଡଃ. ଦିପିକା କୁମାରୀ, ମୋନାଲିସା ପ୍ରଧାନ, ଅନୁପମା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ଆସନ୍ତା ବର୍ଷ ଠାରୁ ସଂସ୍କୃତରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନ ମେଧା ବୃତ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । କୃତି ପ୍ରତି ଯୋଗୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିବା ବେଳେ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.