ସଚିବ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

  • ନିର୍ବାଚନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
  • ଲୋକମାନଙ୍କ ପାଖରେ ସରକାର ୨୪ ଘଣ୍ଟା ଉତ୍ତରଦାୟୀ – ମୁଖ୍ୟମନ୍ତ୍ରୀ
  • ଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟାକୁ ଦକ୍ଷ କରିବା ପାଇଁ ପରାମର୍ଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନ ଠାରେ ସଚିବ ମାନଙ୍କ ବୈଠକରେ ଯୋଗଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ । ଜନପ୍ରତିନିଧି ଭାବରେ ଏବଂ ସରକାର ଭାବରେ ଆମେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ । ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶୃତି ଗୁଡିକ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ତାହା ଆପଣମାନଙ୍କର ଗୁରୁଦାୟିତ୍ୱ । ତେଣୁ ସେ ଦିଗରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଉ ୧୨ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୨୦୪୭ରେ ମଧ୍ୟ ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଆମକୁ ଓଡିଶା ପାଇଁ ଏକ ଭିଜନ-୨୦୩୬ ପ୍ରସ୍ତୁତ କରିବାକୁ ହେବ । ଗତ ୨୪ ବର୍ଷ ମଧ୍ୟରେ ଯାହା ହୋଇପାରି ନାହିଁ, ତାକୁ ଏହି ୫ ବର୍ଷରେ କରିବାକୁ ପଡିବ । ଏହାର ସଫଳତା ପାଇଁ ଆମକୁ ଏହି ୫ ବର୍ଷରେ କଠିନ ପରିଶ୍ରମ କରି ଆମର ସବୁ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ । ଏହାଦ୍ୱାରା ବିକଶିତ ଭାରତରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ହାସଲ କରିପାରିବ ବୋଲି ସେ କହିଥିଲେ । ସେହିପରି ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଲୋକଙ୍କ ସହିତ ମିଶି ଆଲୋଚନା କରିବା ଦ୍ୱାରା ସରକାରଙ୍କ ପ୍ରତି ଲୋକଙ୍କ ଭରସା ସୃଷ୍ଟି ହୁଏ । ଲୋକଙ୍କ ସରକାର ଭାବେ ମୋ ସରକାର କାମ କରିବା ମଧ୍ୟ ଆରମ୍ଭ କରିଦେଇଛି । ଲୋକ ଓ ସରକାରଙ୍କ ମଧ୍ୟରେ କୌଣସି ପ୍ରାଚୀର ରହିବା ଉଚିତ ନୁହେଁ । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ଭରସା ସୃଷ୍ଟି ହୋଇଛି, ସେ ଭରସା ଅତୁଟ ରହିବା ଦରକାର । ଲୋକମାନେ ଯେଉଁ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି, ତାହାର ସମାଧାନ ହେବା ଅତି ଜରୁରୀ । ଏଥିପାଇଁ ଟେକ୍‌ନୋଲୋଜି ସହିତ ଉପଯୁକ୍ତ ତଦାରଖ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଯେପରି ଓଡିଆ ଭାଷାରେ ହୋଇପାରିବ, ସେଥିପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ । କେନ୍ଦ୍ର ସରକାରଙ୍କ ଏକାଧିକ ଲୋକପ୍ରିୟ ଯୋଜନା ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହିସବୁ ଯୋଜନାକୁ ତୃଟିଶୂନ୍ୟ ଓ ପ୍ରଭାବୀ ଢଙ୍ଗରେ ଆଗେଇ ନେବା ପାଇଁ ସମର୍ପିତ ଓ ସକ୍ରିୟ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକଶିତ ଓଡିଶା ନିର୍ମାଣ ପାଇଁ କାମ କରିବାର ସଂପୂର୍ଣ୍ଣ ସ୍ୱାଧୀନତା ଆପଣମାନଙ୍କର ଅଛି । କିନ୍ତୁ ଆପଣମାନଙ୍କୁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ସୀମା ଭିତରେ କାମ କରିବାକୁ ହେବ । ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟ୍‌ ପରିମାଣ ଉପରେ ବିଚାର ବିମର୍ଶ କରନ୍ତୁ ଏବଂ ସେ ସବୁ ପ୍ରସଙ୍ଗରେ ଆଜିର ଦିନରେ କଣ ସ୍ଥିତି ଅଛି, ତା ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।
ସେ କହିଥିଲେ ଯେ, ମୋ ସରକାରର ରାଜନୈତିକ ଇଚ୍ଛା ଶକ୍ତି ଦୃଢ ଅଛି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ ସରକାରଙ୍କ କେନ୍ଦ୍ରବିନ୍ଦୁ । ନିର୍ଣ୍ଣୟ ପ୍ରକ୍ରିୟାରେ ସମସ୍ତଙ୍କ ଭାଗିଦାରୀ ଆମର ପ୍ରାଥମିକତା । ସବୁ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ତଳସ୍ତରର କର୍ମଚାରୀଟିଏ ମଧ୍ୟ ସରକାରଙ୍କ ସଫଳତା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଆମ ଦଳର ମତାମତ ସହିତ ବିରୋଧୀ ଦଳର ମତାମତକୁ ମଧ୍ୟ ଆମକୁ ଗୁରୁତ୍ୱର ସହ ନେବାକୁ ପଡିବ । ତୃଣମୂଳସ୍ତରରେ ଜନପ୍ରତିନିଧି ମାନଙ୍କ ମତାମତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଏକ ଟିମ୍‌ ହୋଇ ଓଡିଶାର ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିବାକୁ ପଡିବ ବୋଲି ସେ କହିଥିଲେ ।
ଓଡିଶା ଏବେ ଦେଶର ଏକ ପ୍ରମୁଖ ବିକାଶଶୀଳ ରାଜ୍ୟ ଭାବେ ମୁଣ୍ଡ ଟେକିଛି । ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ କାମ ଆରମ୍ଭ କରିଛ । ଶିକ୍ଷା, ସ୍ୱାସ୍ଥ୍ୟ, ଦୁର୍ନୀତି ବିରୋଧୀ ପରିବେଶ, ସାମାଜିକ ନ୍ୟାୟ, ଆର୍ଥିକ ପ୍ରଗତି, ଜନଜାତି କଲ୍ୟାଣ ଓ ଉତ୍ତରଦାୟୀ ପ୍ରଶାସନ ଯୋଗାଇ ଦେବା ପାଇଁ ଆମେ ବଦ୍ଧ ପରିକର । ପରିଶେଷରେ ସେ କହିଥିଲେ ଯେ, ପ୍ରଶାସନିକ ସଂସ୍କାର ଓ ବିଶ୍ୱସନୀୟ ସେବା ପ୍ରଦାନ ଦିଗରେ ଆପଣମାନଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବ, ଏ ବିଶ୍ୱସ ମୋର ରହିଛି । ଆପଣମାନଙ୍କ ସହଯୋଗରେ ଏକ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ସବୁ ବିଭାଗର ସଚିବ ମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଆଭିମୁଖ୍ୟକୁ ନେଇ ସେମାନେ କିପରି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି, ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

Leave A Reply

Your email address will not be published.